ଶନିବାର ‘ବନ୍ଦେ ଉତ୍କଳ ଜନନୀ’ ଗାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ଶନିବାର ସଂଧ୍ୟା ସାଢ଼େ ୫ଟା ବେଳେ ସାମାଜିକ ଦୂରତା ରକ୍ଷାକରି “ବନ୍ଦେ ଉତ୍କଳ ଜନନୀ” ସଂଗୀତ ଗାନ କରନ୍ତୁ। ଏହାର ଉଦ୍ଦେଶ୍ୟ ହେଉଛି, କୋଭିଡ୍‌ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା। ଆମର ସଂକଳ୍ପକୁ ଆହୁରି ଦୃଢ କରିବା ପାଇଁ ଏହା ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ ବାର୍ତ୍ତାରେ କହିଛନ୍ତି। ମହାମାରୀ ‘କରୋନା’ ପାଇଁ ଦୁଇ ମାସ ଧରି ସାରା ଦୁନିଆ […]

naveen-patnik

naveen-patnik

Manoranjan Sial
  • Published: Thursday, 28 May 2020
  • Updated: 28 May 2020, 04:05 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ଶନିବାର ସଂଧ୍ୟା ସାଢ଼େ ୫ଟା ବେଳେ ସାମାଜିକ ଦୂରତା ରକ୍ଷାକରି “ବନ୍ଦେ ଉତ୍କଳ ଜନନୀ” ସଂଗୀତ ଗାନ କରନ୍ତୁ। ଏହାର ଉଦ୍ଦେଶ୍ୟ ହେଉଛି, କୋଭିଡ୍‌ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା। ଆମର ସଂକଳ୍ପକୁ ଆହୁରି ଦୃଢ କରିବା ପାଇଁ ଏହା ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ ବାର୍ତ୍ତାରେ କହିଛନ୍ତି।

ମହାମାରୀ ‘କରୋନା’ ପାଇଁ ଦୁଇ ମାସ ଧରି ସାରା ଦୁନିଆ ବଡ଼ ଜଟିଳ ପରିସ୍ଥିତିର ସାମ୍ନା କରୁଛି। ବଡବଡ ଧନୀ ଓ ଶକ୍ତିଶାଳୀ ଦେଶରେ ‘କରୋନା’ ଆତଙ୍କ ଖେଳାଇଛି। ସେହି ସମୟରେ ଓଡ଼ିଶା ‘କରୋନା’ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିଲା। କୋଭିଡରୁ ଲୋକଙ୍କୁ ରକ୍ଷା କରିବା ଓ ଲୋକଙ୍କ ଜୀବନ ବଞ୍ଚାଇବା ସେତେବେଳେ ସରକାରଙ୍କ ପ୍ରାଥମିକତା ଥିଲା। ପ୍ରତିଟି ଜୀବନର ସୁରକ୍ଷା ହେଉଛି ସରକାରଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସେତେବେଳେ ସରକାର ଯାହା ନୀତି ବା ପଦକ୍ଷେପ ଗ୍ରହଣ କରିଥିଲେ, ତାର ଏକମାତ୍ର ଲକ୍ଷ୍ୟ ଥିଲା ସାଢେ ଚାରି କୋଟି ଓଡ଼ିଆଙ୍କ ଜୀବନ ରକ୍ଷା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଛନ୍ତି-“ଏବେ ଦୁଇ ମାସରୁ ଅଧିକ ସମୟ ହୋଇଗଲାଣି। କୋଭିଡ୍‌ ଯୁଦ୍ଧରେ ଲୋକଙ୍କ ଜୀବନ ବଞ୍ଚାଇବାରେ ଓଡ଼ିଶା ଆଜିକା ଦିନରେ କେବଳ ଭାରତବର୍ଷରେ ନୁହେଁ, ସାରା ବିଶ୍ୱରେ ଏକ ଉଦାହରଣ ସୃଷ୍ଟି କରିଛି। କୋଭିଡ୍‌ରେ ଓଡ଼ିଶାର ମୃତ୍ୟୁହାର ସାରା ଦୁନିଆରେ ସବୁଠାରୁ କମ୍। ‘କରୋନା’ ପୀଡିତଙ୍କ ମଧ୍ୟରୁ ଅଧାରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଲେଣି। ଓଡ଼ିଶା ପରି ରାଜ୍ୟ ପାଇଁ ଏହା ଏକ ବଡ଼ ସଫଳତା। ଦୁନିଆର ଶକ୍ତିଶାଳୀ ଦେଶ ତଥା ଭାରତର ବଡ଼ବଡ଼ ରାଜ୍ୟ ଓ ଧନୀ ରାଜ୍ୟମାନେ ମଧ୍ୟ କରୋନା ଯୁଦ୍ଧରେ ଏତେ ସଫଳତା ପାଇପାରି ନାହାନ୍ତି। ଯାହା ଆଜିକା ଦିନରେ ଓଡ଼ିଆ ଜାତି ପାଇଁ ଏକ ଅଭୂତପୂର୍ବ ସଫଳତା।”

