ପାରାଦୀପ(ଓଡ଼ିଶା ରିପୋର୍ଟର)ସିଙ୍ଗାପୁରରୁ ବାହାରିଥିବା ମାଲବାହୀ ଜାହାଜ ଏମଭି ଓସନ୍ ଫେଥ୍ ପାରାଦୀପରେ ପହଞ୍ଚିବା ପରେ ଜାହାଜର କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ପାରାଦୀପ ପୋର୍ଟ ହସ୍ପିଟାଲର ସ୍ୱତନ୍ତ୍ର ଡାକ୍ତରୀ ଦଳ ଜାହାଜରେ ଥିବା ୧୮ ଜଣ କ୍ରିଉ ମେମ୍ବରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ଜାହାଜର କର୍ମଚାରୀଙ୍କ ଠାରେ କୋରନା ଭାଇରସ ନଥିବା ପରୀକ୍ଷା ପରେ ଜଣାପଡ଼ିଛି। ପୂର୍ବରୁ ୪ଟି ଜାହାଜର ୮୯ ଜଣ କର୍ମଚାରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ତେବେ କାହାରି ଠାରେ ମଧ୍ୟ କରୋନା ଭାଇରସ ସଂକ୍ରମଣ ନଥିବା ଜଣାପଡିଛି । ସେପଟେ କରୋନା ଭାଇରସ୍କୁ ନେଇ ବଢୁଛି ଆତଙ୍କ। ଓଡ଼ିଶାରେ ମଧ୍ୟ ଏହାର ମୁକାବିଲା ଚିନ୍ତା କରାଯାଉଛି।
ଚୀନ୍ ସମେତ ଅନ୍ୟ ପ୍ରଭାବିତ ଦେଶ ପରିଭ୍ରମଣରେ ଯାଇ ଫେରୁଥିବା ଯାତ୍ରୀଙ୍କ ଉପରେ ସତର୍କ ଦୃଷ୍ଟି ରଖାଯାଇଛି। ମେଡିକାଲ ଗୁଡ଼ିକ ସହ ଏୟାରପୋର୍ଟ, ରେଳ ଷ୍ଟେସନ୍ ଓ ବନ୍ଦରର ହୋଇଛି ସ୍କ୍ରିନିଂ ବ୍ୟବସ୍ଥା। ସେହିପରି ବାହାରୁ ଆସୁଥିବା ଯାତ୍ରୀମାନଙ୍କୁ ଭୁବନେଶ୍ୱର ଏୟାରପୋର୍ଟରେ ହିଁ ଯାଂଚ କରାଯାଉଛି। ତା’ସହ ପାରାଦୀପ ପୋର୍ଟ ଓ ରେଳ ଷ୍ଟେସନ୍ ଗୁଡ଼ିକରେ ମଧ୍ୟ ଯାତ୍ରୀଙ୍କ ଉପରେ ସତର୍କ ନଜର ରଖିବାକୁ କୁହଯାଇଛି ।
ସୂଚନା ଅନୁଯାୟୀ, ଚାଇନାରେ ସୃଷ୍ଟି ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱରେ କୋକୁଆ ଭୟ ସୃଷ୍ଟି କରିଛି। ଦିନକୁ ଦିନ ଏହା ଭୟଙ୍କର ରୂପ ଧାରଣ କରିବା ସହ ଲୋକଙ୍କ ମୁଣ୍ଡ ନେବାରେ ଲାଗିଛି। ଅଦ୍ୟାବଧି ମୃତ୍ୟୁସଂଖ୍ୟା ୧୫୦୦ରେ ପହଞ୍ଚିଲାଣି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।