ଜୟପୁର(ଓଡ଼ିଶା ରିପୋର୍ଟର): ଜନ୍ମ ଦିନରେ ଡାକିନେଲା ଯମ। ସାଥୀ ହୋଇ ଆସିଥିଲେ, ସାଥୀ ହୋଇ ଚାଲିଗଲେ ଦୁଇ ସାଙ୍ଗ। ସେମାନଙ୍କ ଜନ୍ମ ଗୋଟିଏ ଦିନରେ ହୋଇଥିଲେ। ଆଉ ଏକା ଦିନରେ ସାଥୀ ହୋଇ ଆରପାରିକୁ ଚାଲିଗଲେ। କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟର ଦୁଇ ପ୍ରିୟ ସାଥୀ ନିହାରିକା ଭଞ୍ଜ ଓ ଏସ୍. ଜୟଶ୍ରୀ ମାଟ୍ରିକ ପରୀକ୍ଷା ପାଇଁ ଆଜି ଆଡମିଟ୍କାର୍ଡ଼ ନେବାକୁ ସ୍କୁଲକୁ ଆସିଥାନ୍ତେ। ହେଲେ ସେମାନଙ୍କୁ ଦିଆଗଲା ଲୁହଭରା ଶ୍ରଦ୍ଧାଞ୍ଜଳି। ଗତକାଲି ସ୍କୁଲରୁ ବିଦାୟକାଳୀନ ସମ୍ୱର୍ଦ୍ଧନା ସାରି କାରରେ ଫେରୁଥିବା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ସାଙ୍ଗଙ୍କର ଅକାଳରେ ମୃତ୍ୟୁ ହୋଇଛି। ସ୍କୁଲର ଆଉ ଜଣେ ଦଶମ ଶ୍ରେଣୀ ଛାତ୍ର ରୁବେନ ପାତ୍ର ଓ ଦ୍ୱାଦଶରେ ପଢୁଥିବା ତାଙ୍କ ବଡ଼ ଭାଇ ରାଜୀବଙ୍କ ମୃତ୍ୟୁ ସ୍ତବ୍ଧ କରିଦେଇଛି ସାରା କୋରାପୁଟକୁ।
ଅକାଳରେ ଚାଲିଗଲା ଚାରି ଚାରିଟି କୋମଳ ଜୀବନ। ଖାଲି ହୋଇଗଲା ତିନି ତିନିଟି ବାପା-ମାଆଙ୍କ କୋଳ। ଶବ ବ୍ୟବଚ୍ଛେଦ ହୋଇ ଆସିବା ବେଳକୁ କାନ୍ଦ ବୋବାଳିରେ ଫାଟି ପଡୁଥିଲା ପରିବେଶ। ସହପାଠୀ କି ଆତ୍ମୀୟ କେହି ମଧ୍ୟ ଯେମିତି ସାମ୍ନା କରିବାକୁ ସାହସ ଜୁଟାଇ ପାରୁନଥିଲେ। ଏ ଅବେଳର ବିଦାୟକୁ କାନ୍ଦି କାନ୍ଦି ଲୋଟି ପଡୁଥିଲେ ମାଆ। ମୃତ ରାଜୀବ ଓ ରୁବେନ୍ ଖ୍ରୀଷ୍ଟିୟାନ ସଂପ୍ରଦାୟର ହୋଇଥିବାରୁ ଖ୍ରୀଷ୍ଟୀୟ ରୀତିନୀତିରେ ଉଭୟଙ୍କୁ ଦିଆଯାଇଛି ଅଶ୍ରୁଳ ବିଦାୟ। ଆଉ ଧୂଳି ଖେଳ ସାଥୀ ନିହାରିକା ଓ ଜୟଶ୍ରୀଙ୍କର ଗୋଟିଏ ଶ୍ମଶାନରେ ପାଖାପାଖି ଜଳିଲା ଜୁଇ।
ସ୍କୁଲରୁ ଫ୍ୟାରଓ୍ୱଲ୍ ସାରି କୋରାପୁଟରୁ ଜୟପୁର ଅଭିମୁଖେ କାରରେ ଯାଉଥିଲେ ନିହାରିକା, ଜୟଶ୍ରୀ ଓ ରୁବେନ୍। ଗାଡ଼ି ଚଳାଉଥିଲେ ରୁବେନଙ୍କ ବଡ଼ ଭାଇ ରାଜୀବ। ହେଲେ ଏନଏଚ୍ ୨୬ର କଫିବୋର୍ଡ ନିକଟରେ ତାଙ୍କ ଗାଡ଼ିକୁ ସମ୍ନାସାମ୍ନି ଧକ୍କା ଦେଇଥିଲା ଏକ ବାଲି ବୋଝେଇ ଟିପ୍ପର। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କେହି ଜଣେ ମଧ୍ୟ ଆଉ ଦୁନିଆ ଦେଖିବାକୁ ନଥିଲେ। ଡ୍ରାଇଭର ରାଜୀବ ଥିଲେ ନା’ବାଳକ। ନଥିଲା ଡ୍ରାଇଭିଂ ଲାଇସେନ୍ସ। ତେଣୁ ସେ କାହା ଅନୁମତିରେ ଗାଡ଼ି ଚଳାଉଥିଲେ, ତା ବି ଏକ ବଡ଼ ପ୍ରଶ୍ନ ଭାବେ ସାମ୍ନାକୁ ଆସିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।