ବରଗଡ଼: ଦିନକ ପରେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଏଥିପାଇଁ ସଜେଇ ହେଉଛି ମଥୁରା ନଗରୀ ବରଗଡ଼ ଓ ଗୋପପୁର ଅମ୍ବାପାଲି। ପ୍ରତିଟି କାନ୍ଥବାଡ଼ରେ ପୌରାଣିକ କଥାବସ୍ତୁର ଝଲକ ଦେଖିବାକୁ ମିଳୁଛି। ଧନୁଯାତ୍ରାର ବିଭିନ୍ନ ଦୃଶ୍ୟକୁ ଚିତ୍ର ମାଧ୍ୟମରେ ପ୍ରଦର୍ଶିତ କରିବାରେ ଲାଗିଛନ୍ତି ଚିତ୍ରକର।
ମହାରାଜ କଂସଙ୍କ ଅତ୍ୟାତାର, ରାଜ ଦରବାର, ହାତୀ ପିଠିରେ ନଗର ଭ୍ରମଣ ଓ ନ୍ୟାୟ ବିଚାର ଆଦି ଚିତ୍ର ବଖାଣୁଛି ଧନୁଯାତ୍ରାର କଥା। ଏହାବାଦ ଅଙ୍କା ଯାଉଛି ଆହୁରି ଅନେକ ଚିତ୍ର। ଏସବୁ ଦର୍ଶକଙ୍କୁ ଖୁବ୍ ଆକୃଷ୍ଟ କରୁଛି। ଦ୍ୱାପର ଯୁଗର ମଥୁରା ଭଳି ସଜାଇବା ପାଇଁ ଲାଗିପଡ଼ିଛନ୍ତି ଜିଲ୍ଲାର ଚିତ୍ରଶିଳ୍ପୀ।
ଏଣେ ଗୋପପୁର ପାଲଟୁଥିବା ଅମ୍ବାପାଲିରେ ମଧ୍ୟ ପ୍ରସ୍ତୁତି ଜୋରସୋରରେ ଚାଲିଛି। ପ୍ରତିଟି ଘର କାନ୍ଥରେ ଅଙ୍କା ଚାଲିଛି ଶ୍ରୀକୃଷ୍ଣଙ୍କ ବିଭିନ୍ନ ଲୀଳାଖେଳାର ଦୃଶ୍ୟ। ଶ୍ରୀକୃଷ୍ଣଙ୍କ ସର ଲବଣୀ ଚୋରିଠୁ ଆରମ୍ଭ କରି ରାସଲୀଳା ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟ ନିଖୁଣ ଭାବେ ଚିତ୍ରିତ କରୁଛନ୍ତି ଚିତ୍ରଶିଳ୍ପୀ। କେବଳ ଚିତ୍ରଶିଳ୍ପୀ ନୁହେଁ, ନିଜ ଅଞ୍ଚଳକୁ ଗୋପପୁର ଭଳି ସଜାଇବାରେ ଲାଗି ପଡ଼ିଛନ୍ତି ଅମ୍ବାପାଲି ବାସିନ୍ଦା। ନିଜ ନିଜ ଘରକୁ ସଫାସୁତୁରା କରି ଚୂନ ଲଗାଇ ସଜାଉଛନ୍ତି। ତେବେ ଧନୁଯାତ୍ରା ସରିଲା ପରେ ବି ଲୋକେ ଯେଭଳି ଏହି ଲୋକପ୍ରିୟ ପରମ୍ପରା ସଂପର୍କରେ ଜାଣି ପାରିବେ ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଉଥିବା ବରଗଡ଼ ପୌର ପରିଷଦ ପକ୍ଷରୁ କୁହାଯାଇଛି।
ଆସନ୍ତା ୨୩ ତାରିଖରୁ ବରଗଡ଼ ଧନୁଯାତ୍ରା ଆରମ୍ଭ ହୋଇ ଜାନୁୟାରୀ ୨ ତାରିଖ ପର୍ଯ୍ୟନ୍ତ ଚାଲିବ।
https://www.youtube.com/watch?v=1P2aopucpAI
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।