‘ପୁରୁଣା ପ୍ରକଳ୍ପକୁ ମଞ୍ଜୁରୀ ଦେଇ ଓଡ଼ିଆଙ୍କୁ ଭୁଆଁ ବୁଲାଉଛନ୍ତି ରାଜ୍ୟ ସରକାର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଦୁଇ ଦିନ ତଳେ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶକୁ ମଞ୍ଜୁରୀ ଦେଇଛନ୍ତି। ସେଥିରେ ପାରାଦୀପ ରିଫାଇନାରୀର ପରିବର୍ଦ୍ଧିତ ପ୍ରକଳ୍ପ, ହଳଦିଆ ପେଟ୍ରୋକେମିକାଲ ଓ ତାଳଚେର ଫର୍ଟିଲାଇଜର ରହିଛି। ଏହି ପ୍ରକଳ୍ପ ଗୁଡ଼ିକୁ କେନ୍ଦ୍ର ସରକାର ପୂର୍ବରୁ ମଞ୍ଜୁରୀ ଦେଇ ରାଜ୍ୟସରକାରଙ୍କ ଏନ୍‌ଓସିକୁ ଅପେକ୍ଷା କରିଥିଲେ। ମାତ୍ର ରାଜ୍ୟ ସରକାର ଏଥିପାଇଁ ଗ୍ରୀନ୍‌ ସିଗ୍‌ନାଲ୍‌ ଦେଉନଥିଲେ। ଏବେ ରାଜ୍ୟ ସରକାର, କେନ୍ଦ୍ର ସରକାରଙ୍କର ପୁରୁଣା ପ୍ରକଳ୍ପ ଗୁଡ଼ିକୁ ମଞ୍ଜୁରୀ ଦେଇ […]

paradeep

paradeep

Manoranjan Sial
  • Published: Wednesday, 21 August 2019
  • Updated: 21 August 2019, 05:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଦୁଇ ଦିନ ତଳେ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶକୁ ମଞ୍ଜୁରୀ ଦେଇଛନ୍ତି। ସେଥିରେ ପାରାଦୀପ ରିଫାଇନାରୀର ପରିବର୍ଦ୍ଧିତ ପ୍ରକଳ୍ପ, ହଳଦିଆ ପେଟ୍ରୋକେମିକାଲ ଓ ତାଳଚେର ଫର୍ଟିଲାଇଜର ରହିଛି। ଏହି ପ୍ରକଳ୍ପ ଗୁଡ଼ିକୁ କେନ୍ଦ୍ର ସରକାର ପୂର୍ବରୁ ମଞ୍ଜୁରୀ ଦେଇ ରାଜ୍ୟସରକାରଙ୍କ ଏନ୍‌ଓସିକୁ ଅପେକ୍ଷା କରିଥିଲେ। ମାତ୍ର ରାଜ୍ୟ ସରକାର ଏଥିପାଇଁ ଗ୍ରୀନ୍‌ ସିଗ୍‌ନାଲ୍‌ ଦେଉନଥିଲେ। ଏବେ ରାଜ୍ୟ ସରକାର, କେନ୍ଦ୍ର ସରକାରଙ୍କର ପୁରୁଣା ପ୍ରକଳ୍ପ ଗୁଡ଼ିକୁ ମଞ୍ଜୁରୀ ଦେଇ ଓଡ଼ିଆଙ୍କୁ ଭୁଆଁ ବୁଲାଉଛନ୍ତି। କେନ୍ଦ୍ର ସରକାରଙ୍କ ପ୍ରକଳ୍ପ ଗୁଡ଼ିକୁ ବିଳମ୍ୱରେ କାର୍ଯ୍ୟନ୍ୱୟନ କରି ରାଜ୍ୟ ସରକାର ଓଡ଼ିଶାର ବିକାଶରେ ଆଡ଼ିକାଠ ପକାଉଛନ୍ତି ବୋଲି ବିଜେପିର ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି-“କେନ୍ଦ୍ର ସରକାରଙ୍କର ପୁରୁଣା ପ୍ରକଳ୍ପ ଗୁଡ଼ିକୁ ମଞ୍ଜୁରୀ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଳେ ନାଁ ନେଇଯିବେ, ସେଥିଲାଗି ହୀନ ମାନସିକତା ରଖି ଏହି ପ୍ରକଳ୍ପଗୁଡିକୁ ରାଜ୍ୟସରକାର ଅଟକାଇ ରଖିଥିଲେ। ସେହି ସବୁ ପ୍ରକଳ୍ପକୁ ମଞ୍ଜୁରୀ ଦେଇ ଆଜି ଓଡ଼ିଆ ଲୋକଙ୍କୁ ଭୁଆଁ ବୁଲାଇବାକୁ ଅପଚେଷ୍ଟା କରୁଛନ୍ତି ରାଜ୍ୟସରକାର। ତାମିଲ କମ୍ପାନୀଠାରୁ ଆରମ୍ଭ କରି ବିଭିନ୍ନ ଘରୋଇ କମ୍ପାନୀମାନଙ୍କୁ ବିନା ଅସୁବିଧାରେ ରାଜ୍ୟ ସରକାର ଏନ୍‌ଓସି ଦେଉଥିବା ବେଳେ କେନ୍ଦ୍ରୀୟ ପ୍ରକଳ୍ପକୁ ଏନ୍‌ଓସି ଦେବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଷ୍ଟ ହେଉଥିଲା। ରାଜ୍ୟ ସରକାର ନିରବ ମୋଦିଙ୍କ ସାଙ୍ଗରେ ଏମ୍‌ଓୟୁ କରି ୬୦-୭୦ ଏକର ବହୁମୂଲ୍ୟ ସମ୍ପତ୍ତି ଦେଲେ। କିନ୍ତୁ କେନ୍ଦ୍ରୀୟ ପ୍ରକଳ୍ପ ପାଇଁ ବାଧକ ସାଜିଲେ।”

