ରାଜ୍ୟ ସରକାରଙ୍କ ଋଣ ପରିଚାଳନାକୁ ସିଏଜିଙ୍କ ଭର୍ତ୍ସନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଏକ ଆର୍ଥିକ ଦୁର୍ବଳ ରାଜ୍ୟ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ପ୍ରତିବର୍ଷ ନିୟମିତ ଭାବେ ବୃହତ୍ ଜମା ରାଶିକୁ ଖର୍ଚ୍ଚ ନକରି ପକାଇ ରଖିଛନ୍ତି। ଏପରିକି ଅର୍ଥ କମିଶନଙ୍କ ସୁପାରିସକୁ ଉଲ୍ଲଘଂନ କରି ଓ ନିଜର ବଳକା ଅର୍ଥକୁ ଖର୍ଚ୍ଚ ନକରି ଚଢ଼ା ସୁଧହାରରେ ଋଣ ଆଣିବାକୁ ପଛାଇନାହାନ୍ତି। ସରକାରୀ ଉଦ୍ୟୋଗକୁ ଋଣ ଓ ଅଗ୍ରୀମ ଦେବାବେଳେ ବି ଆବଶ୍ୟକ ସର୍ତ୍ତାବଳୀକୁ ପାଳନ କରୁନାହାନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଘଂନ କରି ବ୍ୟକ୍ତିଗତ ଆକାଉଣ୍ଟରେ […]

cag

cag

Manoranjan Sial
  • Published: Thursday, 28 November 2019
  • Updated: 28 November 2019, 09:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଏକ ଆର୍ଥିକ ଦୁର୍ବଳ ରାଜ୍ୟ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ପ୍ରତିବର୍ଷ ନିୟମିତ ଭାବେ ବୃହତ୍ ଜମା ରାଶିକୁ ଖର୍ଚ୍ଚ ନକରି ପକାଇ ରଖିଛନ୍ତି। ଏପରିକି ଅର୍ଥ କମିଶନଙ୍କ ସୁପାରିସକୁ ଉଲ୍ଲଘଂନ କରି ଓ ନିଜର ବଳକା ଅର୍ଥକୁ ଖର୍ଚ୍ଚ ନକରି ଚଢ଼ା ସୁଧହାରରେ ଋଣ ଆଣିବାକୁ ପଛାଇନାହାନ୍ତି। ସରକାରୀ ଉଦ୍ୟୋଗକୁ ଋଣ ଓ ଅଗ୍ରୀମ ଦେବାବେଳେ ବି ଆବଶ୍ୟକ ସର୍ତ୍ତାବଳୀକୁ ପାଳନ କରୁନାହାନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଘଂନ କରି ବ୍ୟକ୍ତିଗତ ଆକାଉଣ୍ଟରେ ସାଢ଼େ ୧୩ହଜାର କୋଟି ଟଙ୍କା ରଖିଛନ୍ତି। କେତେକ କାର୍ଯ୍ୟକ୍ରମ ପାଇଁ ପ୍ରତିବର୍ଷ ବଜେଟ୍ ବ୍ୟବସ୍ଥା କରି ସେଥିରୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ସରକାର ପଛାଇନଥିବା ଭଳି ସାଂଘାତିକ ତଥ୍ୟକୁ ସିଏଜି ଉଜାଗର କରିଛନ୍ତି।

ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୮ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟ ଆର୍ଥିକ ସ୍ଥିତିର ଲେଖାପରୀକ୍ଷା ପ୍ରତିବେଦନ ରିପୋର୍ଟକୁ ଉପସ୍ଥାପନ କରିଥିଲେ। ଏହାପରେ ଓଡ଼ିଶା ମହାଲେଖାକାର ବିଭୂଦତ୍ତ ବସନ୍ତିଆ ଓ ଅନ୍ୟ ପଦାଧିକାରୀମାନେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ୨୦୧୮ ମାର୍ଚ୍ଚ ମାସ ଶେଷରେ ରାଜ୍ୟ ସରକାରଙ୍କ ପାଖରେ ୩୦,୮୪୮କୋଟି ଟଙ୍କା ବଳକା ଥିଲା। ୨୦୧୭ ମାର୍ଚ୍ଚ ଶେଷ ସୁଦ୍ଧା ୧୪,୬୦୧ କୋଟି ଟଙ୍କା ଓ ୨୦୧୬ ମାର୍ଚ୍ଚ ଶେଷ ସୁଦ୍ଧା ୧୨,୦୪୭କୋଟି ଟଙ୍କା ବଳକା ଥିଲା। ରାଜ୍ୟ ସରକାରଙ୍କ ପାଖରେ ପ୍ରତିବର୍ଷ ନିୟମିତ ଭାବେ ବିପୁଳ ପରିମାଣର ଅର୍ଥ ବଳକା ରହୁଥିବାବେଳେ ଏହାକୁ ସଠିକ ଉପଯୋଗ କରୁନଥିବାରୁ ବିତ୍ତୀୟ ନିଅଣ୍ଟ ରାଜ୍ୟ ଭାବେ ପରିଗଣିତ ହେଉଛି। ତ୍ରୟୋଦଶ ଅର୍ଥ କମଇଶନ ସୁପାରିସ୍ କରିଥିଲେ ଯେ ଅଧିକ ଟଙ୍କା ବଳକା ଥିବା ରାଜ୍ୟମାନେ ସଦ୍ୟ ଋଣ କରିବା ପୂର୍ବରୁ ବଳକା ଥିବା ଟଙ୍କାକୁ ବ୍ୟବହାର କରିବା ପାଇଁ ପଦକ୍ଷେପ ନେବା ଉଚିତ୍। ରାଜ୍ୟ ସରକାରଙ୍କ ପାଖରେ ସାଧାରଣରେ ବଳକା ଥିବା ପ୍ରାୟ ୨୫,୩୦୫କୋଟି ଟଙ୍କାରୁ ମୁକ୍ତ ବଳକା ଟଙ୍କା ୧୩,୪୩୬ କୋଟି ଟଙ୍କା ରହିଥିଲା । ତଥାପି ରାଜ୍ୟ ସରକାର ଅର୍ଥ କମିଶନଙ୍କ ସୁପାରିସକୁ ଉଲ୍ଲଘଂନ କରି ୬.୯୪%ରୁ ୮.୨୪ ପ୍ରତିଶତ ସୁଧ ହାରରେ ୧୨,୦୧୩ କୋଟି ଟଙ୍କା ଋଣ ଆଣିବାକୁ ପଛାଇ ନାହାନ୍ତି। ୨୦୧୭-୧୮ରେ ବକେୟା ଋଣ ପରିମାଣ ୫୨,୧୯୦କୋଟିଟଙ୍କା ଥିବାବେଳେ ୨୦୧୬-୧୭ରେ ଏହା ୪୨,୦୧୮କୋଟି ଟଙ୍କା ଥିଲା । ଯାହାକି ୨୪.୨୧ ପ୍ରତିଶତ ଅଧିକ। ମୋଟ ଘରୋଇ ଉତ୍ପାଦର ବୃଦ୍ଧି ହାରଠାରୁ ଏହି ଋଣ ଆହରଣ ହାର ଅଧିକ ଥିଲା ବୋଲି ସିଏଜି କହିଛନ୍ତି।

ସେହିପରି ସାଧାରଣ ବିତ୍ତୀୟ ନିୟମ ଅନୁସାରେ ଋଣ ନେଉଥିବା ସଂସ୍ଥା ଯେପର୍ଯ୍ୟନ୍ତ ଋଣ ସର୍ତ୍ତ ଗ୍ରହଣର ଲିଖିତ ଅଙ୍ଗୀକାର ପ୍ରଦାନ ନକରିଛି ସେପର୍ଯ୍ୟନ୍ତ କୌଣସି ଋଣ ଓ ଅଗ୍ରୀମ ମଞ୍ଜୁର କରାଯିବ ନାହିଁ। ତେବେ ଅଡିଟବେଳେ ଜଣାପଡ଼ିଛି ଯେ ମୋଟ ୬୩୨୬କୋଟି ଟଙ୍କା ଋଣ ମଧ୍ୟରୁ ୨୦୧୮ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ୧୬୦୦.୬୬କୋଟି ଟଙ୍କାର ଋଣ ପ୍ରଦାନର ସର୍ତ୍ତ ନିର୍ଦ୍ଧାରଣ ହୋଇନାହିଁ । ଏଥିରେ ଓଡ଼ିଶା ଜଳବିଦ୍ୟୁତ ନିଗମକୁ ଦିଆଯାଇଥିବା ୧୨୭୮.୩୬କୋଟି ଟଙ୍କା ଋଣ ସାମିଲ ଅଛି, ଯାହାକି ୧୯୯୬-୯୭ ମସିହାରେ ଦିଆଯାଇଥିଲା। ଏହା ସରକାରଙ୍କ ଋଣ ଓ ଅଗ୍ରୀମ ଅସୁଲି କାରବାରର ଖାମଖିଆଲି ମନଭାବକୁ ସୂଚିତ କରୁଛି ବୋଲି ସିଏଜି କହିଛନ୍ତି।

ସେହିପରି ବ୍ୟକ୍ତିଗତ ଜମା ଆକାଉଣ୍ଟରେ ପାଣ୍ଠି ଦୀର୍ଘସମୟ ଧରି ନରଖିବା ପାଇଁ ଉଦ୍ଦିଷ୍ଟ ନିୟମକୁ ବାରମ୍ବାର ଉଲ୍ଲଘଂନ କରାଯାଇଛି। ୨୦୧୮ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ୮୩୬ଟି ବ୍ୟକ୍ତିଗତ ଜମା ଆକାଉଣ୍ଟରେ ମୋଟ ୧୩,୫୦୯.୩୫ କୋଟି ଟଙ୍କା ଜମା ରହିଥିଲା। ଏଥିରୁ ଓଡ଼ିଶା ମିନେରାଲ ବିୟରିଂ ଏରିଆଜ୍ ଡେଭଲପମେଣ୍ଟ କର୍ପୋରେସନ(ଓଏମବିଏଡିସି)ର ସିଇଓଙ୍କ ଆକାଉଣ୍ଟରେ ୧୧୫୬୮କୋଟି ଟଙ୍କା ଜମା ଥିଲା। ୧୧୩ଟି ସହରାଞ୍ଚଳ ସ୍ୱାୟତ୍ତ ସଂସ୍ଥାର ବ୍ୟକ୍ତିଗତ ଜମା ଆକାଉଣ୍ଟରେ ୭୪୩କୋଟି, ବ୍ଲକର ଜମା ଆକାଉଣ୍ଟରେ ୨୮୩କୋଟି ଟଙ୍କା, ଆଇଟିଡିଏ ସଂସ୍ଥାର ୧୧୧ଟି ବ୍ୟକ୍ତିଗତ ଆକାଉଣ୍ଟରେ ୮୩୫.୧୭କୋଟି ଟଙ୍କା ଜମା ରହିଥିବା ସିଏଜି ଦର୍ଶାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos