କଟକ(ଓଡ଼ିଶା ରିପୋର୍ଟର): ଲାଞ୍ଚ ନେଇଥିବା ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା ଚାକିରିରୁ ବିଦା ହେଲେ। ପୁଲିସ୍ ଡିଜି ସୁନୀଲ ବଂଶଲ୍ ତାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ମାନସୀ ଏବେ ଜେଲରେ ଅଛନ୍ତି। ସେ ଲାଞ୍ଚ ନେବା ଘଟଣା ଗତମାସରେ ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା।
ଜଣେ ସରକାରୀ କର୍ମଚାରୀଙ୍କ ବିରୋଧରେ ସମ୍ୱଲପୁର ଭିଜିଲାନ୍ସ ଡିଭିଜନରେ ଏକ ପିଟିସନ୍ ପଡ଼ିଥିଲା। ଏହାର ତଦନ୍ତ ଦାୟିତ୍ୱ ମାନସୀଙ୍କ ଉପରେ ନ୍ୟସ୍ତ ଥିଲା। ସେ ଉକ୍ତ ସରକାରୀ କର୍ମଚାରୀଙ୍କୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଟଙ୍କା ନଦେଲେ ତାଙ୍କ ନାଁରେ ମାମଲା କରିବାକୁ ଧମକ ଦେଇଥିଲେ। ତାଙ୍କଠାରୁ ଟଙ୍କା ଆଦାୟ କରିବା ପାଇଁ ମାନସୀ ବରଗଡ଼ର ମୁକେଶ ସାହୁ ନାମକ ଜଣେ ଯୁବକଙ୍କୁ ମଧ୍ୟସ୍ତି ରଖିଥିଲେ।
ଲାଞ୍ଚ ମଗାଯାଉଥିବା ନେଇ ଉକ୍ତ ସରକାରୀ କର୍ମଚାରୀ ଜଣକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ମେ’ ୧୨ ତାରିଖରେ ମାନସୀ ମଧ୍ୟସ୍ତି ମୁକେଶ ମାଧ୍ୟମରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସର ଇଣ୍ଟରନାଲ ୟୁନିଟ୍ ହାତରେ ଧରା ପଡ଼ିଥିଲା। ଏହା ପରେ ଭିଜିଲାନ୍ସ ଟିମ୍ ମାନସୀଙ୍କ ପୈତୃକ ଘର ଓ ଅଫିସ୍ରେ ଚଢ଼ଉ କରିଥିଲା। ସେହିପରି ମୁକେଶଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା ଭିଜିଲାନ୍ସ ଟିମ୍। ପୂରା ଖୋଳତାଡ଼ ପରେ ମେ’ ୧୪ ତାରିଖରେ ମାନସୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।