ସେ ଆହୁରି କହିଛନ୍ତି-“ଭଦ୍ରକର ଜାତୀୟ ରାଜପଥ କଡରେ ୧୯୭୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଟେକ୍ସଟାଇଲ ପାର୍କ ପାଇଁ ଆବଶ୍ୟକ ହେଉଥିବା ୭୫ ଏକର ଜମି ଓଡ଼ିଶା ସରକାର ଯୋଗାଇ ନାହାନ୍ତି। ଡେରାଶରେ ମୋରାଇନ୍‌ ଫୁଡ୍‌ ପ୍ରୋସୋସିଂ ପ୍ଲାଣ୍ଟ୍‌ ନିର୍ମାଣ ହେଲେ ଓଡ଼ିଆମାନେ ଚିଙ୍ଗୁଡି କାରଖାନା କରି କାମ କରିପାରନ୍ତେ। ଭାରତ ସରକାର ପଇସା ଖର୍ଚ୍ଚ କରିବାକୁ ରାଜି ଥିଲେ ମଧ୍ୟ ରାଜ୍ୟ ସରକାର ଏଥିପାଇଁ ସହଯୋଗର ହାତ ବଢ଼ାଉ ନାହାନ୍ତି। ମୁଖ୍ୟମନ୍ତ୍ରୀ ବକ୍ସି ଜଗବନ୍ଧୁଙ୍କ ସ୍ମାରକୀ ପାଇଁ ମାଗଣାରେ ଜମି ଦେବେ ବୋଲି କହିଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ଜମି ଯୋଗାଇନାହାନ୍ତି।”

ଶ୍ରୀ ମହାନ୍ତି ଆହୁରି କହିଛନ୍ତି-“ଏନ୍‌ଟିପିସିର ୧୦ ହଜାର କୋଟି ଟଙ୍କା ବ୍ୟୟରେ ୧୩୨୦ ମେଗାୱାଟ ତାଳଚେର ପ୍ରକଳ୍ପର ସଂପ୍ରସାରଣରେ ରାଜ୍ୟ ସରକାର ସହଯୋଗ କରୁନାହାନ୍ତି। ଦାମନଯୋଡ଼ି ଆଲୁମିନିୟମ ରିଫାଇନାରୀ ପ୍ରକଳ୍ପ ୨୦୧୭ରୁ ରାଜ୍ୟ ସରକାରଙ୍କ ଅସହଯୋଗ କାରଣରୁ ସ୍ଥଗିତ ରହିଛି। ରାଜ୍ୟ ସରକାର ଶିଳ୍ପାୟନକୁ ପ୍ରୋତ୍ସାହନ ଦେଉଥିବା କହୁଥିବା ବେଳେ ନାଲକୋକୁ ସହଯୋଗ କରୁନାହାନ୍ତି।”

ସେ ଆହୁରି କହିଛନ୍ତି-“ଫାଇଲ ରକେଟ ଗତିରେ ଦୌଡ଼ିବ ବୋଲି କିଛିଦିନ ତଳେ ମୁଖ୍ୟ ଶାସନ ସଚିବ କହିଥିଲେ। ହେଲେ ସଡ଼କ, ପରିବହନ ଓ ରାଜପଥରେ ୫୬ ହଜାର ୫୬୩ କୋଟି, ରେଳବାଇରେ ୧୨ ହଜାର ୨୮୬ କୋଟି, ଅଣ ପେଟ୍ରୋଲିୟମ ନିବେଶରେ ୧୫ ହଜାର ୪୧୩ କୋଟି, ସ୍ୱାସ୍ଥ୍ୟ ଓ ଶିକ୍ଷାରେ ୫୬୦ କୋଟି ଏବଂ ପାଇକ ବିଦ୍ରୋହ ସ୍ମାରକୀ ପାଇଁ ୨୦୦ କୋଟି ଟଙ୍କାର ପ୍ରକଳ୍ପର ଫାଇଲ୍‌ ଅଟକିଛି କାହିଁକି? ଏହି ସବୁ ଫାଇଲକୁ ରାଜ୍ୟ ସରକାର ରକେଟ ଗତିରେ ଦୌଡାଇବେ କି?”

ପୁଞ୍ଜି ନିବେଶ ପାଇଁ କେନ୍ଦ୍ରରେ ମୋଦି ସରକାର ଓଡ଼ିଶାକୁ ପ୍ରାଥମିକତା ଦେଇ ଆସିଛନ୍ତି। ଓଡ଼ିଶାର ଦ୍ରୁତ ବିକାଶ ପାଇଁ ୨୦୧୪ ମସିହାରୁ ମୋଦି ସରକାରଙ୍କର ନିଷ୍ଠାପର ଉଦ୍ୟମ ସତ୍ତ୍ୱେ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପର ଫାଇଲ ଉପରେ ମୁଖ୍ୟମନ୍ତ୍ରୀ ବସି ରହି ରାଜ୍ୟର ବିକାଶକୁ ବାଟବଣା କରିଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos