୮୧୨୬ କୋଟିର ଅତିରିକ୍ତ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୮୧୨୬.୩୨କୋଟି ଟଙ୍କାର ଅତିରିକ୍ତ ବଜେଟକୁ ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଉପସ୍ଥାପିତ କରିଛନ୍ତି। ତେବେ ଅତିରିକ୍ତ ବଜେଟରେ କର୍ମଚାରୀଙ୍କ ପାଇଁ ସପ୍ତମ ବେତନ କମିଶନ ହାରରେ ବକେୟା ବାବଦ ଅର୍ଥ ନିମନ୍ତେ କୌଣସି ବ୍ୟୟବରାଦ କରାଯାଇନଥିବାବେଳେ କେନ୍ଦ୍ର ସରକାର କର୍ପୋରେଟ୍ ଟିକସ ହ୍ରାସ ଯୋଗୁ ରାଜ୍ୟକୁ ଜିଏସଟି ବାବଦରେ କେତେ କମ୍ ଅର୍ଥ ମିଳିବ ସେ ନେଇ କୌଣସି ଆକଳନ କରାଯାଇନି ବୋଲି ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ […]

assembly00000000

assembly00000000

Manoranjan Sial
  • Published: Wednesday, 13 November 2019
  • Updated: 13 November 2019, 07:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୮୧୨୬.୩୨କୋଟି ଟଙ୍କାର ଅତିରିକ୍ତ ବଜେଟକୁ ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଉପସ୍ଥାପିତ କରିଛନ୍ତି। ତେବେ ଅତିରିକ୍ତ ବଜେଟରେ କର୍ମଚାରୀଙ୍କ ପାଇଁ ସପ୍ତମ ବେତନ କମିଶନ ହାରରେ ବକେୟା ବାବଦ ଅର୍ଥ ନିମନ୍ତେ କୌଣସି ବ୍ୟୟବରାଦ କରାଯାଇନଥିବାବେଳେ କେନ୍ଦ୍ର ସରକାର କର୍ପୋରେଟ୍ ଟିକସ ହ୍ରାସ ଯୋଗୁ ରାଜ୍ୟକୁ ଜିଏସଟି ବାବଦରେ କେତେ କମ୍ ଅର୍ଥ ମିଳିବ ସେ ନେଇ କୌଣସି ଆକଳନ କରାଯାଇନି ବୋଲି ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।

ଆଜି ବିଧାନସଭାରେ ବଜେଟ୍ ଆଗତ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ଏହି ଅତିରିକ୍ତ ବଜେଟରେ ସର୍ବାଧିକ ୭୪୩୨.୮୦କୋଟି ଟଙ୍କା କାର୍ଯ୍ୟକ୍ରମ ବାବଦରେ ବ୍ୟୟ ନିମନ୍ତେ ଆକଳନ କରାଯାଇଥିବାବେଳେ ପୂର୍ତ୍ତ ବିଭାଗକୁ ସର୍ବାଧିକ ୧୭୫୧.୪୩ କୋଟି ଟଙ୍କା, ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ୯୨୧.୦୯କୋଟି ଟଙ୍କା, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ୮୫୯.୦୨କୋଟି ଟଙ୍କା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ୯୦୨କୋଟି ଟଙ୍କା, ଶକ୍ତି ବିଭାଗକୁ ୮୫୧.୧୫କୋଟି ଟଙ୍କା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପାଇଁ ୫୦୪.୧୯କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।ଜନସାଧାରଣଙ୍କ ଆଶା ଓ ଆକାଂକ୍ଷାକୁ ଦୃଷ୍ଟିରେ ରଖି ଉପଲବ୍ଧ ସମ୍ବଳର ପୁନଃବିନିଯୋଗ କରି ଓ ବିଭିନ୍ନ ସୂତ୍ରରୁ ସହବନ୍ଧିତ ସମ୍ବଳର ପ୍ରାପ୍ତିକୁ ଆଶା ରଖି ଅତିରିକ୍ତ ବଜେଟ୍ ପାଇଁ ବ୍ୟୟବରାଦ କରାଯାଇଛି।

ଅତିରିକ୍ତ ବଜେଟ୍ ପାଇଁ ବ୍ୟୟବରାଦ ହୋଇଥିବା ୮୧୨୬.୩୨କୋଟି ଟଙ୍କା ମଧ୍ୟରୁ ୪୧୪୪.୫୦କୋଟି ଟଙ୍କା ବିଭିନ୍ନ ବିଭାଗ ଦ୍ୱାରା ସମର୍ପିତ ହୋଇଥିବା ବ୍ୟୟବରାଦ ଓ ଅନୁଦାନରୁ ସର୍ମପଣ ହୋଇଥିବା ଅର୍ଥରୁ ଭରଣା କରାଯିବ। ସେହିପରି ସହବନ୍ଧିତ ସମ୍ବଳ ସୂତ୍ରରୁ ୨୯୮୧.୮୮କୋଟି ଟଙ୍କା ଓ ଅଣବନ୍ଧିତ ସମ୍ବଳରୁ ୧୦୦୦କୋଟି ଟଙ୍କା ସଂଗ୍ରହ କରାଯିବ।

ଆରକ୍ଷୀ ବ୍ୟବସ୍ଥା ବ୍ୟତୀତ ଲୋକସଭା ଓ ରାଜ୍ୟ ବିଧାନସଭା ପାଇଁ ଏକକ ନିର୍ବାଚନ ପରିଚାଳନା ନିମନ୍ତେ ୨୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସହରାଞ୍ଚଳ ସ୍ଥାନୀୟ ନିକାୟ ସଂସ୍ଥା ନିର୍ବାଚନ ନିମନ୍ତେ ଇଭିଏମ୍ କିଣିବା ପାଇଁ ୧୬.୧୧କୋଟି ଟଙ୍କା, କୃଷକ କଲ୍ୟାଣ ଓ ଖାଦ୍ୟ ନିରାପତ୍ତା ପାଇଁ ମୋଟ ୫୨୭.୪୦କୋଟି ଟଙ୍କା ଟଙ୍କା ବ୍ୟୟବରାଦ କରାଯାଇଛି। ଗ୍ରାମ୍ୟ ଉନ୍ନୟନ ପାଇଁ ମୋଟ ୯୪୮.୫୫କୋଟି ଟଙ୍କା , ବିଜୁ ପକ୍କାଘର ଓ ପିଏମଏୱାଇ ଗ୍ରାମୀଣ ଯୋଜନା ନିମନ୍ତେ ୨୫୧.୬୭କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ଚଳିତ ବର୍ଷ ସୁଦ୍ଧା ରାଜ୍ୟର ଋଣ ଭାଗ ୮୩,୩୦୭କୋଟି ଟଙ୍କା ଥିବାବେଳେ ୨୦୧୯-୨୦ ଆର୍ଥିକ ବର୍ଷରେ କେତେ ଋଣ ରାଜ୍ୟ ସରକାର କରିଛନ୍ତି ସେ ନେଇ ଅର୍ଥମନ୍ତ୍ରୀ କୌଣସି ସୂଚନା ଦେଇନଥିଲେ। ସୂଚନାଯୋଗ୍ୟ, ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷରେ ମୋଟ ୧.୩୯ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିଥିବାବେଳେ ଅତିରିକ୍ତ ବଜେଟକୁ ମିଶାଇଲେ ଚଳିତ ଆର୍ଥିକ ବର୍ଷରେ ମୋଟ ବଜେଟ୍ ପରିମାଣ ୧ଲକ୍ଷ ୪୭ହଜାର ୧୨୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos