କଟକ ଡିସିପିଙ୍କୁ ତୁରନ୍ତ ହଟାଇବାକୁ ଦାବି କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ସହର ଦଶହରା ଶାନ୍ତି କମିଟି ପ୍ରସ୍ତୁତି ବୈଠକକୁ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ନଡକାଯିବା ଓ ଜାଣିଶୁଣି ତାଙ୍କୁ ଅସମ୍ମାନ କରାଯିବା ପ୍ରସଙ୍ଗରେ ରାଜ୍ୟ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି। ଏଥିପାଇଁ କଟକ ଡିସିପି ଅଖିଳେଶ୍ୱର ସିଂଙ୍କୁ ତୁରନ୍ତ ଦଶହରା ପୂଜା ପୂର୍ବରୁ ସେଠାରୁ ବଦଳି କରିବା ନିମନ୍ତେ ଦାବି କରିଛି । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ […]

congress

congress

Manoranjan Sial
  • Published: Saturday, 21 September 2019
  • Updated: 21 September 2019, 09:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ସହର ଦଶହରା ଶାନ୍ତି କମିଟି ପ୍ରସ୍ତୁତି ବୈଠକକୁ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ନଡକାଯିବା ଓ ଜାଣିଶୁଣି ତାଙ୍କୁ ଅସମ୍ମାନ କରାଯିବା ପ୍ରସଙ୍ଗରେ ରାଜ୍ୟ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି। ଏଥିପାଇଁ କଟକ ଡିସିପି ଅଖିଳେଶ୍ୱର ସିଂଙ୍କୁ ତୁରନ୍ତ ଦଶହରା ପୂଜା ପୂର୍ବରୁ ସେଠାରୁ ବଦଳି କରିବା ନିମନ୍ତେ ଦାବି କରିଛି ।

ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ କହିଛନ୍ତି ଯେ, ଦଶହରା ପୂଜା ହେଉଛି କଟକରେ ଭାଇଚାରାର ପର୍ବ। ପ୍ରୋଟୋକଲ ଦୃଷ୍ଟିରୁ ସେହି ପୂଜା ପାଇଁ ଶାନ୍ତି କମିଟି ବୈଠକକୁ ସ୍ଥାନୀୟ ବିଧାୟକଙ୍କୁ ଡକାଯିବାର ପ୍ରାବଧାନ ରହିଛି। କିନ୍ତୁ ଭାଇଚାରାକୁ ନଷ୍ଟ କରି କଟକ ଡିସିପି ଶ୍ରୀ ସିଂ ଶାନ୍ତି କମିଟିର ପ୍ରସ୍ତୁତି ବୈଠକକୁ ସ୍ତାନୀୟ ବିଧାୟକ ମହମ୍ମଦ ମୋକିମଙ୍କୁ ଡାକିନାହାନ୍ତି। ଏପରିକି ସେ ଡିସିପି ଥିବା ପର୍ଯ୍ୟନ୍ତ କୌଣସି କାର୍ଯ୍ୟକ୍ରମରେ ମୋକିମଙ୍କୁ ସାମିଲ କରିବେ ନାହିଁ ବୋଲି ଗଣମାଧ୍ୟମରେ ବୟାନ ଦେଇଛନ୍ତି। ଏହା ଜଣେ ନିର୍ବାଚିତ ପ୍ରତିନିଧିଙ୍କ ପ୍ରତି ଅପମାନ ଓ ଓଡ଼ିଶା ସରକାରଙ୍କ ବୁକ ସର୍କୁଲାର ନଂ-୪୭କୁ ଖୋଲାଖୋଲି ଉଲ୍ଲଘଂନ କରୁଛି। କଟକରେ ଭବିଷ୍ୟତରେ ଯଦି ଭାଇଚାରା ପ୍ରଭାବିତ ହୁଏ ତା’ହେଲେ ସେଥିପାଇଁ ଡିସିପି ଶ୍ରୀ ସିଂ ଦାୟୀ ରହିବେ ବୋଲି ସେ ସତର୍କ କରାଇଛନ୍ତି। ଏହାସହିତ କଟକ ଡିସିିପିଙ୍କ ଏଭଳି ଅଭଦ୍ରାମୀ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କୁ ମଧ୍ୟ କାଠଗଡ଼ା ଭିତରକୁ ଟାଣିଛନ୍ତି। ଖୋଦ୍ ମୁଖ୍ୟମନ୍ତ୍ରୀ ଫାଇଭ-ଟିର ମନ୍ତ୍ର ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବାବେଳେ ‘ମୋ ସରକାର’ କାର୍ଯ୍ୟକ୍ରମ ହାତକୁ ନେଇ ପୁଲିସ ପ୍ରଶାସନ ସାଧାରଣ ଜନତାଙ୍କ ପାଖରେ କିଭଳି ଉତ୍ତରଦାୟୀ ରହିବ ସେ ପ୍ରସଙ୍ଗରେ ଅତ୍ୟଧିକ ପ୍ରଚାର ପ୍ରସାର କରୁଛନ୍ତି। କିନ୍ତୁ କଟକର କଂଗ୍ରେସ ଦଳର ନିର୍ବାଚିତ ବିଧାୟକ ଶ୍ରୀ ମୋକିମଙ୍କୁ ସରକାରୀ କାର୍ଯ୍ୟକ୍ରମକୁ ନ ଡାକି ଓଡ଼ିଶାବାସୀଙ୍କୁ ଏକ ନକରାତ୍ମକ ସନ୍ଦେଶ ଦେଉଛନ୍ତି। କଟକ ଡିସିପିଙ୍କ ଏଭଳି ମନମୁଖୀ କାର୍ଯ୍ୟ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯିବା ସତ୍ତେ୍ୱ ସରକାର ସଂପୂର୍ଣ୍ଣ ମୌନବ୍ରତ ପାଳନ କରିବା ଓ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ତାଙ୍କର ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପ୍ରତି ଥିବା ଆନୁଗତ୍ୟକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ସେ କହିଛନ୍ତି। କଟକ ଡିସିପିଙ୍କ ସରକାରୀ କାର୍ଯ୍ୟାଳୟକୁ କୌଣସି ରାଜନୈତିକ ଦଳର କାର୍ଯ୍ୟାଳୟ ଭାବରେ ବ୍ୟବହାର ନକରିବାକୁ ଶ୍ରୀ ସିଂଙ୍କୁ କଂଗ୍ରେସ ଚେତାବନୀ ଦେଇଛି।

ସେହିପରି କଂଗ୍ରେସ ନେତା ନିଶିକାନ୍ତ ମିଶ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ହେଉଛନ୍ତି ଗୃହର ନେତା ଏବଂ ରାଜ୍ୟ ଗୃହ ବିଭାଗ ତାଙ୍କ ଅଧିନରେ କାର୍ଯ୍ୟ କରୁଛି । ସେହି ଗୃହ ବିଭାଗର ଜଣେ ପୁଲିସ ଅଧିକାରୀ ବିଧାନସଭା (ଗୃହ)ର ଜଣେ ସଭ୍ୟଙ୍କୁ ଅସମ୍ମାନିତ କରୁଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନିରବ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ମୁଖ୍ୟମନ୍ତ୍ରୀ ରାଜନୀତିରୁ ଉଦ୍ଧ୍ୱର୍କୁ ଉଠି ସେହି ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ଦାବି କରୁଛି। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଶାନ୍ତ ଶତପଥି, ରଜନୀ କୁମାର ମହାନ୍ତି ଓ ଜିନେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos