ବୟସ୍କଙ୍କ ପ୍ରତି ବିପଦ ଅଧିକ, ସତର୍କ କରାଇଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଥିବାବେଳେ କରୋନାକୁ ଘରକୁ ନଆଣିବା ପାଇଁ ପୁଣିଥରେ ଅପିଲ କରିଛନ୍ତି। ସାମାଜିକ ଦୂରତ୍ୱକୁ ବଜାୟ ରଖି ଲକଡାଉନରେ ଘରେ ରହି ନିଜ ତଥା ନିଜ ପରିବାର ସଦସ୍ୟଙ୍କୁ ସୁରକ୍ଷିତ ରଖିବା ଓ ବିଶେଷକରି କରୋନା ସଂକ୍ରମଣର ଶିକାର ହେଉଥିବା ବୟସ୍କଙ୍କ ଜୀବନପ୍ରତି ଅଧିକ ବିପଦ ରହୁଥିବାରୁ ପରିବାର ସଦସ୍ୟମାନେ ଏଥିପ୍ରତି ଦୃଷ୍ଟି ଦେବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ଆଜି ନିୟମିତ ସାମ୍ବାଦିକ ସମ୍ମିଳନୀରେ […]

oldman

oldman

Manoranjan Sial
  • Published: Friday, 24 April 2020
  • Updated: 24 April 2020, 09:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଥିବାବେଳେ କରୋନାକୁ ଘରକୁ ନଆଣିବା ପାଇଁ ପୁଣିଥରେ ଅପିଲ କରିଛନ୍ତି। ସାମାଜିକ ଦୂରତ୍ୱକୁ ବଜାୟ ରଖି ଲକଡାଉନରେ ଘରେ ରହି ନିଜ ତଥା ନିଜ ପରିବାର ସଦସ୍ୟଙ୍କୁ ସୁରକ୍ଷିତ ରଖିବା ଓ ବିଶେଷକରି କରୋନା ସଂକ୍ରମଣର ଶିକାର ହେଉଥିବା ବୟସ୍କଙ୍କ ଜୀବନପ୍ରତି ଅଧିକ ବିପଦ ରହୁଥିବାରୁ ପରିବାର ସଦସ୍ୟମାନେ ଏଥିପ୍ରତି ଦୃଷ୍ଟି ଦେବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି।

ଆଜି ନିୟମିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ କହିଛନ୍ତି ଯେ, କରୋନା ସଂକ୍ରମିତ ହେଉଥିବା ବୟସ୍କ ଲୋକଙ୍କ ଜୀବନ ପ୍ରତି ବିପଦ ଅଧିକ ରହିଛି। କରୋନା ସଂକ୍ରମିତ ହେଉଥିବା ୪୦ରୁ ୫୦ବର୍ଷ ବୟସ୍କ ଲୋକଙ୍କ ମଧ୍ୟରେ ପ୍ରତି ୧୦୦୦ରେ ହାରାହାରି ୩ଜଣଙ୍କ ମୃତ୍ୟୁ ହେଉଥିବାବେଳେ ୫୦ରୁ ୬୦ବର୍ଷ ବୟସ୍କଙ୍କ ମଧ୍ୟରେ ୧୨ଜଣ, ୬୦ରୁ ୭୦ବର୍ଷ ବୟସ୍କଙ୍କ ମଧ୍ୟରେ ୪୦ଜଣ, ୭୦ରୁ ୮୦ବର୍ଷ ବୟସ୍କଙ୍କ ମଧ୍ୟରେ ୮୬ଜଣ ଓ ସଂକ୍ରମିତ ହେଉଥିବା ୮୦ବର୍ଷରୁ ଅଧିକ ବୟସର ଲୋକଙ୍କ ମଧ୍ୟରେ ପ୍ରତି ୧ହଜାରରେ ୧୩୪ଜଣଙ୍କ ମୃତ୍ୟୁ ହୋଇଥାଏ। ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରେ ଅଧିକାଂଶ ବୟସ୍କ ଲୋକ ଥିବା ଓ ସେମାନେ ଘର ବାହାରକୁ ନଯାଇ ସୁଦ୍ଧା ସଂକ୍ରମଣର ଶିକାର ହେଉଥିବାରୁ ଏହାକୁ ନେଇ ଶ୍ରୀ ବାଗଚୀ ଉଦବେଗ ବ୍ୟକ୍ତ କରିଥିଲେ। ୬୦ରୁ ଅଧିକ ବୟସର ଲୋକଙ୍କ ମଧ୍ୟରେ ରୋଗ ପ୍ରତିଷେଧକ କ୍ଷମତା ହ୍ରାସ ପାଉଥିବା ଓ ୭୦ବର୍ଷରୁ ଅଧିକ ବୟସର ଲୋକଙ୍କ ମଧ୍ୟରେ ବାର୍ଦ୍ଧକ୍ୟଜନିତ ରୋଗ ଦେଖା ଦେଉଥିବାରୁ ଘରକୁ କରୋନା ନଆଣିବା ପାଇଁ ପରିବାର ସଦସ୍ୟମାନେ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ।

