ବିଜେଡିକୁ ବିଜୟ ଭୟ: ପାଟକୁରା ପାଇଁ ବ୍ଲୁ-ପ୍ରିଣ୍ଟ, ଜଗିବେ ୭ ବରିଷ୍ଠ ନେତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳବଳକୌଶଳ ଲଗାଇ ପାଟକୁରା ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବା ବିଜେଡି ଏବେ ଆଶଙ୍କାରେ। ପାଟକୁରାରେ ପରାଜିତ ପ୍ରାର୍ଥୀ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପରବର୍ତ୍ତୀ କାର୍ଯ୍ୟପନ୍ଥା କ’ଣ ରହିବ, ତାକୁ ନେଇ ଆଶଙ୍କାରେ ଥିବା ବିଜେଡି ପ୍ରଥମଥର ପାଇଁ ନିଜର ରଣନୀତିରେ ପରିବର୍ତ୍ତନ କରିଛି। ପାଟକୁରା ବିଧାନସଭାକୁ ଦଳୀୟ ବିଧାୟିକାଙ୍କ ଭରସାରେ ଛାଡ଼ି ନଦେଇ ଦଳ ନିଜର ୭ଜଣ ବରିଷ୍ଠ ତଥା ପ୍ରଭାବଶାଳୀ ନେତାଙ୍କୁ ନିର୍ବାଚନମଣ୍ଡଳୀର ଦାୟିତ୍ୱ ଦେଇଛି। ନିର୍ବାଚନମଣ୍ଡଳୀରେ ବିଜେପି ନେତା […]

bijay-mohapatra

bijay-mohapatra

Manoranjan Sial
  • Published: Monday, 19 August 2019
  • Updated: 20 August 2019, 09:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳବଳକୌଶଳ ଲଗାଇ ପାଟକୁରା ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବା ବିଜେଡି ଏବେ ଆଶଙ୍କାରେ। ପାଟକୁରାରେ ପରାଜିତ ପ୍ରାର୍ଥୀ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପରବର୍ତ୍ତୀ କାର୍ଯ୍ୟପନ୍ଥା କ’ଣ ରହିବ, ତାକୁ ନେଇ ଆଶଙ୍କାରେ ଥିବା ବିଜେଡି ପ୍ରଥମଥର ପାଇଁ ନିଜର ରଣନୀତିରେ ପରିବର୍ତ୍ତନ କରିଛି। ପାଟକୁରା ବିଧାନସଭାକୁ ଦଳୀୟ ବିଧାୟିକାଙ୍କ ଭରସାରେ ଛାଡ଼ି ନଦେଇ ଦଳ ନିଜର ୭ଜଣ ବରିଷ୍ଠ ତଥା ପ୍ରଭାବଶାଳୀ ନେତାଙ୍କୁ ନିର୍ବାଚନମଣ୍ଡଳୀର ଦାୟିତ୍ୱ ଦେଇଛି। ନିର୍ବାଚନମଣ୍ଡଳୀରେ ବିଜେପି ନେତା ଶ୍ରୀ ମହାପାତ୍ରଙ୍କ ପ୍ରଭାବକୁ ହ୍ରାସ କରିବା ପାଇଁ ଏହି ନେତାମାନେ ପାଟକୁରାର ସାଧାରଣ ଲୋକଙ୍କୁ ବିଜେଡି ସହ ବାନ୍ଧି ରଖିବା ଦିଗରେ କାର୍ଯ୍ୟ କରିବେ। ଏପରିକି ନିର୍ବାଚନମଣ୍ଡଳୀର କେଉଁ ଲୋକଙ୍କୁ ଭତ୍ତା ଓ ଘର ମିଳିବ ତଥା ବିଭିନ୍ନ ଗ୍ରାମପଞ୍ଚାୟତକୁ ବିଭନ୍ନ ଯୋଜନାରେ ଆସୁଥିବା ପାଣ୍ଠି କିଭଳି ଖର୍ଚ୍ଚ କରାଯିବ, ତାହା ଏହି ୭ଜଣ ନେତା ହିଁ ଚୂଡ଼ାନ୍ତ କରିବେ।

ପାଟକୁରା ବିଧାନସଭା ନିର୍ବାଚନରେ ସରକାର ଓ ଶାସକ ଦଳ ପୁରା ତାକତ୍ ଲଗାଇଥିଲେ ମଧ୍ୟ ବିଜେଡି ସେଠାରେ ମାତ୍ର ୧୮ହଜାର ଭୋଟ ଅଧିକ ଭୋଟ୍ ପାଇ ଜିତିବାରେ ସକ୍ଷମ ହୋଇଥିଲା। ଭୋଟ୍ ବ୍ୟବଧାନ ଉତ୍ସାହଜନକ ନରହିବା ଓ ‘କିଲ୍ ବିଜୟ’ ପ୍ରୋଜେକ୍ଟ ଆଗାମୀ ଦିନରେ ବିଜେଡିକୁ ମହଙ୍ଗା ପଡ଼ିବ ବୋଲି ପରାଜିତ ପ୍ରାର୍ଥୀ ବିଜୟ ମହାପାତ୍ର ଖୋଲାଖୋଲି ଚେତାବନୀ ଦେବାପରେ ପାଟକୁରାକୁ ନେଇ ବିଜେଡିର ରଣନୀତି ବଦଳିଛି। ସେଠାରେ ଦିବଂଗତ ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ତଥା ନବନିର୍ବାଚିତ ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କ ଭରସାରେ ସଂଗଠନକୁ ନଛାଡ଼ି ଦଳର ୭ ବରିଷ୍ଠ ନେତାଙ୍କୁ ଏହି ଗୁରୁଦାୟିତ୍ୱ ନ୍ୟସ୍ତ କରିଛି। ଆଉ ବିଧାୟିକାଙ୍କ ଭୂମିକାକୁ ଗୌଣ କରି ନିର୍ବାଚନମଣ୍ଡଳୀର ବିଜେଡି ସମର୍ଥିତ ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧି ଓ ଆଗଧାଡ଼ିର କର୍ମୀମାନଙ୍କୁ ଭୁବନେଶ୍ୱର ଡକାଇ ଗତକାଲି ଏହି ନେତାମାନେ କବାଟକିଳା ବୈଠକରେ ବିଚାରବିମର୍ଶ କରିଛନ୍ତି।

