କାହିଁକି କମିଛି ସାଂସଦଙ୍କ ଭୋଟ୍ : ନବୀନଙ୍କୁ ବାହାନା ଦେଖାଇଲେଣି ବିଧାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ କ୍ରମାଗତ ପଞ୍ଚମଥର ପାଇଁ ସରକାର ଗଠନ ହେଉଥିଲେ ମଧ୍ୟ ବିଜେଡି ବିଧାୟକମାନେ ନିଜ ନିଜର ସ୍ଥିତିକୁ ନେଇ ଆଶଙ୍କାରେ ପଡ଼ିଛନ୍ତି। ବିଧାନସଭା ଆସନ ସୁରକ୍ଷିତ ଥିବାବେଳେ ଲୋକସଭା ଆସନ ହାତଛଡ଼ା ହେବା ପଛରେ କ’ଣ ଷଡ଼ଯନ୍ତ୍ର ରହିଛି ତାହା ଜାଣିବା ପାଇଁ ବିଜେଡି ଏବେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ନିଜ ନିଜ ନିର୍ବାଚନମଣ୍ଡଳୀରେ ଦଳୀୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ସପକ୍ଷରେ କେତେ ଭୋଟ୍ […]

naveen

naveen

Manoranjan Sial
  • Published: Monday, 27 May 2019
  • Updated: 27 May 2019, 09:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ କ୍ରମାଗତ ପଞ୍ଚମଥର ପାଇଁ ସରକାର ଗଠନ ହେଉଥିଲେ ମଧ୍ୟ ବିଜେଡି ବିଧାୟକମାନେ ନିଜ ନିଜର ସ୍ଥିତିକୁ ନେଇ ଆଶଙ୍କାରେ ପଡ଼ିଛନ୍ତି। ବିଧାନସଭା ଆସନ ସୁରକ୍ଷିତ ଥିବାବେଳେ ଲୋକସଭା ଆସନ ହାତଛଡ଼ା ହେବା ପଛରେ କ’ଣ ଷଡ଼ଯନ୍ତ୍ର ରହିଛି ତାହା ଜାଣିବା ପାଇଁ ବିଜେଡି ଏବେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ନିଜ ନିଜ ନିର୍ବାଚନମଣ୍ଡଳୀରେ ଦଳୀୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ସପକ୍ଷରେ କେତେ ଭୋଟ୍ ପଡ଼ିଛି ତା’ର ହିସାବ ଲିଖିତ ଆକାରରେ ଦେବାକୁ କହିବା ଏବେ ବିଧାୟକମାନଙ୍କ ସାଂଗଠନିକ ଦକ୍ଷତା ଓ ଆନୁଗତ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବିଜେଡି ୧୧୨ଟି ବିଧାନସଭା ଆସନରେ ଜିତିଥିବାବେଳେ ୯ଟି ଲୋକସଭା ଆସନ କିଭଳି ବିଜେପି ଓ କଂଗ୍ରେସ ହାତକୁ ଗଲା ତା’ର କାରଣ ଖୋଜିପାଉନି। ଯେଉଁଥିପାଇଁ ବିଧାୟକ ଦଳ ବୈଠକରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜେ ବିଧାୟକମାନଙ୍କୁ ଏହି ରିପୋର୍ଟ ପ୍ରସ୍ତୁତ କରି ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନବୀନଙ୍କ ଏଭଳି କଡ଼ା ଆଭିମୁଖ୍ୟ ଦେଖି ଦଳର ପ୍ରାୟ ୬୦ ପ୍ରତିଶତରୁ ଅଧିକ ବିଧାୟକ ଏବେ ନିଜ ନିର୍ବାଚନମଣ୍ଡଳୀରେ ଦଳୀୟ ସାଂସଦ ପ୍ରାର୍ଥୀଙ୍କ ତୁଳନାରେ ସେମାନେ କେତେ ଅଧିକ ଭୋଟ୍ ପାଇଛନ୍ତି ତାହା ଜଣାଇବା ପରିବର୍ତ୍ତେ ନିଜେ କେତେ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି ତାହା ଉଲ୍ଲେଖ କରିବାରେ ଲାଗିଥିବା ଜଣାପଡ଼ିଛି। ଭୋଟ୍ ବିଭାଜନ( ସ୍ପ୍ଲିଟ୍ ଭୋଟିଂ) ଯୋଗୁ ବରଗଡ଼, ସମ୍ବଲପୁର, କଳାହାଣ୍ଡି, ଭୁବନେଶ୍ୱରରେ ବିଜେଡି ସାଂସଦ ପ୍ରାର୍ଥୀ ପରାଜିତ ହୋଇଛନ୍ତି। ପୁରୀ, କଟକ ଓ କେନ୍ଦ୍ରାପଡ଼ାରେ ବିଜେଡି ସାଂସଦ ପ୍ରାର୍ଥୀ ଜିତିଥିଲେ ମଧ୍ୟ ଅଧିକାଂଶ ନିର୍ବାଚନମଣ୍ଡଳୀରେ ଦଳୀୟ ବିଧାୟକ ପ୍ରାର୍ଥୀଙ୍କ ତୁଳନାରେ ସାଂସଦ ପ୍ରାର୍ଥୀଙ୍କୁ କମ୍ ଭୋଟ୍ ମିଳିଛି। ଏଭଳି ଭୋଟ୍ ବିଭାଜନ( ସ୍ପ୍ଲିଟ୍ ଭୋଟିଂ) ପଛର ବାସ୍ତବ କାରଣକୁ ବିଜେଡି ରଣନୀତିକାରମାନେ ଏପର୍ଯ୍ୟନ୍ତ ବୁଝିବାରେ ସକ୍ଷମ ହୋଇନଥିବା ବେଳେ ଦଳୀୟ ବିଧାୟକମାନେ ଅର୍ନ୍ତଘାତୀ କାର୍ଯ୍ୟ କରିଥିବାର ଦଳ ସନ୍ଦେହ କରୁଛି। ବରଗଡ଼ ଲୋକସଭା ଆସନ ଅନ୍ତର୍ଗତ ସମସ୍ତ ୭ଟି ଯାକ ବିଧାନସଭାରେ ବିଜେଡି ବିଧାୟକ ପ୍ରାର୍ଥୀମାନେ ଜିତିଛନ୍ତି। ଖୋଦ୍ ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ଏଠାରେ ୫୭ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ନବ ଦାସ, କିଶୋର ମହାନ୍ତି ଓ ସୁଶାନ୍ତ ସିଂଙ୍କ ଭଳି ଦଳର ଛାମୁଆ ନେତାମାନେ ଏଠାରୁ ବୃହତ୍ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ ମଧ୍ୟ ଦଳୀୟ ସାଂସଦ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାୟ ୬୪ହଜାର ଭୋଟ୍ ବ୍ୟବଧାନରେ ପରାଜିତ ହେବାକୁ ପଡ଼ିଲା। ସେହିପରି ଭୁବନେଶ୍ୱର ଲୋକସଭା ଆସନର ୭ଟି ବିଧାନସଭାରୁ ୬ଟି ବିଜେଡି ଓ ଗୋଟିଏରେ କଂଗ୍ରେସ ଜିତିଥିବାବେଳେ ଦଳୀୟ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ପ୍ରାୟ ୨୪ହଜାର ଭୋଟରେ ପରାଜିତ ହେବାକୁ ପଡ଼ିଲା। ମନ୍ତ୍ରୀ ଅଶୋକ ପଣ୍ଡା ନିଜେ ୭୫ହଜାର ଭୋଟ୍ ପାଇଥିବାବେଳେ ସାଂସଦ ପ୍ରାର୍ଥୀ ମାତ୍ର ୫୬ହଜାର ଭୋଟ୍ ପାଇଛନ୍ତି। ଭୁବନେଶ୍ୱର-ସେଣ୍ଟ୍ରାଲରୁ ଅନନ୍ତ ଜେନା ୫୪ହଜାର ଭୋଟ୍ ପାଇଛନ୍ତି କିନ୍ତୁ ସାଂସଦ ପ୍ରାର୍ଥୀ ଅରୂପଙ୍କୁ ମାତ୍ର ୪୩ହଜାର ଭୋଟ୍ ମିଳିଛି। ଭୁବନେଶ୍ୱର-ଉତ୍ତରରୁ ସୁଶାନ୍ତ ରାଉତ ୭୧ହଜାର ଭୋଟ୍ ପାଇଥିବାବେଳେ ଅରୂପଙ୍କୁ ୬୧ହଜାର, ଖୋର୍ଦ୍ଧାରେ ଜିତୁ ମିତ୍ରଙ୍କୁ ୮୪ହଜାର ଓ ଅରୂପଙ୍କୁ ୭୩ହଜାର ଭୋଟ୍ ମିଳିଛି।

ସେହିପରି କେନ୍ଦ୍ରାପଡ଼ାରେ ବିଜେଡି ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି ୧.୫୨ଲକ୍ଷ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ମଧ୍ୟ ଆଳି ବିଧାନସଭା ଆସନରେ ସବୁଠୁ କମ୍ ଭୋଟ୍ ପାଇଛନ୍ତି । ଆଳିରେ ପ୍ରତାପ ଦେବଙ୍କଠୁ ସେ ୭,୬୯୮ଖଣ୍ଡ କମ ଭୋଟ୍ ପାଇଥିବାବେଳେ ମହାକାଳପଡ଼ାରେ ଅତନୁ ସବ୍ୟସାଚୀ ନାୟକଙ୍କଠୁ ୫୭୧୦ଖଣ୍ଡ ଓ ମହାଙ୍ଗାରେ ପ୍ରତାପ ଜେନାଙ୍କଠୁ ୪୭୯୬ ଖଣ୍ଡ କମ୍ ଭୋଟ୍ ଅନୁଭବ ପାଇଛନ୍ତି। ସେହିପରି ପୁରୀରେ କଡ଼ା ମୁକାବିଲାରେ ବିଜେଡି ସାଂସଦ ପ୍ରାର୍ଥୀ ପିନାକୀ ମିଶ୍ର ମାତ୍ର ୧୧ହଜାର ଭୋଟରେ ବିଜୟୀ ହୋଇଥିବାବେଳେ ନୟାଗଡ଼ରେ ଅରୁଣ ସାହୁଙ୍କଠାରୁ ତାଙ୍କୁ କମ୍ ଭୋଟ୍ ମିଳିଛି।

ସେହିପରି କଟକରେ ବିଜେଡି ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ ୧.୨୧ଲକ୍ଷ ଭୋଟରେ ଜିତିଥିଲେ ମଧ୍ୟ ଖଣ୍ଡପଡ଼ାରେ ସୌମ୍ୟଙ୍କଠୁ ୧୦ହଜାର କମ୍ , ଆଠଗଡ଼ରେ ରାଜା ସ୍ୱାଇଁଙ୍କଠାରୁ ୮ ହଜାରରୁ କମ୍‌ ଓ ବଡ଼ମ୍ବାରେ ଦେବୀ ମିଶ୍ରଙ୍କଠୁ ୨ହଜାର କମ୍ ଭୋଟ୍ ପାଇଛନ୍ତି। ତେବେ ସାଂସଦ ପ୍ରାର୍ଥୀମାନଙ୍କ ଏହି ଭୋଟ କମିବାର ଉତ୍ତରଦାୟିତ୍ୱ ବିଧାୟକମାନେ ନିଜେ ମୁଣ୍ଡାଇବା ପରିବର୍ତ୍ତେ ନବୀନଙ୍କ ନିକଟରେ ନୂଆ ନୂଆ ବାହାନା ରଖୁଥିବା ବିଜେଡି ସୂତ୍ରରୁ ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos