ନବୀନଙ୍କ ଆହ୍ୱାନରେ ‘ବନ୍ଦେ ଉତ୍କଳ ଜନନୀ’ ଗାଇବାକୁ ନେଇ ଜୋର ଧରିଲା ରାଜନୀତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଯୋଦ୍ଧାଙ୍କ ସମ୍ମାନରେ ଶନିବାର ଅପରାହ୍ନ ସାଢ଼େ ୫ଟାରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଆହ୍ୱାନ ଏବେ ତାଙ୍କୁ ମହଙ୍ଗା ପଡ଼ିଛି। ବିଜେପି ଓ କଂଗ୍ରେସ ନେତାମାନେ ଏବେ ଏଥିପାଇଁ ସିଧାସଳଖ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ବ୍ୟକ୍ତିଗତ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ଅବଶ୍ୟ ବନ୍ଦେ ଉତ୍କଳ ଜନନୀ ଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ରାଜ୍ୟ ବିଜେପି ସ୍ୱାଗତ କରିଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବନ୍ଦେ ଉତ୍କଳ […]

political

political

Manoranjan Sial
  • Published: Friday, 29 May 2020
  • Updated: 29 May 2020, 07:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଯୋଦ୍ଧାଙ୍କ ସମ୍ମାନରେ ଶନିବାର ଅପରାହ୍ନ ସାଢ଼େ ୫ଟାରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଆହ୍ୱାନ ଏବେ ତାଙ୍କୁ ମହଙ୍ଗା ପଡ଼ିଛି। ବିଜେପି ଓ କଂଗ୍ରେସ ନେତାମାନେ ଏବେ ଏଥିପାଇଁ ସିଧାସଳଖ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ବ୍ୟକ୍ତିଗତ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ଅବଶ୍ୟ ବନ୍ଦେ ଉତ୍କଳ ଜନନୀ ଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ରାଜ୍ୟ ବିଜେପି ସ୍ୱାଗତ କରିଛି।

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାଇବା ନିମନ୍ତେ ଆହ୍ୱାନ ଦିଆଯିବା ଉପରେ ବିଜେପି ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ନେତା ବିଜୟ ମହାପାତ୍ର କଟାକ୍ଷ କରିବା ଛଳରେ କହିଛନ୍ତି ଯେ, ସେ ଗୋଟିଏ ପ୍ରସ୍ତାବ ଦେବାକୁ ଚାହୁଁଛନ୍ତି। ସଚିବାଳୟ ଆଗରେ ସାମାଜିକ ଦୂରତ୍ୱ ରଖି ସବୁ ଦଳର ନେତାମାନଙ୍କ ସହ ସେଠାରେ ଛିଡ଼ା ହୋଇ ମୁଖ୍ୟମନ୍ତ୍ରୀ ନିଜେ ଏହି ଗୀତ ଗାନ କରନ୍ତୁ। କୌଣସି ବୈଷୟିକ ସହାୟତା ନନେଇ ନିଜ ଗୀତ ବୋଲନ୍ତୁ। ଆମେ ସମସ୍ତେ ଉପସ୍ଥିତ ରହିବୁ ଓ ତାଙ୍କ ସହ ସ୍ୱର ମିଳାଇବୁ। ତେବେ ସମସ୍ତେ ସ୍ମରଣ ରଖିବାକୁ ପଡ଼ିବ ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଏ ରାଜ୍ୟବାସୀଙ୍କ ଉପରେ ଥିଲା,ଅଛି ଓ ରହିବ। ଅନ୍ତତଃ ରାଜ୍ୟରେ ଯେଉଁମାନେ ଏହି ସଙ୍ଗୀତ ଗାଇବେ ସେମାନେ ୩ ଥର ଜୟ ଜଗନ୍ନାଥ କୁହନ୍ତୁ ବୋଲି ଶ୍ରୀ ମହାପାତ୍ର ଅନୁରୋଧ କରିଛନ୍ତି।

ସେହିପରି ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଦାଦନ ଶ୍ରମିକଙ୍କ ସୁରକ୍ଷା ଓ କଲ୍ୟାଣ ଆଳରେ ମୁଖ୍ୟମନ୍ତ୍ରୀଙ୍କୁ ପରୋକ୍ଷରେ ସମାଲୋଚନା କରି ଦାଦନ ଶ୍ରମିକଙ୍କୁ ସମ୍ମାନ ଦେବା ହିଁ ପ୍ରକୃତ ବନ୍ଦେ ଉତ୍କଳ ଜନନୀ ବୋଲି କହିବାକୁ ପଛାଇ ନାହାନ୍ତି। କରୋନା ମହାମାରୀ ଓଡ଼ିଶାର ଦାଦନ ସମସ୍ୟାର ଉତ୍କଟତାକୁ ସାମ୍ନା କରିବାକୁ ବାଧ୍ୟ କରିଛି। ଓଡ଼ିଶାର ୧୫ରୁ ୩୦ଲକ୍ଷ ପୁଅଝିଅ ଅନ୍ୟ ରାଜ୍ୟରେ ଦାଦନ ଖଟୁଥିବାବେଳେ ଏଥିରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରୁ ୮୦ ପ୍ରତିଶତ ଅଛନ୍ତି ବୋଲି ସେ କହିଛନ୍ତି।

ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଯଦି ମୁଖ୍ୟମନ୍ତ୍ରୀ ନିଜେ ସବୁ ବିରୋଧୀ ଦଳଙ୍କୁ ଡାକି ବିଧାନସଭା ସାମ୍ନାରେ ନିଜେ ଗାଇବେ ଓ ତାଙ୍କ ସାଙ୍ଗରେ ଆମେ ସମସ୍ତେ ଗାଇବୁ ତା’ହେଲେ ଆହୁରି ସୁନ୍ଦର ହେବ। ଏହାର ଭଲ ସୁପ୍ରଭାବ ପଡ଼ିବ। ଏକଥା ସେ ମୁଖ୍ୟମନ୍ତ୍ରୀଙ୍କୁ ନିଜେ କହିଛନ୍ତି। ସେ ସମସ୍ତ ବିରୋଧୀ ଦଳକୁ ଡାକନ୍ତୁ। ଦେଖାଯାଉ ମୁଖ୍ୟମନ୍ତ୍ରୀ କ’ଣ କରୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସେହିପରି କଂଗ୍ରେସ ନେତା ଶିବାନନ୍ଦ ରାୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନିଜେ କେବେ ‘ବନ୍ଦେ ଉତ୍କଳ ଜନନୀ’ ଗାଇନାହାନ୍ତି। ଓଡ଼ିଆ ଭାଷାରେ ଗାଇବା ତାଙ୍କ ପକ୍ଷେ ସମ୍ଭବପର ନୁହେଁ। ସେ ଓଡ଼ିଆ ଶିଖିବେ ନାହିଁ ବୋଲି ତାଙ୍କୁ ଓଡ଼ିଆ ଶିକ୍ଷା ଦେଉଥିବା ପ୍ରଫେସରଙ୍କୁ ସେ ଅପମାନ ଦେଇ ଘରୁ ବିଦା କରି ଦେଇଥିଲେ। ମୁଖ୍ୟମନ୍ତ୍ରୀ ଓଡ଼ିଆରେ ଯେଉଁ ଭାଷଣ ଦିଅନ୍ତି ତାହା ଇଂରାଜୀ ଭାଷାରେ ଲେଖାଯାଇଥାଏ। ତେଣୁ ମୁଖ୍ୟମନ୍ତ୍ରୀ ନିଜେ ବନ୍ଦେ ଉତ୍କଳ ଜନନୀ ଓଡ଼ିଆରେ ଲେଖନ୍ତୁ ଓ ପଢ଼ନ୍ତୁ ଏବଂ ତାହା ସମସ୍ତ ଗଣମାଧ୍ୟମରେ ପ୍ରକାଶିତ ହେଉ। ତା’ହେଲେ ସେ ଉତ୍କଳମାତାକୁ ସମ୍ମାନ ଦେଇପାରିବେ। ଅଣଓଡ଼ିଆ ପ୍ରଶାସକଙ୍କ ଜରିଆରେ ସେ ରାଜ୍ୟ ଶାସନ କରୁଛନ୍ତି ଓ ବାକି ସମସ୍ତେ ମେଣ୍ଢା ଭଳି ମାନୁଛନ୍ତି । ବନ୍ଦେ ଉତ୍କଳ ଜନନୀନ ଗାଇବା ପଛରେ କରୋନା ଉପଶମର ବୈଜ୍ଞାନିକ ମତ ନାହିଁ, କେବଳ ପ୍ରଧାନମନ୍ତ୍ରୀଙ୍କୁ ଅନୁସରଣ ପାଇଁ ଉଦ୍ଦିଷ୍ଟ ବୋଲି ଶ୍ରୀ ରାୟ କହିଛନ୍ତି।

ଅନ୍ୟପକ୍ଷରେ ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି ଯେ, ବନ୍ଦେ ଉତ୍କଳ ଜନନୀ ଗାଇବାକୁ ନେଇ କୌଣସି ରାଜନୀତିକ ବୟାନବାଜି ଆଦୌ ଗ୍ରହଣୀୟ କି ସ୍ପୃହଣୀୟ ନୁହେଁ। ଓଡ଼ିଶାର ସମସ୍ତ ରାଜନୀତିକ ଦଳ ଭିନ୍ନ ଭିନ୍ନ ଚିନ୍ତାଧାରାର। ତେବେ ଏଭଳି ଏକ ବିପର୍ଯ୍ୟୟର ମୁକାବିଲା ପାଇଁ ସମସ୍ତେ ଏକାଠି ହେବାର ଆବଶ୍ୟକତା ରହିଛି। ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ପାଳନ ପାଇଁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos