ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରାଥମିକ କୃଷି ସମବାୟ ସମିତିରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆସିବା ପରେ ହଠାତ ଜାଗି ଉଠିଛନ୍ତି ସରକାର। ସମବାୟ ବିଭାଗ ସ୍ୱୀକାର କରିଛି, ଅନେକ ଦୁର୍ନୀତି ମାମଲାରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଦୁର୍ନୀତି ଗ୍ରସ୍ତ ଅଫିସରଙ୍କ ପାଖରୁ ଟଙ୍କା ବି ଆଦାୟ ହୋଇପାରୁନି। ତଦାରଖ ଦାୟିତ୍ୱରେ ଥିବା କିଛି ଅସାଧୁ ଅଧିକାରୀ ସରକାରୀ, ପଦର ଦୁରପଯୋଗ କରି ସବୁ ଜାଣି ବି ଆଖିବୁଜି ଦେଉଛନ୍ତି। ବିଗତ କିଛି ଦିନର ଅଭିଯୋଗକୁ ଆଧାର କରି ସମବାୟ ବିଭାଗ ନୂଆ ନିର୍ଦ୍ଦେଶନାମା ଜାରି କରିଛି।
ମାଲାକାନାଗିରି ଜିଲ୍ଲାର କାଲିମେଳାରେ ୫ କୋଟି ୩୫ ଲକ୍ଷର ରୁଣ ଜାଲିଆତି। ରାଉରକେଲା ସମବାୟ ବ୍ୟାଙ୍କରେ ୨୯ କୋଟିର ରୁଣ ଜାଲିଆତି। ଧାନ କିଣା ପାଇଁ ଆବଶ୍ୟକ ଉପକରଣରେ ୨୪ କୋଟିର ଦୁର୍ନୀତି। ଏମିତି ଅନେକ ଦୁର୍ନୀତି ଅଭିଯୋଗକୁ ନେଇ ସମବାୟ ବିଭାଗ ଚିନ୍ତା ବଢିଯାଇଛି। କେଉଁଠି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ତଦନ୍ତ କରୁଛି ତ କେଉଁଠି ଭିଜିଲାନ୍ସ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା କିଛି ଅସାଧୁ ଅଫିସରଙ୍କ ପାଇଁ ସବୁ ଗଡବଡ ହେଉଥିବା ବିଭାଗ ମାନୁଛି।
କୋଅପରେଟିଭି ସୋସାଇଟର ରେଜିଷ୍ଟାର ସମସ୍ତ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସଂପାଦକ, ଡେପୁଟି ରେଜିଷ୍ଟାର ଓ ସର୍କଲ ଆସିଷ୍ଟାଣ୍ଟ ରେଜିଷ୍ଟାରଙ୍କୁ ଏନେଇ ଚିଠି ଲେଖିଛନ୍ତି। ଏଥିରେ କୁହାଯାଇଛି, ଅଫିସରଙ୍କ ତଦାରଖରେ ତ୍ରୁଟି ଯୋଗୁ ବର୍ଷ ବର୍ଷ ଧରି ସମବାୟ ସମିତିରେ ଆର୍ଥିକ ଅନିୟମିତା ଧରାପଡୁନାହିଁ। ଯେଉଁଠି ବି ଧରା ପଡୁଛି କାର୍ଯ୍ୟାନୁଷ୍ଠାନ ହେଉନି କି ଦୋଷୀ ଅଧିକାରୀଙ୍କ ପାଖରୁ ଟଙ୍କା ବି ଆଦାୟ ହୋଇପାରୁନି। ଫଳରେ ଦେବାଳିଆ ହେବାକୁ ବସିଲାଣି ସମବାୟ ସମିତିର ଆର୍ଥିକ କାରବାର। ଏପରି ସ୍ଥିତିରେ ପୁରା ବ୍ୟବସ୍ଥାକୁ ସଜାଡିବାକୁ ସମବାୟ ବିଭାଗ ଅଣ୍ଟା ଭିଡିଛି।
ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି- “ଜିଲ୍ଲା ଗୁଡିକରେ ଥିବା ୧୮ଟି କୋଅପରେଟିଭ ସୋସାଇଟ୍ କିଛି ଦେଖୁନାହାନ୍ତି। ଏଥିପାଇଁ ସେମାନେ ଦାୟୀ। ସେମାନଙ୍କ ଅବହେଳାରୁ ଏପରି ହୋଇଛି।”
ନୂଆ ନିର୍ଦ୍ଦେଶନାମା ଅନୁସାରେ ଏଣିକି ଅଫିସରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରତିବର୍ଷ ଆର୍ଥିକ କାରବାରର ଯାଞ୍ଚ ଓ ଅଡିଟ ହେବ। ଆର୍ଥିକ ଅନିୟମିତତା ଜଣାପଡିଲେ ତୁରନ୍ତ ବିଭାଗୟୀ କାର୍ଯ୍ୟାନୁଷ୍ଠାନ ସହ ଅର୍ଥ ବି ଆଦାୟ ହେବ। ଦୁର୍ନୀତି କରୁଥିବା ଅଫିସର, ମ୍ୟାନଜମେଣ୍ଟ କମିଟି ବିରୋଧର ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ଚାଷୀଙ୍କୁ ସୁବିଧାରେ ସବୁ ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ବର୍ଷ ବର୍ଷ ଧରି ବିଭିନ୍ନ ସମବାୟ ସମତିରେ ଦୁର୍ନୀତି ଅଭିଯୋଗର ଖୋଳତାଡ ପାଇଁ ଭିଜିଲାନ୍ସ ଓ କ୍ରାଇମବ୍ରାଞ୍ଚକୁ ଦାୟିତ୍ୱ ଦିଆଯାଇଛି। କିଛି ଜାଗାରେ କାର୍ଯ୍ୟାନୁଷ୍ଠାନ ବି ହୋଇଛି। ନୂଆ ନିର୍ଦ୍ଦେଶନାମା ସମବାୟ ସମତିରେ ହେଉଥିବା ଦୁର୍ନୀତି ରୋକିବାରେ କେତେଦୂର ସହାୟକ ହେବ ତାହା ଆଗକୁ ଦେଖାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।