ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟାଟା ପାୱାର ନାଁରେ ସାଧାରଣ ଲୋକଙ୍କୁ ଠକୁଛନ୍ତି ସାଇବର ଠକ। ରାଜ୍ୟ ବାହାରେ ବସି ବାକି ଥିବା ବିଲ୍ ପୈଠ ପାଇଁ ଫୋନ୍ କରୁଛନ୍ତି। ଆଉ କେତେବେଳେ ବିଲରେ ତ୍ରୁଟି ଥିବା କେହୁଛନ୍ତି। ତ୍ରୁଟି ସୁଧାରିବା ପାଇଁ ଫୋନରେ ଲିଙ୍କ ପଠାଇ ସାଇବର ଠକମାନେ ସାଧାରଣ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ହଡପ୍ କରିନେଉଥିବା ଅଭିଯୋଗ ହେଉଛି। ଏବେ ଏପରି ଅଭିଯୋଗ ରାଜଧାନୀ ଭୁବନେଶ୍ୱରରେ ହୋଇଛି। ଏନେଇ ୩ରୁ ୪ ଜଣ ଲୋକ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ଏଥିପାଇଁ ସତର୍କ ରହିବାକୁ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ପରାମର୍ଶ ଦେଇଛନ୍ତି।
ଡିସିପିଙ୍କ କହିବା ଅନୁସାରେ ଟାଟା ପାୱାର ନାଁରେ ଅନେକ ଲୋକଙ୍କୁ ସାଇବର ଠକ ଠକୁଥିବା ନେଇ କମିଶନରେଟ ପୁଲିସକୁ ଅନେକ ଅଭିଯୋଗ ଆସୁଛି। ସାଧାରଣ ଲୋକଙ୍କୁ କେହି ଟାଟା ପାୱାର ନାଁରେ ବିଲ ବାକି ଥିବା କଥା କହିଲେ, ଫୋନ କରିଥିବା ଲୋକଙ୍କୁ ରେସପଣ୍ଡ କରନ୍ତୁ ନାହିଁ। ଖାଲି ସେତିକି ନୁହଁ ଦରକାର ପଡ଼ିଲେ ଟାଟା ପାୱାର ଅଫିସ୍ ଯାଇ ସମସ୍ୟାର ସମାଧାନ କରନ୍ତୁ ବୋଲି ଡିସିପି କହିଛନ୍ତି। କାହାକୁ ଡେବିଟ୍ ଓ କ୍ରେଡିଟ୍ କାର୍ଡର ପାସ୍ୱାର୍ଡ ଦିଅନ୍ତୁ ନାହିଁ। କେହି ଓଟିପି ମାଗିଲେ ଦିଅନ୍ତୁ ନାହିଁ। ଆଉ ଯଦି କେହି ଠକାମୀରେ ଶିକାର ହୋଇଥାଆନ୍ତି, ଶୀଘ୍ର ଅଭିଯୋଗ କରନ୍ତୁ ବୋଲି ଡିସିପି କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।