ବର୍ଷିଲେ ବିଜୟ ମହାପାତ୍ର; କହିଲେ- ସରକାରଙ୍କ ଜାଣତରେ ସବୁ କିଛି ହୋଇଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୟେସ୍ ବ୍ୟାଙ୍କରେ ଥିବା ଶ୍ରୀଜଗନ୍ନାଥଙ୍କ ଟଙ୍କା ନେଇ ପୁଣି ଥରେ ବର୍ଷିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଏପ୍ରକାର ସଙ୍ଗୀନ ମାମଲାରେ ଏଯାଏ ସରକାର କୌଣସି ସ୍ପଷ୍ଟୀକରଣ ରଖିନାହାନ୍ତି। ତେଣୁ ଏସବୁ ସରକାରଙ୍କ ଜାଣତରେ ହୋଇଥିବା ଅଭିଯୋଗ କରିଛନ୍ତି ବିଜୟ ।

ଜଗନ୍ନାଥଙ୍କ ପାଣ୍ଠିରେ ଅନିୟମିତତା ହୋଇଥିବା ନେଇ ୨୦୧୫ ମସିହାରେ ଏଜି ଜଣାଇଥିଲେ। ସରକାର କାହିଁକି ୫ ବର୍ଷ ଚୁପ୍ ରହିଲେ ତାକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ବିଜୟ । ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ୨ ସରକାରୀ କର୍ମଚାରୀ ଆଡ଼କୁ ସେ ଅଙ୍ଗୁଳି ଉଠାଇଛନ୍ତି।  ଶ୍ରୀମନ୍ଦିର ଟଙ୍କାକୁ ନେଇ ଅଭିଯୁକ୍ତମାନେ କାହିଁକି ଗିରଫ ହେବେନି ବୋଲି ସେ ପ୍ରଶ୍ନ କରିଛନ୍ତି।

ମନ୍ଦିରକୁ ଲୁଟ କରିବାକୁ ରାଜ୍ୟ ସରକାରଙ୍କ ଏକ କୋଟେରୀ ବା ଗ୍ୟାଙ୍ଗ ତିଆରି କରିଥିବା ସନ୍ଦେହ ସୃଷ୍ଟି ହେଉଛି।  ଯାହାଦ୍ୱାରା ଏପରି କାମ ହେଉଥିବା କହିଛନ୍ତି ବିଜୟ। ଇଡି ହସ୍ତକ୍ଷେପ କଲେ ବହୁ ବିସ୍ଫୋରକ ତଥ୍ୟ ପଦାକୁ ଆସିବ ବୋଲି ସେ କହିଛନ୍ତି। ୟେସ୍‌ ବ୍ୟାଙ୍କ ବୁଡ଼ିବା ସ୍ଥିତିକୁ ଚାଲି ଆସିଥିବା ବେଳେ ତାହାର ଅଧିକାରୀମାନଙ୍କୁ ଜେରା କରାଯାଇଛି। କିନ୍ତୁ ଏଥିରେ ଶ୍ରୀଜଗନ୍ନାଥଙ୍କ ଟଙ୍କା ରଖିଥିବା ଅଧିକାରୀଙ୍କୁ କୌଣସି ପଚରାଉଚରା କରାଯାଇ ନାହିଁ।

ଜଗନ୍ନାଥଙ୍କ ସହ ଓଡ଼ିଶାବାସୀଙ୍କ ଭାବାବେଗ ଜଡ଼ିତ। ସରକାରଙ୍କ ଜ୍ଞାତସାରରେ ଜଗନ୍ନାଥଙ୍କ କୋଟି କୋଟି ଟଙ୍କା ଏହି ଘରୋଇ ବ୍ୟାଙ୍କରେ ରହିଛି। କିନ୍ତୁ ସରକାର ଏହି ଟଙ୍କା ଫେରାଇ ଆଣିବାକୁ ତତ୍ପରତା ପ୍ରକାଶ କରୁ ନ ଥିବା ଆଶ୍ଚର୍ଯ୍ୟ ଲାଗୁଥିବା କହିଛନ୍ତି ଏହି ବରିଷ୍ଠ ବିଜେପି ନେତା।

ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ସମୀର ଦାଶ। ରାଜ୍ୟ ସରକାର ଟଙ୍କା ଉଠାଇବା ନେଇ ଆରବିଆଇ ସହ ଆଲୋଚନା କରିଛନ୍ତି। ଟଙ୍କା ରଖିବା ନିଷ୍ପତ୍ତି ମନ୍ଦିର ପରିଚାଳନା କମିଟିର ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।