ନବୀନ ଭିଡିଓ ବାର୍ତ୍ତାରେ ଆହୁରି କହିଛନ୍ତି-“କରୋନାକୁ ନେଇ ସମଗ୍ର ବିଶ୍ୱରେ ଭୟର ବାତାବରଣ ଖେଳି ଯାଇଥିବା ବେଳେ ପ୍ରବାସରେ ଥିବା ଲକ୍ଷ ଲକ୍ଷ ଓଡ଼ିଆ ଭାଇଭଉଣୀ ଘରକୁ ଫେରିଛନ୍ତି। ତଥାପି କୋଭିଡ୍‌ ବିରୋଧରେ ଚାଲିଥିବା ସଂଗ୍ରାମରେ ଓଡ଼ିଶା ଭଲ ସ୍ଥିତିରେ ଅଛି। ଏହା ପଛରେ ରହିଛି ‘କରୋନା’ ଯୁଦ୍ଧରେ ଦିନରାତି କାମ କରୁଥିବା ଆମର ଲକ୍ଷଲକ୍ଷ କୋଭିଡ୍‌ ଯୋଦ୍ଧାଙ୍କ ତ୍ୟାଗ, ନିଷ୍ଠା ଓ ପ୍ରତିବଦ୍ଧତା। ସିଏ ଯିଏ ବି ହୁଅନ୍ତୁ – ଲୋକ ପ୍ରତିନିଧି, ସରକାରୀ ବା ବେସରକାରୀ କର୍ମଚାରୀ; ସମସ୍ତେ ନିଜ ନିଜର ସୁଖ ଦୁଃଖକୁ ପଛରେ ପକାଇ ଯେଭଳି ସେବା ଯୋଗାଇ ଚାଲିଛନ୍ତି, ତା’ର ତୁଳନା ନାହିଁ। ସେହିପରି ଏହି ଯୁଦ୍ଧରେ ସାରା ଓଡ଼ିଶାବାସୀ ସରକାରଙ୍କ ପଦକ୍ଷେପକୁ ଯେଭଳି ବିପୁଳ ସମର୍ଥନ ଦେଇଛନ୍ତି, ସେଥିପାଇଁ ମୁଁ ସମସ୍ତଙ୍କ ନିକଟରେ ଋଣି।”

ସେ ଆହୁରି କହିଛନ୍ତି-“ଓଡ଼ିଶା ମାଟି ସହ ସଂପର୍କ ରଖିଥିବା ସାଢେ ଚାରି କୋଟି ଓଡ଼ିଆ ଭାଇଭଉଣୀଙ୍କୁ ମୁଁ ଅନୁରୋଧ କରୁଛି ଯେ, ମଇ ୩୦ ତାରିଖ ଶନିବାର ସଂଧ୍ୟା ସାଢ଼େ ୫ଟା ସମୟରେ ଆପଣମାନେ ଦୁନିଆରେ ଯେଉଁଠାରେ ବି ଥାଆନ୍ତୁ, ସମସ୍ତେ ସାମାଜିକ ଦୂରତା ରକ୍ଷା କରି “ବନ୍ଦେ ଉତ୍କଳ ଜନନୀ” ସଂଗୀତ ଗାନ କରନ୍ତୁ। ଏହାର ଉଦ୍ଦେଶ୍ୟ ହେଉଛି, ଆମର କୋଭିଡ ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା। ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା। ଆମର ସଂକଳ୍ପକୁ ଆହୁରି ଦୃଢ କରିବା ପାଇଁ ଏହା ପ୍ରେରଣା ଯୋଗାଇବ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦାବି ସମୟରେ ଉତ୍କଳ ସମ୍ମିଳନୀର ଆଦ୍ୟ ସଂଗୀତ ଥିଲା ‘ବନ୍ଦେ ଉତ୍କଳ ଜନନୀ’। ଓଡ଼ିଆ ଜାତୀୟତାର ବନ୍ଧନକୁ ଏହା ମଜବୁତ କରିଥିଲା।”

ଆଗକୁ ଆମ ପାଇଁ ଆହୁରି କଠିନ ରାସ୍ତା ଆସିପାରେ। ଆଗାମୀ ଦିନର ଆହ୍ୱାନକୁ ସଫଳ ଭାବରେ ମୁକାବିଲା କରିବା ଓ ନୂଆ ସଂକଳ୍ପ ନେଇ କାମ କରିବା ପାଇଁ ଏହା ଆମକୁ ଶକ୍ତି ଯୋଗାଇବ। ଏହି ବିଶ୍ୱାସ ମୋର ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos