କରୋନା ସାମଗ୍ରୀ କିଣା: କ୍ଲିନଚିଟ୍ ଦେଇଥିଲା ମନ୍ତ୍ରିସ୍ତରୀୟ କମିଟି, ଏବେ ଚୁପ୍‌

ଭୁବନେଶ୍ୱର(ପ୍ରକାଶ ସେଠୀ ): କରୋନା ମୁକାବିଲା ଆଳରେ ଓଡ଼ିଶା ରାଜ୍ୟ ଔଷଧ ନିଗମ ମାଧ୍ୟମରେ କୋଭିଡ-୧୯ ପରିଚାଳନା ନିମନ୍ତେ ଜରୁରୀ ସାମଗ୍ରୀମାନ କ୍ରୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ପରେ ସରକାରଙ୍କ ଚେତା ପଶିଛି। କୋଭିଡ୍ ପରିଚାଳନା ସହ ଜଡ଼ିତ ସମସ୍ତ ଅଫିସରଙ୍କୁ ସରକାର ତରବରିଆ ଭାବେ ଦାୟିତ୍ୱମୁକ୍ତ କରିବା ସହ କୋଭିଡ୍ ସାମଗ୍ରୀ କିଣା କମିଟିର ମୁଖ୍ୟ ହେମନ୍ତ ଶର୍ମାଙ୍କୁ ମଧ୍ୟ ପିଛିଲା ଭାବେ ହଟାଇଛନ୍ତି। ତେବେ ଏଭଳି ପଦକ୍ଷେପ ମାଧ୍ୟମରେ କୋଭିଡ୍ ପରିଚାଳନାରେ […]

5bjd

5bjd

Manoranjan Sial
  • Published: Friday, 05 June 2020
  • Updated: 05 June 2020, 10:31 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ ): କରୋନା ମୁକାବିଲା ଆଳରେ ଓଡ଼ିଶା ରାଜ୍ୟ ଔଷଧ ନିଗମ ମାଧ୍ୟମରେ କୋଭିଡ-୧୯ ପରିଚାଳନା ନିମନ୍ତେ ଜରୁରୀ ସାମଗ୍ରୀମାନ କ୍ରୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ପରେ ସରକାରଙ୍କ ଚେତା ପଶିଛି। କୋଭିଡ୍ ପରିଚାଳନା ସହ ଜଡ଼ିତ ସମସ୍ତ ଅଫିସରଙ୍କୁ ସରକାର ତରବରିଆ ଭାବେ ଦାୟିତ୍ୱମୁକ୍ତ କରିବା ସହ କୋଭିଡ୍ ସାମଗ୍ରୀ କିଣା କମିଟିର ମୁଖ୍ୟ ହେମନ୍ତ ଶର୍ମାଙ୍କୁ ମଧ୍ୟ ପିଛିଲା ଭାବେ ହଟାଇଛନ୍ତି। ତେବେ ଏଭଳି ପଦକ୍ଷେପ ମାଧ୍ୟମରେ କୋଭିଡ୍ ପରିଚାଳନାରେ ହୋଇଥିବା ଅନିୟମିତତାକୁ ସରକାର ଚପାଇ ଦେବାକୁ ବସିଥିବାବେଳେ କ୍ଷମତାପ୍ରାପ୍ତ ମନ୍ତ୍ରିସ୍ତରୀୟ କମିଟି (ଇଜିଓଏମ)ର ବିଶ୍ୱସନୀୟତାକୁ ନେଇ ପ୍ରଶ୍ନ ଉଠିଛି।

ସୂଚନା ଅନୁସାରେ, ମାର୍ଚ୍ଚ ୧୩ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷମତାପ୍ରାପ୍ତ ମନ୍ତ୍ରିସ୍ତରୀୟ କମିଟି ଗଠନ ହୋଇଥିଲା। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଅନ୍ୟ ୪ଜଣ କ୍ୟାବିନେଟ୍ ମନ୍ତ୍ରୀ ଯଥା- ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁ ସଦସ୍ୟ ଅଛନ୍ତି। ଏହି କମିଟି କୋଭିଡ୍‌-୧୯ ସଂକ୍ରମଣ ରୋକିବା ପାଇଁ ଜରୁରୀ ଥିବା ସମସ୍ତ ନିଷ୍ପତ୍ତି ନେବା ସହ ସବୁପ୍ରକାରର ଜରୁରୀକାଳୀନ ସାମଗ୍ରୀ କ୍ରୟର ଆବଶ୍ୟକତା ଓ ଯଥାର୍ଥତାକୁ ଯାଂଚ ପରେ ଅନୁମୋଦନ କରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଏହି ମନ୍ତ୍ରିସ୍ତରୀୟ କମିଟି ମଧ୍ୟ ପ୍ରତ୍ୟେକ ଗୁରୁବାର ବୈଠକ କରି କୋଭିଡ୍‌-୧୯ ପରିଚାଳନାକୁ ନେଇ କ୍ରୟ କରାଯାଉଥିବା ସମସ୍ତ ସାମଗ୍ରୀର ଆବଶ୍ୟକତା ଓ ଯଥାର୍ଥତାକୁ ଅନୁଭବ କରି ଏହାକୁ ଅନୁମୋଦନ କରୁଥିଲେ।

ରାଜ୍ୟ ସରକାର ଆଜି ଅଫିସରମାନଙ୍କୁ କରୋନା ପରିଚାଳନା ଦାୟିତ୍ୱରୁ ମୁକ୍ତ କରିଥିଲେ ମଧ୍ୟ ମାର୍ଚ୍ଚ ୨୧ତାରିଖରେ ଗଠିତ କରୋନା ପରିଚାଳନା ନିମନ୍ତେ ରାଜ୍ୟସ୍ତରୀୟ ଜରୁରୀ କ୍ରୟ କମିଟିକୁ ଅକାମୀ କରିନାହାନ୍ତି। କମିଟିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଅଧ୍ୟକ୍ଷ ଥିବାବେଳେ ଅର୍ଥ ସଚିବ, ଶିଳ୍ପ ସଚିବ(ହେମନ୍ତ ଶର୍ମା), ଏନଏଚଏମ ପରିଚାଳନା ନିର୍ଦ୍ଦେଶକ, ଔଷଧ ନିଗମ ପରିଚାଳନା ନିର୍ଦ୍ଦେଶକ, ଡିଏମଇଟି ନିର୍ଦ୍ଦେଶକ, ଡିପିଏଚ୍ ନିର୍ଦ୍ଦେଶକ, ଡିଏଚଏସ୍ ନିର୍ଦ୍ଦେଶକଙ୍କୁ ସଦସ୍ୟ ରଖିଥିବାବେଳେ ସ୍ୱାସ୍ଥ୍ୟ ପରିବାର ଅତିରିକ୍ତ ସଚିବଙ୍କୁ ସଦସ୍ୟ ଆବାହକ ଭାବେ ଦାୟିତ୍ୱ ଦିଆଯାଇଥିଲା। ଏହି କମିଟି ସମସ୍ତ ପ୍ରକାରର ଜରୁରୀକାଳୀନ ଔଷଧ,ଉପକରଣ, କମ୍ପ୍ୟୁଟର, ଓ ସାମଗ୍ରୀ କ୍ରୟ କରିପାରିବା ନେଇ ନିଷ୍ପତ୍ତି ନେଇପାରିବ। କୌଣସି ଆର୍ଥିକ ସୀମା ନଥାଇ ଏହି କମିଟି ସମସ୍ତ ପ୍ରକାରର ସାମଗ୍ରୀ କ୍ରୟ କରିପାରିବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି। କିନ୍ତୁ ରାଜ୍ୟ ସରକାର ଗତ ଜୁନ୍ ୧ତାରିଖରେ ଯେଉଁ ନିର୍ଦ୍ଦେଶନାମା ବଳରେ ଆଇଏଏସ ହେମନ୍ତ ଶର୍ମାଙ୍କୁ ସମସ୍ତ ଅତ୍ୟାବଶ୍ୟକ ଔଷଧ, ପିପିଇ ଓ ମାସ୍କର ଉପଲବ୍ଧତାକୁ ଯାଂଚ ନିମନ୍ତେ ସ୍ୱାସ୍ଥ୍ୟ ସଚିବଙ୍କ ସହଯୋଗ ପାଇଁ ଦେଇଥିବା ଅନୁମତିକୁ ରଦ୍ଦ କରିଛନ୍ତି ତାହା ସାଧାରଣ ପ୍ରଶାସନ ବିଭାଗର ମାର୍ଚ୍ଚ ୨୩ତାରିଖ ନିର୍ଦ୍ଦେଶ ଆଧାରରେ ଦିଆଯାଇଛି। ଅର୍ଥାତ୍ ଶ୍ରୀ ଶର୍ମା ଏବେବି କୋଭିଡ୍ ପରିଚାଳନା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗର ରାଜ୍ୟସ୍ତରୀୟ ଜରୁରୀ କ୍ରୟ କମିଟିର ସଦସ୍ୟ ଅଛନ୍ତି।

କେବଳ ସେତିକି ନୁହେଁ, ଗୋଟିଏ ମାସ୍କକୁ ୯.୯୦ ଟଙ୍କା ଦରରେ ଗୋଟିଏ କମ୍ପାନୀଠୁ କିଣିଥିବା ରାଜ୍ୟ ସରକାର ମାତ୍ର ୨ଦିନ ପରେ ସେହି ସମାନ ମାନର ମାସ୍କକୁ ଅନ୍ୟ ଏକ କମ୍ପାନୀଠୁ ୧୬ଟଙ୍କାରେ କିଣିଛନ୍ତି। ସେହିପରି ରିଏଲ ଟାଇମ୍ ପିସିଆର ମେସିନ୍ ଓ ବ୍ୟବହୃତ ଟେଷ୍ଟିଂ କିଟ୍ କିଣାରେ ଦୁର୍ନୀତି ହୋଇଥିବା କଂଗ୍ରେସ ପକ୍ଷରୁ ତଥ୍ୟ ପ୍ରମାଣ ସହ ଦାବି କରୁଛି। କଂଗ୍ରେସର ଅଭିଯୋଗ ଅନୁସାରେ ପିସିଆର ପିଛା ୧୨.୯୦ ଲକ୍ଷ ଟଙ୍କା ଦେଇ ୧୦୦ଟି ମେସିନ୍ ନିମନ୍ତେ ୧୨.୯୪କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ମାତ୍ର ବଜାରରେ ଏହି ମେସିନ୍ ୪-୫ଲକ୍ଷ ଟଙ୍କାରେ ଉପଲବ୍ଧ ହେଉଥିବାବେଳେ ସରକାର ୧୨.୯୪ଲକ୍ଷ ଟଙ୍କାରେ କିଣିଛନ୍ତି। ସେହିପରି ପିସିଆର ମେସିନରେ ବ୍ୟବହୃତ ଟେଷ୍ଟିଂ କିଟର ବଜାର ଦର ୭୦୦-୮୦୦ଟଙ୍କା। ଯାହାକୁ ଔଷଧ ନିଗମ ୧୩୧୪ଟଙ୍କାରେ କିଣିଛି। ଏଭଳି ୨ଲକ୍ଷ ଟେଷ୍ଟିଂ କିଟ କିଣା ବାବଦକୁ ୨୬.୮୦କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଟେଷ୍ଟିଂ କିଟ୍‌, ମାସ୍କ, ସାନିଟାଇଜର, ଭେଣ୍ଟିଲେଟର, ପିସିଆର ମେସିନ, ଔଷଧ ତଥା ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ସବୁ ଚଢ଼ାଦରରେ କିଣାଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

ତେବେ ପ୍ରଶ୍ନ ଉଠୁଛି, କରୋନା ମୁକାବିଲା ପାଇଁ ଉଦ୍ଦିଷ୍ଟ ମାସ୍କ, ଟେଷ୍ଟିଂ କିଟ୍ , ପିସିଆର ମେସିନ୍ ଆଦି ଚଢ଼ାଦରରେ କିଣା ଯାଉଥିବାବେଳେ କ୍ଷମତାପ୍ରାପ୍ତ ମନ୍ତ୍ରିସ୍ତରୀୟ କମିଟି ଏସବୁକୁ କିଭଳି ଆଖିବୁଜି ଅନୁମୋଦନ କରୁଥିଲା। ମନ୍ତ୍ରିସ୍ତରୀୟ କମିଟି କାହିଁକି ଓ କାହା ଚାପରେ ଏଭଳି ଦୁର୍ନୀତି ଓ ଅନିୟମିତତାକୁ ପ୍ରୋତ୍ସାହିତ କରୁଥିଲା ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିବା ସହ ମନ୍ତ୍ରୀମାନଙ୍କ ବିଶ୍ୱସନୀୟତା ବି ସନ୍ଦେହଘେରକୁ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos