ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ୟାଙ୍କରେ ଜମା ଟଙ୍କା ରଖିବା ପ୍ରସଙ୍ଗରେ ରାଜ୍ୟ ସରକାର ନିଜର ଅଫିସରମାନଙ୍କୁ ସତର୍କ ଓ ତାଗିଦ୍ କରିବା ଆଳରେ ସାଧାରଣ ଲୋକଙ୍କୁ ଭୟଭୀତ କରାଇବାରେ ଲାଗିଛନ୍ତି। ରାଜକୋଷ ପାଣ୍ଠି ବିଭିନ୍ନ ବ୍ୟାଙ୍କରେ ଜମା ରଖିବା ପ୍ରସଙ୍ଗରେ ରାଜ୍ୟ ସରକାର ଆଜି ଅଙ୍କୁଶ ଲଗାଇଥିବାବେଳେ ବ୍ୟାଙ୍କଗୁଡ଼ିକ ଆର୍ଥିକ ସ୍ଥିତିକୁ ନେଇ ଗଣମାଧ୍ୟମରେ ପ୍ରକାଶିତ ଖବର ଉପରେ ମଧ୍ୟ ମୋହର ମାରିଛନ୍ତି। ସଂଘୀୟ ବ୍ୟବସ୍ଥାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗାଇଡଲାଇନ୍ ଓ ପ୍ରତ୍ୟକ୍ଷ ନିୟନ୍ତ୍ରଣ ଆଧାରରେ ବିଭିନ୍ନ ଘରୋଇ ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ପରିଚାଳିତ ହେଉଥିବାବେଳେ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶିତ ତଥ୍ୟର ସତ୍ୟାସତ୍ୟ ଯାଞ୍ଚ ନକରି ଓଲଟା ନିଜର ଅଫିସରମାନଙ୍କୁ ବ୍ୟାଙ୍କରେ ରାଜକୋଷ ପାଣ୍ଠି ଜମା କରିବାକୁ ନେଇ ଅଙ୍କୁଶ ଲଗାଇବା ଏବେ ସରକାରଙ୍କ ଦାୟିତ୍ୱହୀନତାକୁ ପଦାରେ ପକାଇଛି। ଏହା ସହିତ ବ୍ୟାଙ୍କଗୁଡ଼ିକ ପ୍ରତି ସାଧାରଣ ଲୋକଙ୍କ ମନ ମଧ୍ୟରେ ରହିଥିବା ବିଶ୍ୱସନୀୟତାକୁ ବି ଧୂମିଳ କରିବାକୁ ରାଜ୍ୟ ସରକାର ପଛାଇ ନାହାନ୍ତି।
ମିଳିଥିବା ସୂଚନା ଅନୁସାରେ, ଅର୍ଥ ବିଭାଗର ପ୍ରମୁଖ ସଚିବ ଏକେକେ ମୀନା ଆଜି ସମସ୍ତ ବିଭାଗର ସଚିବଙ୍କୁ ଚିଠି ଲେଖି କହିଛନ୍ତି ଯେ, ଏବେ ସମ୍ବାଦପତ୍ରଗୁଡ଼ିକରେ କେତେକ ବ୍ୟାଙ୍କର ଆର୍ଥିକ ସ୍ଥିତିକୁ ନେଇ ପ୍ରତିକୂଳ ରିପୋର୍ଟ ପ୍ରକାଶ ପାଇବାରେ ଲାଗିଛି। ଏହାସହିତ ଉକ୍ତ ବ୍ୟାଙ୍କଗୁଡ଼ିକରେ ଟଙ୍କା ଜମା କରିବାକୁ ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଯେକୌଣସି ବ୍ୟାଙ୍କରେ ଅର୍ଥ ଜମା କରିବା ପୂର୍ବରୁ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ସହ ସମ୍ପୃକ୍ତ ବ୍ୟାଙ୍କର ଆର୍ଥିକ ସ୍ଥିତିକୁ ନେଇ ଉପଯୁକ୍ତ ଯାଂଚ କରିବାକୁ ସେ ବିଭାଗୀୟ ସଚିବମାନଙ୍କୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ,ବ୍ୟାଙ୍କରେ ପ୍ରତ୍ୟେକ ଜମାକାରୀକୁ ମୂଳ ଓ ସୁଧ ପାଇଁ ସର୍ବାଧିକ ୧ଲକ୍ଷ ଟଙ୍କା ନିଶ୍ଚିତ ଫେରିପାଇବାକୁ ନେଇ ବୀମା ସୁବିଧା ରହିଛି । କୌଣସି ବ୍ୟାଙ୍କ ଅଚାନକ ବନ୍ଦ ହେଲେ କେବଳ ବୀମାଭୁକ୍ତ ୧ଲକ୍ଷ ଟଙ୍କା ହିଁ ମିଳିବ। ତେଣୁ ବ୍ୟାଙ୍କରେ କୌଣସି ରାଜକୋଷ ପାଣ୍ଠି ଜମା କରିବାବେଳେ ବିଭିନ୍ନ ବିଭାଗ, ସରକାରୀ ଉଦ୍ୟୋଗ ଓ ସଂସ୍ଥାର କର୍ତ୍ତୃପକ୍ଷ ନିଜେ ବ୍ୟକ୍ତିଗତ ଭାବେ ଦାୟୀ ରହିବେ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ପାଇଁ ଅର୍ଥକୁ ବ୍ୟାଙ୍କରେ ଜମା ନରଖି ସିଧାସଳଖ ଟ୍ରେଜେରୀରୁ ଆଇଏମଏଫଏସ୍ ମାଧ୍ୟମରେ ଉପଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି । ପର୍ଯ୍ୟାପ୍ତ କାରଣ ବିନା ଟ୍ରେଜେରୀରୁ ଅର୍ଥ ଉଠାଣ କରି ତାକୁ ବ୍ୟାଙ୍କ ଆକାଉଣ୍ଟରେ ରଖିବାକୁ ଆର୍ଥିକ ଅନିୟମିତତା ଭାବେ ବିଚାର କରାଯିବ ବୋଲି ସେ କହିଛନ୍ତି । ଏହାସହିତ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧୭ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ୮ଟି ଘରୋଇ ବ୍ୟାଙ୍କ, ଗୋଟିଏ ସ୍ମଲ ଫାଇନାନ୍ସ ବ୍ୟାଙ୍କ, ୨ଟି ଆଞ୍ଚଳିକ ବ୍ୟାଙ୍କ ଓ ଗୋଟିଏ ସମବାୟ ବ୍ୟାଙ୍କକୁ ରାଜ୍ୟ ସରକାରଙ୍କ ସହ କାରବାର ପାଇଁ ତାଲିକାଭୁକ୍ତ କରାଯାଇଥିବା ନେଇ ଅର୍ଥ ବିଭାଗ ଚଳିତବର୍ଷ ଜୁଲାଇ ୨୦ତାରିଖରେ ବିଭିନ୍ନ ବିଭାଗକୁ ଦେଇଥିବା ଚିଠି ସମ୍ପର୍କରେ ବି ସ୍ମରଣ କରାଇଛନ୍ତି।
ତେବେ ପ୍ରଶ୍ନ ଉଠୁଛି, ବ୍ୟାଙ୍କଗୁଡ଼ିକର ଦୁର୍ବଳ ଆର୍ଥିକ ସ୍ଥିତି ଅବା ଦେବାଳିଆ ହୋଇଯିବା ସମ୍ପର୍କରେ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟର ସତ୍ୟାସତ୍ୟର ଯାଞ୍ଚ ରିଜର୍ଭ ବ୍ୟାଙ୍କ କିମ୍ବା ସମ୍ପୃକ୍ତ ବ୍ୟାଙ୍କର କର୍ତ୍ତୃପକ୍ଷଙ୍କ ଦ୍ୱାରା ନକରାଇ ଏଭଳି ଚିଠି ଲେଖି ନିଜର ଦାୟିତ୍ୱହୀନତା ପଦାରେ ପକାଇ ନାହାନ୍ତି କି?
ଯଦି ନିର୍ଦ୍ଦିଷ୍ଟ ସମ୍ବାଦପତ୍ର ରିପୋର୍ଟ ଉପରେ ସରକାରଙ୍କ କିଛି ଆପତ୍ତି ଥିବ ତା’ହେଲେ ଅର୍ଥ ସଚିବ ଚାହିଁଥିଲେ ରାଜ୍ୟରେ ବ୍ୟାଙ୍କଗୁଡ଼ିକ ଓ ସରକାର ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ଥିବା ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଡାକି ନିଜର ଆଶଙ୍କାକୁ ଦୂର କରିପାରିଥାନ୍ତେ।
ନଚେତ୍ ଭାରତ ସରକାରଙ୍କୁ ଚିଠି ଲେଖି ସତ୍ୟାସତ୍ୟ ପରଖିବା ସହ ନିଜେ ୨୦୧୯ ଜୁଲାଇ ୨୦ତାରିଖରେ ଯେଉଁସବୁ ବ୍ୟାଙ୍କ ସହ କାରବାର ପାଇଁ ତାଲିକାଭୁକ୍ତ କରିଛନ୍ତି ସେହି ବିଜ୍ଞପ୍ତିକୁ ରଦ୍ଦ କରିପାରିଥାନ୍ତେ।
ତା’ ନକରି ସବୁ ବିଭାଗର ସଚିବଙ୍କୁ ବ୍ୟାଙ୍କର ଆର୍ଥିକ ସ୍ଥିତି ପ୍ରସଙ୍ଗରେ ଚିଠି ଲେଖି ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଓ ଆଶଙ୍କାର ମାହୋଲ ସୃଷ୍ଟି କରିବାକୁ ପଛାଇ ନାହାନ୍ତି । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ତଥ୍ୟାଭିଜ୍ଞ ମହଲରେ ଚର୍ଚ୍ଚା ହେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।