ଦୂରନ୍ତ ଏକ୍ସପ୍ରେସ୍ ଲାଇନ୍‌ଚ୍ୟୁତ, ଧାରଣାରୁ ବାହାରି ଗଲା ପାର୍ସଲ ବଗି

ଯାଜପୁର(ଗୁଲାମ ଗସ୍): ଯାଜପୁର ଜିଲ୍ଲାର ହରିଦାସପୁର ଷ୍ଟେସନ୍ ନିକଟରେ ଦୂରନ୍ତ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି। ଟ୍ରେନର ପାର୍ସଲ ବଗିଟି ଧାରଣାରୁ ବାହାରି ଯାଇଛି। ତେବେ ଏଥିରେ ଯାତ୍ରୀମାନଙ୍କର କିଛି କ୍ଷୟକ୍ଷତି ହୋଇନାହିଁ। ସେହିଭଳି ଟ୍ରେନ୍‌ର ଆଉ କିଛି କ୍ଷତି ହୋଇନଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଦୂରନ୍ତ ଏକ୍ସପ୍ରେସଟି ଆଜି ଯଶୋବନ୍ତପୁରରୁ ହାୱଡ଼ା ଅଭିମୁଖେ ଯାଉଥିଲା। ଦିନ ପ୍ରାୟ ୧୨ଟା ବେଳେ ଯାଜପୁରର ହରିଦାସପୁର ଷ୍ଟେସନ୍ ନିକଟରେ ଟ୍ରେନଟି ଲାଇନ୍‌ଚ୍ୟୁତ ହୋଇଥିଲା।

ଦୂରନ୍ତ ଏକ୍ସପ୍ରେସ୍ ଲାଇନଚ୍ୟୁତ ଯୋଗୁ ଅନ୍ୟ ଟ୍ରେନ୍‌ ଯିବା ଆସିବାରେ ଅସୁବିଧା ଦେଖା ଦେଇଛି। ସେହି ଟ୍ରାକ୍‌ରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଖୋର୍ଦ୍ଧା ଡିଆରଏମ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲାପରେ ରେଳଚଳାଚଳ ସ୍ୱାଭାବିକ ହେବ ବୋଲି ସୂଚନା ମିଳିଛି।

ଜଣେ ଯାତ୍ରୀ କହିଛନ୍ତି,  ହଠାତ୍ ବଡ଼ ଶବ୍ଦ ହୋଇଥିଲା। ପରେ ଟ୍ରେନଟି ଅଟକି ଯାଇଥିଲା। ଆମେ ହାୱଡ଼ା ଯାଉଥିଲୁ। ଏବେ କେମିତି ହାୱଡ଼ାରେ ପହଞ୍ଚିବୁ, ସେଥିପାଇଁ ଚିନ୍ତାରେ ଅଛୁ।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।