ଭୁବନେଶ୍ୱର : ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ଦୁର୍ଗମ ଅଞ୍ଚଳର ସମସ୍ତ ଆସନ୍ନ ପ୍ରସବା ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳମାନଙ୍କୁ ଆଜି ରାଜ୍ୟ ସରକାର ନିଦ୍ଦେର୍ଶ ଜାରି କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଡଃ ପ୍ରମୋଦ କୁମାର ମେହେର୍ଦ୍ଦା ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖି ଦୁଗର୍ମ ଅଞ୍ଚଳର ଯେଉଁ ମହିଳାମାନେ ଆସନ୍ତା ୧୫ ଦିନ ମଧ୍ୟରେ ସନ୍ତାନ ପ୍ରସବ କରିବାର ସମ୍ଭାବନା ରହିଛି ସେମାନଙ୍କୁ ନିକଟସ୍ଥ ମାତୃତ୍ୱ ପ୍ରତୀକ୍ଷା ଗୃହକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ୨୦ରୁ ୨୨ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଯୋଗୁ ଜଳବନ୍ଦୀ ଓ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ସମ୍ୱେଦନଶୀଳ ଅଂଚଳରେ ପର୍ଯ୍ୟାପ୍ତ ପରିମାଣର ବ୍ଲିଚିଂ ପାଉଡର, ସାଲାଇନ୍, ରୋଗ ପ୍ରତିଷେଧକ ଔଷଧ, ହାଲୋଜିନ୍ ଟାବ୍ଲେଟ୍ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ସ୍ତରରେ ଆସନ୍ତାକାଲିଠୁ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲି ଜଣେ ଲେଖାଏ ଅଫିସର୍ଙ୍କୁ ସ୍ୱାସ୍ଥ୍ୟସେବା ନିମନ୍ତେ ନୋଡାଲ୍ ଅଫିସର୍ ଭାବେ ନିଯୁକ୍ତ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।