କ୍ରିକେଟ ଖେଳକୁ ନେଇ ବିବାଦ: ଅପହରଣ ପରେ ଉଦ୍ଧାର ହେଲେ ଛାତ୍ର
ନୟାଗଡ଼(ଓଡ଼ିଶା ରିପୋର୍ଟର): କ୍ରିକେଟ ଖେଳ ବିବାଦରୁ ଘଟିଛି ବଡ଼ ଅଘଟଣ। ଏହି ବିବାଦକୁ କେନ୍ଦ୍ର କରି ଅପହରଣର ଶିକାର ହୋଇଥିବା ଜଣେ କଲେଜ ଛାତ୍ରଙ୍କୁ ଶେଷରେ ପୁଲିସ୍ ଉଦ୍ଧାର କରିଛି। ଏଥିସହ ଜଣେ ଅଭିଯୁକ୍ତକୁ ମଧ୍ୟ ପୁଲିସ୍ ଗିରଫ କରିଛି। ଏବେ ଫେରାର ଥିବା ଆଉ ୫ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍ର ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, କ୍ରିକେଟ ଖେଳକୁ କେନ୍ଦ୍ର କରି କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟ କଲେଜର ଜଣେ ଛାତ୍ରଙ୍କୁ ବନ୍ଧୁକ ମୁନରେ ଅପହରଣ କରାଯାଇଥିଲା। ୩ଟି ବାଇକରେ ୬ଜଣ ଯୁବକ ବାଦିଲ ଗାଁରେ ପହଞ୍ଚି ବନ୍ଧୁକ ମୁନରେ କଲେଜ ଛାତ୍ର ଚିତ୍ତରଞ୍ଜନ ସ୍ୱାଇଁଙ୍କୁ ଉଠାଇ ନେଇଥିଲେ। କିନ୍ତୁ ଏ ବିଷୟରେ ପରିବାର ଲୋକ କିଛି ବି ଜାଣି ପାରି ନଥିଲେ।
ଅପହରଣର କିଛି ଘଣ୍ଟା ପରେ ଅଭିଯୁକ୍ତମାନେ ଚିତ୍ତରଞ୍ଜନଙ୍କ ପରିବାର ଲୋକଙ୍କୁ ଫୋନ କରିଥିଲେ। ଚିତ୍ତରଞ୍ଜନକୁ ମୁକୁଳାଇବା ପାଇଁ ସେମାନେ ପରିବାର ଲୋକଙ୍କୁ ୩ ଲକ୍ଷ ଟଙ୍କା ମାଗିଥିଲେ। ଏହା ଶୁଣି ପରିବାର ଲୋକ କ’ଣ କରିବେ ବୋଲି କିଛି ବି ଭାବି ପାରି ନଥିଲେ। ଶେଷରେ ସେମାନେ ଫତେଗଡ଼ ଥାନାରେ ପହଞ୍ଚି ପୁଲିସ୍କୁ ସବୁ କଥା କହିଥିଲେ।
ପୁଲିସ୍ ଅଭିଯୋଗକୁ ଭିତ୍ତି କରି ଟଙ୍କା ପାଇଁ ଆସିଥିବା ଫୋନ କଲକୁ ଯାଞ୍ଚ କରିଥିଲା। କଲ୍ ଟ୍ରେସ କରି ପଦ୍ମାବତୀ କଲେଜ ନିକଟସ୍ଥ ଲଙ୍କାଆମ୍ବ ପଡ଼ିଆରେ ପହଞ୍ଚିଥିଲା। ସେଠାରୁ ଚିତ୍ତରଞ୍ଜନଙ୍କୁ ଉଦ୍ଧାର କରିବା ସହିତ ଜଣେ ଅଭିଯୁକ୍ତକୁ ଗିରଫ କରିବାକୁ ପୁଲିସ୍ ସକ୍ଷମ ହୋଇଛି।
ଗିରଫ ଅଭିଯୁକ୍ତ ଠାରୁ ଗୋଟିଏ ବନ୍ଧୁକ ଓ ଗୋଟିଏ ଖଣ୍ଡା ଜବତ କରାଯାଇଛି। ସେହିପରି ଅଭିଯୁକ୍ତର ସ୍କୁଟିକୁ ମଧ୍ୟ ପୁଲିସ୍ ଜବତ କରିଛି। ତେବେ ଏହି ସମୟରେ ଅପହରଣ ଘଟଣାରେ ସାମିଲ ଥିବା ଆଉ ୫ ଅଭିଯୁକ୍ତ ପୁଲିସ୍କୁ ଦେଖି ଫେରାର ହୋଇ ଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସର ଚଢ଼ଉ ଜାରି ରହିଛି।
ଅନ୍ୟପକ୍ଷରେ କ୍ରିକେଟ ଖେଳକୁ ନେଇ କେଉଁ ପ୍ରକାରର ବିବାଦ ହୋଇଥିଲା, ସେ ବିଷୟରେ ପୁଲିସ୍ କିଛି ବି କହିନି। କେବଳ କ୍ରିକେଟ ଖେଳକୁ ନେଇ ଦେଖାଯାଇଥିବା ବିବାଦରୁ ଏପରି ଅଘଟଣ ଘଟିଥିବା କହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।