ଆନନ୍ଦପୁର(ମୁନା ସିଂ): ବିନା ସାଇରନ୍ରେ ଖୋଲିଦେଲେ ବୈତରଣୀ ନଦୀ ସିଙ୍ଗିନାଳି ପାୱାର ପ୍ରୋଜେକ୍ଟ ଗେଟ୍ । ଫଳରେ ସେତେବେଳେ ସେହି ନିକଟରେ ଗାଧୋଉଥିବା ୨ ଜଣ ଯୁବକ ଭାସି ଯାଇଥିଲେ। ତେବେ ଦୁହେଁ ଅଳ୍ପକେ ମରଣ ମୁହଁରୁ ବର୍ତ୍ତି ଯାଇଥିଲେ।
ସେମାନଙ୍କ ମଧ୍ୟରୁ ଜଣେ ଗଛରେ ଚଢ଼ି ଯାଇଥିଲେ ଓ ଅନ୍ୟ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଯାହାଙ୍କୁ ଲୋକମାନେ ଉଦ୍ଧାର କଲେ ତାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଆନନ୍ଦପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟ ଯୁବକ କାଦବହାଳି ଗାଁର ବୋଲି ଜଣାଯାଇଛି।
ପ୍ରୋଜେକ୍ଟ କର୍ତ୍ତୃପକ୍ଷ ସାଇରନ୍ ନ ବଜାଇ ଗେଟ୍ ଖୋଲିଥିବାରୁ ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ତେବେ ଏହା କେବଳ ଆଜିର କଥା ନୁହେଁ, ପ୍ରୋଜେକ୍ଟ କର୍ତ୍ତୃପକ୍ଷ ପୂର୍ବରୁ ବି ଏମିତି ସାଇରନ୍ ନ ବଜାଇ ଗେଟ୍ ଖୋଲିଥିବା ଅଭିଯୋଗ ହୋଇଛି।
କର୍ତ୍ତୃପକ୍ଷ ନିଜ ଇଚ୍ଛା ମୁତାବକ କାମ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ଧନଜୀବନ ପ୍ରତି ନଜର ଦେଉ ନ ଥିବା ଅଭିଯୋଗ ହୋଇଛି। ଏହି ପାୱାର ପ୍ରୋଜେକ୍ଟ ପ୍ରାୟ ବର୍ଷେ ହେବ କାର୍ଯ୍ୟକ୍ଷମ ହୋଇଥିବା ବେଳେ ସେବେଠୁ ଅଞ୍ଚଳବାସୀଙ୍କ ଦୁଃଖ ବଢ଼ିଚାଲିଥିବା ଅଭିଯୋଗ ହୋଇଛି। ଏପରିକି ଏହି ପ୍ରୋଜେକ୍ଟ ହେବା ପରଠୁ ବିସ୍ଥାପିତଙ୍କୁ ପ୍ରତିଶ୍ରୁତି ମୁତାବକ ଚାକିରି ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ତୁରନ୍ତ ଏହି ସବୁ ସମସ୍ୟାର ସମାଧାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଉତ୍ତ୍ୟକ୍ତ ଲୋକେ ଚେତାବନୀ ଦେଇଛନ୍ତି।
ବେରିଂ ଭାଙ୍ଗିଯିବାରୁ ଏହି ପରିସ୍ଥିତି ଉପୁଜିଲା ବୋଲି ସଫେଇ ଦେଇଛନ୍ତି ପ୍ରୋଜେକ୍ଟ କର୍ତ୍ତୃପକ୍ଷ । ହେଲେ ଏହାକୁ ମାନିବାକୁ ଉତ୍ତ୍ୟକ୍ତ ଲୋକ ନାରାଜ । ବର୍ଷକ ତଳେ ନିର୍ମିତ ହୋଇଥିବା ପା଼ୱାର ପ୍ରୋଜେକ୍ଟର ବେରିଂ କିପରି ଭାଙ୍ଗିଗଲା ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।