ପୁରୁଖା ନୁହେଁ, ଏଣିକି ଯୁବଗୋଷ୍ଠୀ ହାତରେ ରହିବ ସଂଗଠନ

ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜ୍ୟରେ ଦୁଇ ଦଶନ୍ଧି ଧରି କ୍ଷମତାସୀନ ବିଜେଡି ଏବେ ସାଂଗଠନିକ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ମଧ୍ୟରେ ପ୍ରଥମଥର ୨ଟି ନୂଆ ସାଂଗଠନିକ ପଦବୀ ସୃଷ୍ଟି କରିଛି, ଯାହାକୁ ନେଇ ଦଳ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ଦଳର ବୟସ୍କ ଓ ପୁରୁଖା ନେତାଙ୍କୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରି ଦଳ ଏବେ ଦ୍ୱିତୀୟ ଧାଡ଼ିର ନେତାଙ୍କୁ ଆଗକୁ ଆଣି ସେମାନଙ୍କ ମାଧ୍ୟମରେ ସଂଗଠନକୁ ପରିଚାଳନା ନିମନ୍ତେ ରଣନୀତି ପ୍ରସ୍ତୁତ କରିଥିବାର ସନ୍ଦେଶ ଦେଇଛି। […]

politics

politics

Manoranjan Sial
  • Published: Friday, 15 November 2019
  • Updated: 15 November 2019, 10:36 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜ୍ୟରେ ଦୁଇ ଦଶନ୍ଧି ଧରି କ୍ଷମତାସୀନ ବିଜେଡି ଏବେ ସାଂଗଠନିକ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ମଧ୍ୟରେ ପ୍ରଥମଥର ୨ଟି ନୂଆ ସାଂଗଠନିକ ପଦବୀ ସୃଷ୍ଟି କରିଛି, ଯାହାକୁ ନେଇ ଦଳ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ଦଳର ବୟସ୍କ ଓ ପୁରୁଖା ନେତାଙ୍କୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରି ଦଳ ଏବେ ଦ୍ୱିତୀୟ ଧାଡ଼ିର ନେତାଙ୍କୁ ଆଗକୁ ଆଣି ସେମାନଙ୍କ ମାଧ୍ୟମରେ ସଂଗଠନକୁ ପରିଚାଳନା ନିମନ୍ତେ ରଣନୀତି ପ୍ରସ୍ତୁତ କରିଥିବାର ସନ୍ଦେଶ ଦେଇଛି। ଦୁଇ ପ୍ରଭାବଶାଳୀ ଯୁବନେତା ସଞ୍ଜୟ ଦାସବର୍ମା ଓ ପ୍ରଣବ ପ୍ରକାଶ ଦାସଙ୍କୁ ଯଥାକ୍ରମେ ମୁଖ୍ୟାଳୟ ସାଧାରଣ ସମ୍ପାଦକ ଓ ସଂଗଠନ ସାଧାରଣ ସମ୍ପାଦକ ପଦବୀରେ ଅବସ୍ଥାପିତ କରି ଦଳୀୟ ନେତା ଓ କର୍ମୀମାନଙ୍କୁ ସେମାନଙ୍କ ଆପତ୍ତି ଅଭିଯୋଗ ଶୁଣିବାର ଏକ ବିକଳ୍ପ ମାର୍ଗ ଦେଇଥିବା ଜଣାପଡ଼ିଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦଳ ଖୁବଶୀଘ୍ର ସାଂଗଠନିକ ନିର୍ବାଚନ ପାଇଁ ନିଜର କାର୍ଯ୍ୟସୂଚୀ ଜାରି କରିବ। ଏବେ ସଭ୍ୟ ସଂଗ୍ରହ ଅଭିଯାନ ଜାରି ରହିଥିବାବେଳେ ଚଳିତମାସ ଶେଷ ସୁଦ୍ଧା ସାଂଗଠନିକ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଦଳର ନବନିଯୁକ୍ତ ନିର୍ବାଚନ ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ ଘୋଷଣା କରିବେ। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ସରକାର ଏବେ ନିଜର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କ ନିକଟରେ ନିଜର ଉତ୍ତରଦାୟିତ୍ୱ ନିର୍ବାହ କରିବା ଦିଗରେ କାର୍ଯ୍ୟ କରୁଥିବାବେଳେ ଦଳର ନେତା ଓ କର୍ମୀମାନେ ସେମାନଙ୍କର ଆପତ୍ତି-ଅଭିଯୋଗ କାହା ନିକଟରେ ଉପସ୍ଥାପନ କରିବେ ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହୁଥିଲା। ହାତଗଣତି ନେତାଙ୍କୁ ବାଦ୍ ଦେଲେ ନବୀନଙ୍କ ପାଖରେ ପହଞ୍ôଚବା କିମ୍ବା ସାଂଗଠନିକ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆପତ୍ତି ଅଭିଯୋଗ କରିବା ଦଳର ଅନ୍ୟମାନଙ୍କ ପାଇଁ ଏକପ୍ରକାର ଅସମ୍ଭବ ଥିବାରୁ ତାକୁ ନେଇ ସଂଗଠନରେ ତୀବ୍ର ଅସନ୍ତୋଷ ଲାଗି ରହିଥିଲା। ଏପରିକି ବିଜେଡି ଓ ସରକାରର ଦ୍ୱିତୀୟ କ୍ଷମତାକେନ୍ଦ୍ର କୁହାଯାଉଥିବା ନବୀନଙ୍କ ମୁଖ୍ୟ ପରାମର୍ଶଦାତା ବି ବିଭିନ୍ନ ବାଧ୍ୟବାଧକତା ଯୋଗୁ ଖୋଲାଖୋଲି ଭାବେ ସାଂଗଠନିକ କାର୍ଯ୍ୟରେ ସାମିଲ ହୋଇପାରୁନାହାନ୍ତି। ଯେଉଁଥିପାଇଁ ଦଳର ଏହି ଯୁବନେତାମାନଙ୍କ ମାଧ୍ୟମରେ ସଂଗଠନ ଉପରେ ନିଜର କର୍ତ୍ତୃତ୍ୱ ବଳବତ୍ତର ରଖିବା ପାଇଁ ବିଜେଡି ନେତୃତ୍ୱ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