ପାଟକୁରାରେ ଦଳର ୭ଜଣ ପ୍ରଭାବଶାଳୀ ନେତା ଓ ସ୍ଥାନୀୟ ବିଧାୟିକାଙ୍କ ଭୂମିକା କ’ଣ ରହିବ ସେ ନେଇ ଆଳି ବିଧାୟକ ପ୍ରତାପ କେଶରୀ ଦେବ ଉକ୍ତ ବୈଠକରେ ପାଟକୁରା ନିର୍ବାଚନମଣ୍ଡଳୀର ଦଳୀୟ ନେତା ଓ କର୍ମୀମାନଙ୍କ ଆଗରେ ବ୍ଲୁ-ପ୍ରିଣ୍ଟ ଉପସ୍ଥପାପନ କରିଥିଲେ। ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ୩ଟି ବ୍ଲକ ଡେରାବିଶ, ଗରଦପୁର ଓ ମାର୍ଶାଘାଇରେ ଦଳକୁ ସୁଦୃଢ଼ ରଖିବା ଓ ବିଜୟ ମହାପାତ୍ରଙ୍କ ପ୍ରଭାବକୁ ହ୍ରାସ କରିବା ପାଇଁ ବିଜେଡି ୩ ସୂତ୍ରୀୟ ଫର୍ମୂଲା ପ୍ରସ୍ତୁତ କରିଛି। ଦଳର ୭ଜଣ ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରଫୁଲ୍ଲ ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକ,ପ୍ରତାପ ଦେବ, ସଞ୍ଜୟ ଦାସବର୍ମା, ଦେବୀ ମିଶ୍ର ଓ ଅରୁଣ ସାହୁଙ୍କୁ ନିର୍ବାଚନମଣ୍ଡଳୀର ବିଭିନ୍ନ ବ୍ଲକର ଦାୟିତ୍ୱ ନ୍ୟସ୍ତ ହୋଇଛି।

ପ୍ରଥମତଃ ସାଧାରଣ ଓ ଦଳୀୟ ଲୋକଙ୍କୁ ବିଭିନ୍ନ ସରକାରୀ ସୁବିଧା ଯେଭଳି ସିଧାସଳଖ ମିଳିବ ସେଥିପାଇଁ ପଦକ୍ଷେପ ନିଆଯିବ। ସେହିପରି ବ୍ଲକସ୍ତରରେ ଏହି ପର୍ଯ୍ୟବେକ୍ଷକମାନଙ୍କ ନେତୃତ୍ୱରେ ୫ଜଣିଆ କମିଟି ଗଠନ ହେବ। ଏହି କମିଟି ମାଧ୍ୟମରେ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ, କେଉଁ କର୍ମୀଙ୍କୁ କେଉଁ ଠିକା ଦିଆଯିବ, ସେସବୁ ସ୍ଥିର କରାଯିବ। ବିଭିନ୍ନ ଯୋଜନାରେ ବ୍ଲକ ମାଧ୍ୟମରେ ପଞ୍ଚାୟତକୁ ମିଳୁଥିବା ଉନ୍ନୟନ କାମର ତଦାରଖ ଏହି କମିଟି କରିବ। ସେହିପରି ପଞ୍ଚାୟତକୁ ସିଧାସଳଖ ମିଳୁଥିବା ପାଣ୍ଠିକୁ ସ୍ଥାନୀୟ ସରପଞ୍ଚମାନେ ମନଇଚ୍ଛା ଖର୍ଚ୍ଚ ନକରି ଏହି କମିଟି ସହ ପରାମର୍ଶ କରି ଅର୍ଥ ବ୍ୟୟ କରିବେ। ବିଧାୟିକା କେବଳ ବିଭିନ୍ନ ବିଭାଗ ଯଥା ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ , ପାନୀୟ ଜଳ ଓ ଜଳସମ୍ପଦ ବିଭାଗ ପକ୍ଷରୁ ଯେଉଁ କାର୍ଯ୍ୟ ଆସିବ ତାକୁ ତଦାରଖ କରିବେ ବୋଲି ଜଣାପଡ଼ିଛି।

ରାଜ୍ୟର ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ବିଜେଡି ୧୧୨ଟିରେ ବିଜୟୀ ହୋଇଥିବାବେଳେ ଦଳ କେବଳ ପାଟକୁରା ଦାୟିତ୍ୱରେ ୭ଜଣ ନେତାଙ୍କୁ ମୁତୟନ କରିବା ବିଜୟ ମହାପାତ୍ରଙ୍କ ପ୍ରତି ଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅହେତୁକ ଓ ଅଜଣା ଭୟକୁ ଏବେ ପଦାରେ ପକାଇଥିବା ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos