ପିଡି ସଚ୍ଚୋଟ୍‌ ନା ଦୁର୍ନୀତିଗ୍ରସ୍ତ, ଏହାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ନେଇ ଜିଲ୍ଲା ପରିଷଦର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖା ଦେଇଛି। ଅଧ୍ୟକ୍ଷଙ୍କ ଗୋଷ୍ଠୀ ପିଡି ଦୁର୍ନୀତିଗ୍ରସ୍ତ ବୋଲି ଅଭିଯୋଗ କରୁଥିବା ବେଳେ ଉପାଧ୍ୟକ୍ଷଙ୍କ ସମର୍ଥକ ଗୋଷ୍ଠୀ ଏହାକୁ ଭିତ୍ତିହୀନ କହିବା ସହ ସେ ଜଣେ ସଚ୍ଚୋଟ୍‌ ଅଫିସର ବୋଲି କହିଛନ୍ତି। ଉଭୟ ଗୋଷ୍ଠୀ ସାମ୍ବାଦିକ ସମ୍ମିଳନୀ କରି ପରସ୍ପର ବିରୋଧରେ ଗୋହି ଖୋଳିଛନ୍ତି। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅନୀତା ରାଣୀ ବେହେରା […]

gajapati.jpg11

Manoranjan Sial
  • Published: Wednesday, 17 July 2019
  • , Updated: 17 July 2019, 07:11 PM IST

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ନେଇ ଜିଲ୍ଲା ପରିଷଦର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖା ଦେଇଛି। ଅଧ୍ୟକ୍ଷଙ୍କ ଗୋଷ୍ଠୀ ପିଡି ଦୁର୍ନୀତିଗ୍ରସ୍ତ ବୋଲି ଅଭିଯୋଗ କରୁଥିବା ବେଳେ ଉପାଧ୍ୟକ୍ଷଙ୍କ ସମର୍ଥକ ଗୋଷ୍ଠୀ ଏହାକୁ ଭିତ୍ତିହୀନ କହିବା ସହ ସେ ଜଣେ ସଚ୍ଚୋଟ୍‌ ଅଫିସର ବୋଲି କହିଛନ୍ତି। ଉଭୟ ଗୋଷ୍ଠୀ ସାମ୍ବାଦିକ ସମ୍ମିଳନୀ କରି ପରସ୍ପର ବିରୋଧରେ ଗୋହି ଖୋଳିଛନ୍ତି।

ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅନୀତା ରାଣୀ ବେହେରା ଅଭିଯୋଗ କରିଛନ୍ତି ଯେ, ପାରଳାଖେମୁଣ୍ଡିଠାରେ ନବନିର୍ମିତ ପଞ୍ଚାୟତ ସମ୍ବଳ କେନ୍ଦ୍ରକୁ ପିଡି ନିଜସ୍ୱ କାର୍ଯ୍ୟାଳୟ ଭାବେ ବ୍ୟବହାର କରିବା ପାଇଁ ଯୋଜନା କରୁଛନ୍ତି। ସରକାରୀ କ୍ୱାର୍ଟର୍ସର ମରାମତି ପାଇଁ ପିଡି ୫୦ ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି। ଏହାକୁ ନେଇ ଶ୍ରୀମତୀ ବେହେରା ପ୍ରଶ୍ନ ଉଠାଇବା ସହ ସମ୍ମିଳନୀ କକ୍ଷର ପୁନଃ ଉଦ୍ଧାର ପାଇଁ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ନିନ୍ଦା କରିଛନ୍ତି। ଏସବୁର ତଦନ୍ତ ପାଇଁ ସେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି।

ସେ ଆହୁରି କହିଛନ୍ତି-“ପିଡି ଡିଆରଡିଏ ବହୁ ଦୁର୍ନୀତିରେ ସମ୍ପୃକ୍ତ ଅଛନ୍ତି। ମୁଁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହେବାକୁ ଦୁଇ ବର୍ଷରୁ ଅଧିକ ସମୟ ହେଲାଣି। ହେଲେ ଦୁଃଖର ବିଷୟ, ଆଜି ପର୍ଯ୍ୟନ୍ତ ମୋ ପାଖକୁ କୌଣସି ଫାଇଲ୍‌ ଆସିନାହିଁ।”

ଅଧ୍ୟକ୍ଷ ଶ୍ରୀମତୀ ବେହେରା ଆଣିଥିବା ଅଭିଯୋଗର କାଉଣ୍ଟର କରିଛନ୍ତି ଉପାଧ୍ୟକ୍ଷ ଆର.ବିଜୟ କୁମାର ଓ ଅନ୍ୟ ୭ ଜିଲ୍ଲା ପରିଷଦ ସଭ୍ୟ। ଅଭିଯୋଗ ଅମୂଳକ ବୋଲି କହିବା ସହ ଅଧ୍ୟକ୍ଷ ପ୍ରଶାସନକୁ ବ୍ଲାକ୍‌ ମେଲିଂ କରିବା ପାଇଁ ଏଭଳି କରିଥିବା ଅଭିଯୋଗ କରିଛନ୍ତି।

ଏନେଇ ପିଡିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Related story