ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ସଦର ଥାନା ମିର୍ଦ୍ଧାପାଲି ଗାଁରେ ଗୋଟିଏ ପରିବାରକୁ ସାମାଜିକ ବାସନ୍ଦ ଘଟଣାରେ ସରପଞ୍ଚ ପିଙ୍କୁ ପଟେଲଙ୍କ ସମେତ ୬ ଜଣଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। ଗଣମାଧ୍ୟମରୁ ଘଟଣା ସମ୍ପର୍କରେ ଜାଣି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ତଦନ୍ତ ନିର୍ଦ୍ଦେଶ ଦେବା ପରେ ହୋଇଛି ଏହି ପ୍ରାଥମିକ କାର୍ଯ୍ୟାନୁଷ୍ଠାନ।
ଗତ ୨୭ ତାରିଖରେ ଗାଁରେ ଶୁଲିଆ ଯାତ୍ରା ବେଳେ ସାଇକେଲ ଷ୍ଟାଣ୍ଡ କରି ଫି’ ଆଦାୟ କରିବା ଘଟଣାକୁ ବିରୋଧ କରିବାରୁ ସରୋଜ ରାଉତଙ୍କ ପରିବାରକୁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। ଗାଁରେ କଙ୍ଗାରୁ କୋର୍ଟ ବସି ତାଙ୍କ ପରିବାରକୁ ଗାଁରୁ ନିଆଁପାଣି ବାସନ୍ଦ କରାଯାଇଛି। କଙ୍ଗାରୁ କୋର୍ଟରେ ନିର୍ଦ୍ଦେଶ ଦିଆଯାଇଛି ଯେ ରାଉତ ପରିବାର ସହ ଗାଁର କୌଣସି ଲୋକ କଥାବାର୍ତ୍ତା କରିବେ ନାହିଁ। ଗାଁ ଦୋକାନରୁ ସେମାନେ ଜିନିଷ କିଣି ପାରିବେ ନାହିଁ। ଯଦି କେହି ଏହି ନିର୍ଦ୍ଦେଶକୁ ବେଖାତିର କରିବେ, ତେବେ ଗାଁ କମିଟି ନିଷ୍ପତ୍ତି ଅନୁଯାୟୀ ତାଙ୍କୁ ୫ ହଜାର ଏକ ଟଙ୍କା ଜୋରିମାନା ଦେବାକୁ ପଡ଼ିବ।
ମିର୍ଦ୍ଧାପାଲି ସରପଞ୍ଚ ପିଙ୍କୁ ପଟେଲ ରାଜନୀତିକ ଆକ୍ରୋଶ ରଖି ସରୋଜଙ୍କ ପରିବାରକୁ ଷଡ଼ଯନ୍ତ୍ର କରି ଏଭଳି ଦଣ୍ଡ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳେ ସରପଞ୍ଚ ପିଙ୍କୁ ପଟେଲଙ୍କ ବିରୋଧୀ ଗୋଷ୍ଠୀରେ ରାଉତ ପରିବାର ରହିଥିଲେ। ଏଥିପାଇଁ ସେମାନଙ୍କୁ ପାନେ ଦେବାକୁ ସରପଞ୍ଚ ସୁଯୋଗ ଅପେକ୍ଷା ରହିଥିଲେ। ଗତ ୨୭ ତାରିଖ ମିର୍ଦ୍ଧାପାଲି ଗାଁରେ ଆୟୋଜିତ ହୋଇଥିଲା ଶୁଲିଆ ଯାତ୍ରା। ଭିଡ ଯୋଗୁ ସାଇକଲେ ଓ ମୋଟର ସାଇକେଲ ଷ୍ଟାଣ୍ଡ କରାଯାଇଥିଲା। ଗାଁ କମିଟି ନିଷ୍ପତ୍ତି କ୍ରମେ ଗାଁର ମହାକାଲ କ୍ଳବ ଷ୍ଟାଣ୍ଡରୁ ନିର୍ଦ୍ଦିଷ୍ଟ ଫି ଆଦାୟ କରୁଥିଲେ। ତେବେ ସାଇକେଲ ଷ୍ଟାଣ୍ଡରୁ ଫି’ ଆଦାୟକୁ ବିରୋଧ କରିଥିଲେ ସରୋଜ ରାଉତ। ଏଥିପାଇଁ ସେଠାରେ କ୍ଲବ ସଦସ୍ୟ ଓ ସରୋଜଙ୍କ ମଧ୍ୟରେ ପାଟିତୁଣ୍ତ ହୋଇଥିଲା। ସେହିପରି ଘଟଣାକୁ ନେଇ ଗତକାଲି ପୋଖରୀ ତୁଠରେ ରାଉତ ପରିବାର ଓ କ୍ଳବ ପିଲାଙ୍କ ଭିତରେ ପୁଣିଥରେ ବଚସା ହୋଇଥିଲା। ତା’ପରେ ରାତିରେ ବସିଥିଲା କଙ୍ଗାରୁ କୋର୍ଟ। ସେଠାକୁ ରାଉତ ପରିବାରକୁ ଡକାଯାଇଥିଲା। ଭୁଲ ମାଗିବାକୁ ନିର୍ଦେଶ ଦିଆଯାଇଥିଲା। କିନ୍ତୁ ଦୋଷ ସ୍ୱୀକାର କରି ରାଉତ ପରିବାର ଭୁଲ ନ ମାଗିବାରୁ ସେମାନଙ୍କୁ ସାମାଜିକ ବାସନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।