ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ର ଚତୁର୍ଥ ଲହର ହେବାର ସମ୍ଭାବନା ରହିଛି। ଏପରି ସ୍ଥିତିରେ ବୁଷ୍ଟର ଡୋଜ୍ ନେଇଯିବାକୁ ପରାମର୍ଶ ଦେଉଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ହେଲେ ରାଜ୍ୟରେ ମିଳୁନି ବୁଷ୍ଟର ଡୋଜ୍। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଭୟ ମଧ୍ୟ ଲୋକଙ୍କ ମନକୁ ଘାରିଛି। ସେପଟେ ରାଜ୍ୟରେ କୋଭିଡ୍ ବୁଷ୍ଟର ଡୋଜ୍ ଅଭାବ ନେଇ ପ୍ରତିକ୍ରିୟା ରଖିଛନ୍ତି ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ୍ ମାଣ୍ଡଭିୟ।
ମାଣ୍ଡଭୀୟ କହିଛନ୍ତି, ବୁଷ୍ଟର ଡୋଜ୍ ଆବଶ୍ୟକତା ପରିମାଣରେ କେନ୍ଦ୍ର ସରକାରଙ୍କ ନିକଟରେ ମହଜୁଦ ରହିଛି। ରାଜ୍ୟ ସରକାର ଚାହିଁଲେ କିଣି ପାରିବେ। କେନ୍ଦ୍ର ସରକାର ସବୁ ରାଜ୍ୟ ଓ ଘରୋଇ ହସ୍ପିଟାଲ ଗୁଡ଼ିକୁ ଚାହିଦା ଅନୁସାରେ ଟିକା ଯୋଗାଇ ଦେଉଛନ୍ତି। ଯଦି କୌଣସି ବ୍ୟକ୍ତି ଟିକା ନେବାକୁ ଚାହାନ୍ତି, ତେବେ ସେ ଘରୋଇ ହସ୍ପିଟାଲକୁ ଯାଇ ନେଇପାରିବେ କିମ୍ବା ରାଜ୍ୟ ସରକାର ଆବଶ୍ୟକ ଅନୁସାରେ ଟିକା କିଣି ନିଜ ଲୋକଙ୍କୁ ଦେଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
ସେପଟେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି, ବୁଷ୍ଟର ଡୋଜ୍ ଲାଗି ରାଜ୍ୟ କେନ୍ଦ୍ରକୁ ଚିଠି ଲେଖିଛି। କେନ୍ଦ୍ର ପକ୍ଷରୁ ଟିକା କିଣିବା ନେଇ କୌଣସି ନିର୍ଦ୍ଦେଶ ଆସିନାହିଁ। କେନ୍ଦ୍ର ସରକାର ମଧ୍ୟ ବୁଷ୍ଟର ଡୋଜ ନଦେବାକୁ ରୋକଠୋକ୍ ମନା କରି ନାହାନ୍ତି। ଯଦି ସେଭଳି କିଛି ନିର୍ଦ୍ଦେଶ ଆସିବ, କୋଭିଡ୍ ମୁକାବିଲା ପାଇଁ ରାଜ୍ୟ ଟିକା କିଣିବା ଉପରେ ବିଚାର କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।