ପାଟକୁରା ପ୍ରଚାର ସରିଲା: ଗଡ଼ ଛାଡ଼ୁନାହାନ୍ତି ବିଜେଡି ନେତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଅଭିଯାନ ଶେଷ ହୋଇଛି। ୨୦ତାରିଖ ଶନିବାର ଭୋଟଗ୍ରହଣ ହେବ। ନିର୍ବାଚନୀ ପ୍ରଚାର ସରଗରମ ହୋଇଥିବା ସତ୍ତ୍ୱେ ଭୋଟରମାନଙ୍କ ମାତ୍ରାଧିକ ନିରବତା ହିଁ ପ୍ରାର୍ଥୀମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ତେବେ ନିଜ ନିଜର ପ୍ରାର୍ଥୀଙ୍କ ସପକ୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନେତା ଓ କର୍ମୀମାନେ ଶେଷ ପ୍ରୟାସରେ ଲାଗିଛନ୍ତି । ୩୬ ଘଣ୍ଟା ପୂର୍ବରୁ ନିର୍ବାଚନମଣ୍ଡଳୀ ଛାଡ଼ିବା ପାଇଁ ରହିଥିବା କମିଶନଙ୍କ ନିର୍ଦ୍ଦେଶକୁ ଅଣଦେଖା କରି […]

patakura1.jpg22

Manoranjan Sial
  • Published: Thursday, 18 July 2019
  • , Updated: 18 July 2019, 09:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଅଭିଯାନ ଶେଷ ହୋଇଛି। ୨୦ତାରିଖ ଶନିବାର ଭୋଟଗ୍ରହଣ ହେବ। ନିର୍ବାଚନୀ ପ୍ରଚାର ସରଗରମ ହୋଇଥିବା ସତ୍ତ୍ୱେ ଭୋଟରମାନଙ୍କ ମାତ୍ରାଧିକ ନିରବତା ହିଁ ପ୍ରାର୍ଥୀମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ତେବେ ନିଜ ନିଜର ପ୍ରାର୍ଥୀଙ୍କ ସପକ୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନେତା ଓ କର୍ମୀମାନେ ଶେଷ ପ୍ରୟାସରେ ଲାଗିଛନ୍ତି । ୩୬ ଘଣ୍ଟା ପୂର୍ବରୁ ନିର୍ବାଚନମଣ୍ଡଳୀ ଛାଡ଼ିବା ପାଇଁ ରହିଥିବା କମିଶନଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ବାହାରର ଶତାଧିକ ବିଜେଡି ନେତା ଏବେ ବି ପାଟକୁରାରେ ଗଡ଼ ଜଗିଛନ୍ତି। ବିଜେଡି ନେତାମାନଙ୍କୁ ୨୦ ତାରିଖ ପର୍ଯ୍ୟନ୍ତ ପାଟକୁରା ନଛାଡ଼ିବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଅଧିକାଂଶ ରାଜ୍ୟସ୍ତରୀୟ ବିଜେଡି ନେତା କେନ୍ଦ୍ରାପଡ଼ା ସହରର ବିଭିନ୍ନ ହୋଟେଲ ଓ ଦଳୀୟ କର୍ମୀଙ୍କ ଘର ଏବଂ ମହାକାଳପଡ଼ା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଡେରା ପକାଇଥିବା ସୂଚନା ମିଳିଛି। ଏହି ବିଜେଡି ନେତାମାନଙ୍କ ଗତିବିଧି ଉପରେ ସ୍ଥାନୀୟ ପ୍ରଶାସନ କୌଣସି ପ୍ରକାରର ଅଙ୍କୁଶ ଲଗାଇନି। ଯଦିଓ ପ୍ରଚାର ଶେଷ ହେବା ପରେ ନିର୍ବାଚନମଣ୍ଡଳୀ ବାହାରର ଲୋକମାନଙ୍କୁ ତୁରନ୍ତ ସେହି ସ୍ଥାନ ଛାଡ଼ିବା ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରହିଛି, ତଥାପି ବିଜେଡି ନେତାମାନେ ବେଧଡ଼କ ଅନ୍ଧାରୀ ବିଜେ କରି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ପାଇଁ ମୂଲଚାଲ କରୁଥିବା ଜଣାପଡ଼ିଛି।