ଶ୍ରୀ ବାଗଚୀ କହିଥିଲେ ଯେ, ରୋଗୀଙ୍କ ପରିବହନ କାର୍ଯ୍ୟରେ ନିୟୋଜିତ ଆମ୍ବୁଲାନ୍ସ ବିଶ୍ୱାସରେ ଚାଲେ। କିନ୍ତୁ ୧୦ପ୍ରତିଶତ ଡ୍ରାଇଭରଙ୍କ ବିଶ୍ୱାସଘାତକତା ପାଇଁ ଏବେ ସମସ୍ତ ଆମ୍ବୁଲାନ୍ସକୁ ହଇରାଣ ହେବାକୁ ପଡ଼ୁଛି। ଅଯଥାରେ ସବୁ ଆମ୍ବୁଲାନ୍ସକୁ ଚେକିଂ କରିବାକୁ ପଡ଼ୁଛି। ଆମ୍ବୁଲାନ୍ସରେ ପଶ୍ଚିମବଙ୍ଗରୁ ଲୋକମାନେ ଓଡ଼ିଶା ଫେରିଥିବାର ଉଦାହରଣ ଦେଇ ଶ୍ରୀ ବାଗଚୀ ଏହା କହିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ୍ବୁଲାନ୍ସ ଚାଳକଙ୍କୁ ଏ ଦିଗରେ ବିବେକର ସହ କାମ କରିବା ପାଇଁ ପରାମର୍ଶ ଦେଇଥିବା ସେ କହିଛନ୍ତି।

କୋଭିଡ୍‌-୧୯ ଚିକିତ୍ସା ସେବାକୁ ସବୁ ଜିଲ୍ଲାକୁ ସମ୍ପ୍ରସାରିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ଖଣି ନିଗମ ସହଯୋଗରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ ଆଜି ୬ଟି ଆଇସିୟୁ ଓ ୨୦୦ ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି ବୋଲି ଶ୍ରୀ ବାଗଚୀ କହିଥଲେ। ଏହାକୁ ମିଶାଇ ରାଜ୍ୟରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ସଂଖ୍ୟା ୩୩ରେ ପହଂଚିଥିବାବେଳେ ମୋଟ ବେଡ୍ ସଂଖ୍ୟା ୫୪୭୬କୁ ବୃଦ୍ଧି ପାଇଛି। ସେହିପରି ୧୧ଟି ଜିଲ୍ଲାର ୧୦୫ଜ ନର୍ସଙ୍କ ପାଇଁ କଟକସ୍ଥିତ ଏସସିବି ମେଡିକାଲ କଲେଜରେ କ୍ରିଟିକାଲ କେୟାର ଆଇସିୟୁ ଟ୍ରେନିଂ କାର୍ଯ୍ୟକ୍ରମ ଜାରି ରହିଛି ଓ ଏହା ୭ଦିନ ଧରି ଚାଲିବ।

ଶ୍ରୀ ବାଗଚୀ ଆହୁରି ମଧ୍ୟ କହିଥିଲେ ଯେ, ଆଜିସୁଦ୍ଧା ସମଗ୍ର ଦେଶରେ ମୋଟ ୨୩,୦୭୭ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ଏପର୍ଯ୍ୟନ୍ତ ୭୧୮ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ଏବେ ୯୪ରେ ପହଂଚିଛି। ଆଜି ଅପରାହ୍ନରେ ଚିହ୍ନଟ ହୋଇଥିବା ସମସ୍ତ ୪ଟି କେସ୍ ଭଦ୍ରକ ଜିଲ୍ଲାର ବୋଲି ସେ କହିଛନ୍ତି। ଭଦ୍ରକ ଜିଲ୍ଲାର ମଠସାହିର ଜଣେ ୪୦ବର୍ଷ ବୟସ୍କ ପୁରୁଷ, ଖଡ଼ିପଦାର ୨୯ବର୍ଷର ଯୁବକ, କାନପୁରର ୪୧ବର୍ଷୀୟ ପୁରୁଷ ଓ କଲ୍ୟାଣୀର ୨୪ବର୍ଷୀୟ ଯୁବକ ସଂକ୍ରମିତ ହୋଇଛନ୍ତି। ଏମାନେ ସମସ୍ତେ କୋଲକାତା ଫେରନ୍ତା ବୋଲି ସେ କହିଛନ୍ତି। ଆଜିସୁଦ୍ଧା ମୋଟ ୩୩ଜଣ ସଂକ୍ରମିତ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଏବେ ୬୦ଜଣ ସକ୍ରମିତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଥିବାବେଳେ ୧୭୦ଜଣ ଆଇସୋଲେସନରେ ଅଛନ୍ତି ବୋଲି ଶ୍ରୀ ବାଗଚୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos