ଭୁବନେଶ୍ୱର (ଲକ୍ଷ୍ମୀନାରାୟଣ କାନୁନଗୋ): ଓଡ଼ିଶାର ଗ୍ରାହକଙ୍କୁ ଶସ୍ତାରେ ବିଜୁଳି ନ ବିକି ତାମିଲନାଡୁକୁ ବିକାଯାଉଛି। ଏକଥା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। ଓଡ଼ିଶାର ତାଳଚେର କଣିହାଁ ତାପଜ ବିଦ୍ୟୁତ କେନ୍ଦ୍ରରୁ ତାମିଲନାଡୁ ବାର୍ଷିକ ପ୍ରାୟ ୩୦୦୦ ନିୟୁତ ବିଦ୍ୟୁତ କିଣୁଛି। ତାମିଲନାଡୁ ପାଇଁ ଏହି ଦର ୟୁନିଟ ପିଛା ୨ଟଙ୍କା ୫୩ ପଇସା ଥିବା ବେଳେ ଓଡ଼ିଶାର ଗ୍ରୀଡ଼କୋ ପାଇଁ ଦର ରହିଛି ୨ ଟଙ୍କା ୮୩ ପଇସା। ୨୦୨୦-୨୧ରେ ଗ୍ରୀଡ଼କୋ ତାଳଚେରରୁ ୟୁନିଟ୍ ପିଛା ୨ଟଙ୍କା ୯୭ ପଇସାରେ ବିଦ୍ୟୁତ କିଣିବା ପାଇଁ ପ୍ରସ୍ତାବ ଦେଇଥିଲା। ମାତ୍ର ଓଇଆରସି ଏହାକୁ ୨ଟଙ୍କା ୮୩ ପଇସା କରିଦେଲା। ଏହାକୁ କେମିତି ଆଖି ବୁଜି ଦେଇଛନ୍ତି ରାଜ୍ୟ ବିଦ୍ୟୁତ ନିୟାମକ କମିଶନ (ଓଇଆରସି), ସେନେଇ ଉଠିଛି ପ୍ରଶ୍ନ।
ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ କହିଛନ୍ତି, ଓଇଆରସି ରାଜ୍ୟ ସ୍ୱାର୍ଥ ଉପରେ କିଭଳି ଆଖି ବୁଜିଦେଲା? ତୃତୀୟ ମହଲାରେ ଗଣ୍ଡାଗଣ୍ଡା ଅଫିସରମାନେ ଏହାକୁ ଦେଖିଲେ ନାହିଁ କିଭଳି? ଓଇଆରସିକୁ ଭାଙ୍ଗି ଦିଆଯାଉ। ଦରକାର ପଡ଼ିଲେ ସେମାନେ ସରକାରଙ୍କୁ କୋର୍ଟକୁ ଟାଣିବେ।
ଓଡ଼ିଶା ରାଜ୍ୟ ଉପଭୋକ୍ତା ମହାସଂଘ ସଭାପତି ପଂଚାନନ କାନୁନଗୋ କହିଛନ୍ତି ଏଭଳି ଅସଙ୍ଗତି ଦୂର ଓ ରାଜ୍ୟ ସ୍ୱାର୍ଥ ବିରୋଧୀ କାର୍ଯ୍ୟ ବନ୍ଦ ପାଇଁ ସିଏଜି ଓ ଏନର୍ଜି ଅଡିଟ୍ ପାଇଁ ଆମେ ବାରମ୍ବାର ଦାବି କରିଛୁ।
ଏଭଳି କାରବାରରେ ତାମିଲନାଡ଼ୁର ପ୍ରାୟ ୩ କୋଟି ବିଦ୍ୟୁତ ଗ୍ରାହକ ଶସ୍ତାରେ ବିଜୁଳି ପାଉଥିବା ବେଳେ ଓଡ଼ିଶାର ପ୍ରାୟ ୧ କୋଟି ବିଦ୍ୟୁତ ଗ୍ରାହକ ଚଢ଼ା ଦରରେ ବିଜୁଳି ପାଉଛନ୍ତି। ଓଡ଼ିଶାରେ ଥିବା ତାପଜ ବିଦ୍ୟୁତ ପ୍ଲାଂଟରୁ ଓଡ଼ିଶା ଚଢ଼ା ଦରରେ ବିଜୁଳି କିଣୁଛି ଆଉ ଏହାକୁ ଅନୁମୋଦନ ଦେଉଛି ଓଡ଼ିଶା ବିଦ୍ୟୁତ ନିୟାମକ କମିଶନ (ଓଇଆରସି)।
ଏନେଇ ଓଇଆରସିର ଲୋକ ସଂପର୍କ ଅଧିକାରୀ ସଂଜୟ ରାଉତ କହିଛନ୍ତି, ଆନ୍ତଃରାଜ୍ୟ ବିଦ୍ୟୁତ ପ୍ରସଙ୍ଗ ସିଇଆରସି (କେନ୍ଦ୍ରୀୟ ବିଦ୍ୟୁତ ନିୟାମକ ଆୟୋଗ)ଙ୍କ ଅଧୀନରେ ଆସୁଛି। ଆପଣ ଏ ସଂପର୍କରେ ଗ୍ରୀଡ଼କୋକୁ ପଚାରିପାରନ୍ତି।
ବିଦ୍ୟୁତ ନିୟାମକ ଆୟୋଗ ଲୋକଙ୍କ ସ୍ୱାର୍ଥ ବିରୋଧରେ କାମ କରୁଥିବା ଜଣାପଡ଼ିଲେ, ରାଜ୍ୟ ସରକାର ବି ହସ୍ତକ୍ଷେପ କରିପାରିବେ। ଏଥିପାଇଁ ୨୦୦୩ ମସିହାର କେନ୍ଦ୍ରୀୟ ବିଦ୍ୟୁତ ଆଇନର ଧାରା-୧୦୮ରେ ବ୍ୟବସ୍ଥା ରହିଛି। ହେଲେ ଓଡ଼ିଶା ସରକାର ଏପର୍ଯ୍ୟନ୍ତ ଏଥିରେ କିଭଳି ହସ୍ତକ୍ଷେପ କରିନାହାନ୍ତି ଓ ତୃତୀୟ ମହଲାର ଅଧିକାରୀମାନେ କିଭଳି ରାଜ୍ୟ ସ୍ୱାର୍ଥକୁ ଅଣଦେଖା କରୁଛନ୍ତି ଓ ତାମିଲନାଡୁ ପ୍ରୀତି ଦେଖାଉଛନ୍ତି, ତାହା ସାଧାରଣରେ ଆଲୋଚନାର ବିଷୟ ହୋଇଛି।
https://www.youtube.com/watch?v=pzwevcNaO6s
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।