ରାଜ୍ୟସ୍ତରୀୟ ବିଜେଡି ନେତାଙ୍କ ଉପସ୍ଥିତି ଯୋଗୁ ଆଜି ସନ୍ଧ୍ୟାରେ ଡେରାବିଶ ବ୍ଲକର ଗୋଟିଏ ଦୁଇଟି ସ୍ଥାନରେ ବିଜେପି ଓ ବିଜେଡି କର୍ମୀମାନେ ମୁହାଁମୁହିଁ ହୋଇଥିବାର ସୂଚନା ମିଳିଛି। ନିର୍ବାଚନ ରଣାଙ୍ଗନରେ ଜଣେ ମହିଳା ଓ ୯ଜଣ ପୁରୁଷ ପ୍ରାର୍ଥୀ ଥିଲେ ମଧ୍ୟ ମୁଖ୍ୟ ଲଢ଼େଇ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ଓ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ମଧ୍ୟରେ ହେଉଛି।

ପାଟକୁରାରେ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବା ପାଇଁ ଭୋଟରଙ୍କୁ ଖୁଲମଖୁଲା ଟଙ୍କା ବଣ୍ଟନ କରାଯାଉଥିଲେ ମଧ୍ୟ ନିର୍ବାଚନ କମିଶନ ଏପର୍ଯ୍ୟନ୍ତ ଟଙ୍କାଟିଏ ଜବତ କରିପାରିନାହାନ୍ତି। କେବଳ ୧୨ଲିଟର ମଦ ଜବତ ହୋଇଥିବା କମିଶନ ସୂଚନା ଦେଇଛନ୍ତି।

୩୦୯ ବୁଥ୍,୨,୪୪, ୭୪୭ ଭୋଟର

ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ୨୦ତାରିଖରେ ପାଟକୁରା ନିର୍ବାଚନମଣ୍ଡଳୀର ମୋଟ ୨ଲକ୍ଷ ୪୪ହଜାର ୭୪୭ ଜଣ ଭୋଟର ନିର୍ବାଚନ ମଇଦାନରେ ଥିବା ୧୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ମୋଟ ୩୦୯ଟି ବୁଥରେ ୧ଲକ୍ଷ ୨୭ହଜାର ୪୩୧ଜଣ ପୁରୁଷ ଓ ୧ଲକ୍ଷ ୧୭ହଜାର ୩୦୬ଜଣ ମହିଳା ଏବଂ ୧୦ଜଣ ତୃତୀୟ ଲିଙ୍ଗୀ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଶାନ୍ତିଶୃଙ୍ଖଳାର ସହ ଭୋଟଗ୍ରହଣ ପାଇଁ ମୋଟ ୧୭୦୦ ପୁଲିଂ କର୍ମଚାରୀଙ୍କ ସମେତ ସୁରକ୍ଷା ଦାୟିତ୍ୱରେ ସ୍ଥାନୀୟ ପୁଲିସ ସହ ୪ କମ୍ପାନୀ କେନ୍ଦ୍ରୀୟ ସାମରିକ ବାହିନୀ ମୁତୟନ ହୋଇଛନ୍ତି। ୨୦ତାରିଖ ଶନିବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ଅନୁଷ୍ଠିତ ହେବ। ୪୦ଟି ବୁଥରେ ସିସିଟିଭି ଲାଗିଥିବାବେଳେ ୧୫ଟି ବୁଥରେ ଭିଡିଓ ରେକର୍ଡିଂ କରିବାକୁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି।

Related story