ବିଜେଡିରେ ଏପର୍ଯ୍ୟନ୍ତ କୌଣସି ନେତାଙ୍କୁ ସଂଗଠନ କିମ୍ବା ମୁଖ୍ୟାଳୟ ଦାୟିତ୍ୱ ଦିଆଯାଇନଥିବାବେଳେ ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ବିଶ୍ୱସ୍ତ କୁହାଯାଉଥିବା ପ୍ରଣବ ପ୍ରକାଶ ଦାସ ଓ ନବୀନଙ୍କ ଫେଭରାଇଟ୍ ତାଲିକାରେ ଥିବା ସଞ୍ଜୟ ଦାସବର୍ମାଙ୍କ ମାଧ୍ୟମରେ ଦଳୀୟ ସଂଗଠନକୁ ପରିଚାଳନା କରିବାକୁ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ ହୋଇଛି। ନିର୍ବାଚନ ରିଟର୍ଣ୍ଣିଂ ଅଫିସର ଭାବେ ପୂର୍ବରୁ ଦାୟିତ୍ୱ ତୁଲାଇଥିବା ପ୍ରତାପ କେଶରୀ ଦେବଙ୍କୁ ମଧ୍ୟ ତୃତୀୟ ମହଲା ବିଶ୍ୱାସକୁ ନେଇଛି। ତୃତୀୟ ମହଲା ନିଜର କାନ,ନାକ ଓ ଆଖି ଭାବେ ଯଥାକ୍ରମେ ସଞ୍ଜୟ, ପ୍ରଣବ ଓ ପ୍ରତାପଙ୍କ ମାଧ୍ୟମରେ ସଂଗଠନକୁ ସୁଦୃଢ଼ କରି କର୍ମୀ ଓ ନେତାମାନଙ୍କୁ ସନ୍ତୁଷ୍ଟ କରିବାକୁ ଯୋଜନା କରିଛନ୍ତି। ଜିଲ୍ଲା ସଂଗଠନଗୁଡ଼ିକ ସମାନ୍ତରାଳ ଓ ପରସ୍ପରବିରୋଧୀ ଭାବେ କାର୍ଯ୍ୟ କରୁଥିବାରୁ କର୍ମୀ ଓ ନେତାମାନେ ନିଜକୁ ଅଣନିଶ୍ୱାସୀ ମନେକରୁଛନ୍ତି। ସେମାନେ ନିଜର ଅଭିଯୋଗ କିମ୍ବା ଆପତ୍ତି ସମ୍ପର୍କରେ ଦଳୀୟ ସୁପ୍ରିମୋଙ୍କୁ ଅବଗତ କରିବାର ସୁଯୋଗ ମଧ୍ୟ ପାଉନାହାନ୍ତି।

ବିଜେଡି ସୁପ୍ରିମୋଙ୍କ ସାଂଗଠନିକ ବ୍ୟାପାର ବୁଝୁଥିବା ଅଫିସରରୁ ରାଜନେତା ପାଲଟିଥିବା ଗୋଷ୍ଠୀ ବି ଏସବୁ ଅସନ୍ତୋଷକୁ ପ୍ରଶମିତ କରିବା ପରିବର୍ତ୍ତେ ନିଜର ଆତ୍ମବଡ଼ିମା ଦେଖାଉଥିବାରୁ ସେମାନଙ୍କ ପାଖକୁ ଯିବାକୁ ଦଳୀୟ କର୍ମୀ ଓ ନେତାମାନେ କୁଣ୍ଠାବୋଧ କରିବାରେ ଲାଗିଛନ୍ତି। ଯାହାକୁ ଦୃଷ୍ଟିରେ ରଖି ଏବେ ସଞ୍ଜୟ,ପ୍ରଣବ ଓ ପ୍ରତାପଙ୍କ ମାଧ୍ୟମରେ ଦଳୀୟ କର୍ମୀ ଓ ନେତାଙ୍କ ସମସ୍ୟାର ସମାଧାନ ସହ ସବୁ ଗୋଷ୍ଠୀକୁ ସନ୍ତୁଷ୍ଟ ପାଇଁ ପ୍ରୟାସ ହୋଇଛି। ଏପରିକି ସାଂଗଠନିକ ନିର୍ବାଚନରେ କେଉଁ ନେତାଙ୍କୁ ରାଜ୍ୟ କମିଟିକୁ ଅଣାଯିବ, ରାଜ୍ୟ ଓ ଜିଲ୍ଲାସ୍ତରର ସଂଗଠନର ବିଭିନ୍ନ ପଦପଦବୀରେ କିଏ ସ୍ଥାନ ପାଇବ ସେସବୁ ନିଷ୍ପତ୍ତି ଏହି ୩ ନେତାଙ୍କ ମାଧ୍ୟମରେ ସମ୍ପାଦନ ହେବ ବୋଲି ଜଣାପଡ଼ିଛି।

ଦଳର ଶୀର୍ଷସ୍ତରୀୟ ନେତାମାନେ ଏବେ ସାଂଗଠନିକ ପ୍ରକ୍ରିୟାରୁ ସମ୍ପୂର୍ଣ୍ଣ ଭାବେ ବାଦ୍ ପଡ଼ିଥିବାବେଳେ ପ୍ରଥମ ଧାଡ଼ିର ନେତାମାନଙ୍କର ଗୁରୁତ୍ୱକୁ ହ୍ରାସ କରି ଏବେ ଦ୍ୱିତୀୟ ଧାଡ଼ି(ଯୁବବର୍ଗ)ଙ୍କୁ ସାଂଗଠନିକ ଦାୟିତ୍ୱ ଦିଆଯାଇଛି। ତେବେ ସଂଗଠନ ଓ ମୁଖ୍ୟାଳୟ ଦାୟିତ୍ୱରେ ଥିବା ପ୍ରଣବ ଓ ସଞ୍ଜୟ ଏବଂ ନିର୍ବାଚନ ଦାୟିତ୍ୱରେ ଥିବା ପ୍ରତାପ କେବଳ ‘ସଖି କଣ୍ଢେଇ’ ଭଳି ତୃତୀୟ ମହଲାର ମୋହରା ସାଜିବେ ନା ବାସ୍ତବରେ ସଂଗଠନକୁ ସଜାଡ଼ିବା ଓ ଦଳୀୟ ନେତାମାନଙ୍କ ଅସନ୍ତୋଷକୁ ଦୂର କରିବା ଦିଗରେ ପଦକ୍ଷେପ ନେବେ ତାହା ଉପରେ ସମସ୍ତଙ୍କ ନଜର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos