୧୯ବର୍ଷ ପରେ ବି ସ୍ୱାସ୍ଥ୍ୟସେବାରେ ଓଡ଼ିଶା ତଳଆଡ଼ୁ ତୃତୀୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୧୯ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର କ୍ଷମତାରେ ଥିଲେ ମଧ୍ୟ ରାଜ୍ୟରେ ସ୍ୱାସ୍ଥ୍ୟସେବାରେ ସୁଧାର ଆଣିବାରେ ସକ୍ଷମ ହୋଇନାହାନ୍ତି। ଓଡ଼ିଶାକୁ ‘ବିଶ୍ୱସ୍ତରୀୟ ବ୍ରାଣ୍ଡ’ କରିବାର ସ୍ଲୋଗାନ ଦେଉଥିବା ନବୀନ ପଟ୍ଟନାୟକ ସରକାରର ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ମାଗଣା ସ୍ୱାସ୍ଥ୍ୟସେବାର ନଗ୍ନ ସତ୍ୟକୁ ନୀତି ଆୟୋଗ ପଦାରେ ପକାଇଛନ୍ତି। ନୀତି ଆୟୋଗଙ୍କ ପକ୍ଷରୁ ଗତକାଲି ପ୍ରକାଶିତ ଦ୍ୱିତୀୟ ରାଉଣ୍ଡ ହେଲଥ ଇଣ୍ଡେକ୍ସରେ ଓଡ଼ିଶା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ତଳଆଡ଼କୁ ତୃତୀୟ ସ୍ଥାନରେ ରହିଛି। ୨୩ଟି […]

HEALTH-SERVICES-ODISHA-ADJUDGED-A-POOR-THIRD-FROM-THE-BOTTOM

HEALTH-SERVICES-ODISHA-ADJUDGED-A-POOR-THIRD-FROM-THE-BOTTOM

Manoranjan Sial
  • Published: Tuesday, 25 June 2019
  • Updated: 25 June 2019, 09:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୧୯ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର କ୍ଷମତାରେ ଥିଲେ ମଧ୍ୟ ରାଜ୍ୟରେ ସ୍ୱାସ୍ଥ୍ୟସେବାରେ ସୁଧାର ଆଣିବାରେ ସକ୍ଷମ ହୋଇନାହାନ୍ତି। ଓଡ଼ିଶାକୁ ‘ବିଶ୍ୱସ୍ତରୀୟ ବ୍ରାଣ୍ଡ’ କରିବାର ସ୍ଲୋଗାନ ଦେଉଥିବା ନବୀନ ପଟ୍ଟନାୟକ ସରକାରର ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ମାଗଣା ସ୍ୱାସ୍ଥ୍ୟସେବାର ନଗ୍ନ ସତ୍ୟକୁ ନୀତି ଆୟୋଗ ପଦାରେ ପକାଇଛନ୍ତି।

ନୀତି ଆୟୋଗଙ୍କ ପକ୍ଷରୁ ଗତକାଲି ପ୍ରକାଶିତ ଦ୍ୱିତୀୟ ରାଉଣ୍ଡ ହେଲଥ ଇଣ୍ଡେକ୍ସରେ ଓଡ଼ିଶା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ତଳଆଡ଼କୁ ତୃତୀୟ ସ୍ଥାନରେ ରହିଛି। ୨୩ଟି ମାନଦଣ୍ଡକୁ ଆଧାର କରି ବିଶ୍ୱବ୍ୟାଙ୍କ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହଯୋଗରେ ନୀତି ଆୟୋଗ ପ୍ରସ୍ତୁତ କରିଥିବା ଏହି ହେଲଥ ଇଣ୍ଡେକ୍ସ ରିପୋର୍ଟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କେରଳ ସର୍ବାଗ୍ରେ ରହିଥିବାବେଳେ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଓ ଗୁଜରାଟ ଯଥାକ୍ରମେ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି। ତେବେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ତଳଆଡ଼ୁ ତୃତୀୟ ସ୍ଥାନରେ ରହିଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସର୍ବାଧିକ ବିପର୍ଯ୍ୟସ୍ତ ସ୍ଥିତି ଉତ୍ତର ପ୍ରଦେଶର ହୋଇଥିବାବେଳେ ତଳଆଡ଼ୁ ଦ୍ୱିତୀୟ ସ୍ଥାନରେ ବିହାର ଓ ତା’ପରେ ଓଡ଼ିଶା ରହିଛି।

ନୀତି ଆୟୋଗଙ୍କ ଏହି ଦ୍ୱିତୀୟ ରାଉଣ୍ଡ ହେଲଥ ଇଣ୍ଡେକ୍ସରେ ୨୦୧୫-୧୬(ବେସ୍ ଇୟର) ଓ ୨୦୧୭-୧୮(ରେଫରେନ୍ସ ଇୟର) ମଧ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ହୋଇଥିବା ଅଗ୍ରଗତି ଅବା ବିକାଶକୁ ଆକଳନ କରିଥିଲେ। ଯେଉଁ ୨୩ଟି ମାନଦଣ୍ଡ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ସେଥିରୁ ପ୍ରାୟ ୧୨ଟି ମାନଦଣ୍ଡର ତଥ୍ୟକୁ ନିଜେ ରାଜ୍ୟ ସରକାର ଅନଲାଇନରେ ନୀତି ଆୟୋଗଙ୍କ ୱେବସାଇଟରେ ଅପଲୋଡ୍ କରିଥିଲେ।

ସ୍ୱାସ୍ଥ୍ୟ ସେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ତା’ର ଫଳାଫଳ କ’ଣ ବାହାରୁଛି ତାହା ଜାଣିବା ପାଇଁ ନୀତି ଆୟୋଗ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ନୀତି ଆୟୋଗଙ୍କ ରିପୋର୍ଟ ଅନୁସାରେ ନବଜାତ ଶିଶୁ ମୃତ୍ୟୁହାର କ୍ଷେତ୍ରରେ ଓଡ଼ିଶାର ସ୍ଥିତି ବିଶ୍ୱର ସବୁଠୁ ଗରିବ ରାଷ୍ଟ୍ର ସିଏରା ଲିଓନ ସହ ନିକଟତର।

ରିପୋର୍ଟ ଅନୁସାରେ ୨୦୧୫-୧୬ରେ ଓଡ଼ିଶାର ସ୍ୱାସ୍ଥ୍ୟସେବାକୁ ୩୯.୪୩ ସ୍କୋର ମିଳିଥିବାବେଳେ ୨୦୧୭-୧୮ରେ ଏଥିରେ ସୁଧାର ପରିବର୍ତ୍ତେ ଏହି ସ୍କୋର ୩୫.୯୭କୁ ହ୍ରାସ ପାଇଛି । ଅର୍ଥାତ୍ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରଦର୍ଶନ ବିଯୁକ୍ତ -୩.୪୬ ରହିଛି। ୫ବର୍ଷରୁ କମ୍ ବୟସର ଶିଶୁଙ୍କ ମୃତ୍ୟୁ ହାର ଓ ସ୍ୱଳ୍ପଓଜନର ଶିଶୁ ଜନ୍ମ କ୍ଷେତ୍ରରେ ଓଡ଼ିଶାର ସ୍ଥାନ ଏବେ ବି ଦେଶରେ ସବୁଠୁ ପଛରେ ରହିଛି। ଅବଶ୍ୟ ଏହି ଅବଧି ମଧ୍ୟରେ ଓଡ଼ିଶାର ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼ରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଖିଦୃଶିଆ ସୁଧାର ଆସିପାରିଛି। ୨୦୧୫-୧୬ ଓ ୨୦୧୭-୧୮ ତୁଳନାରେ ଆନ୍ଧ୍ରପ୍ରଦେଶକୁ ସ୍ୱାସ୍ଥ୍ୟସେବାରେ ୪.୯୭ ସ୍କୋର ମିଳିଥିବାବେଳେ ତେଲେଙ୍ଗାନାକୁ ୩.୬୧ ଓ ଛତିଶଗଡ଼କୁ ୧.୩୪ ସ୍କୋର ମିଳିଛି। ମାତ୍ର ଓଡ଼ିଶାକୁ ଏହି ଅବଧିରେ ବିଯୁକ୍ତ -୩.୪୬ ସ୍କୋର ମିଳିଛି। ଯାହାକି ଅତ୍ୟନ୍ତ ଚିନ୍ତାଜନକ।

ଗୋଟିଏପଟେ ରାଜ୍ୟ ସରକାର ନିଜର ମହତ୍ୱାକାଂକ୍ଷୀ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା'କୁ କାର୍ଯ୍ୟକାରୀ କରାଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପର୍ଯ୍ୟନ୍ତ ସବୁଠି ମାଗଣା ଚିକିତ୍ସାର ସୁବିଧା କରିଥିବାବେଳେ ଘରୋଇ ହସ୍ପିଟାଲରେ ମହିଳାଙ୍କୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଓ ପୁରୁଷଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ଯୋଗାଉଛନ୍ତି ବୋଲି ଦାବି କରୁଛନ୍ତି। ସରକାରୀ ହସ୍ପିଟାଲରେ ସମସ୍ତ ପ୍ରକାରର ଔଷଧଠୁ ଆରମ୍ଭ କରି ପରୀକ୍ଷାନିରୀକ୍ଷା ମାଗଣାରେ ଉପଲବ୍ଧ କରାଉଥିବା କହୁଛନ୍ତି। ଯଦି ଏସବୁ ବାସ୍ତବରେ କାର୍ଯ୍ୟ କରୁଛି ତା’ହେଲେ ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ପରିବର୍ତ୍ତେ କିଭଳି ଅବନତି ଘଟୁଛି ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ।

ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୧୯ବର୍ଷ ଧରି ରାଜ୍ୟରେ ସ୍ଥିର ସରକାର ରହିଥିବା ସତ୍ତେ୍ୱ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସୁଧାର ଆସିପାରିନି। ନୀତି ଆୟୋଗଙ୍କ ଏହି ରିପୋର୍ଟ ଆସିବା ପରେ ରାଜ୍ୟ ସରକାରଙ୍କ ଚେତା ପଶିବ ଓ ଏଥିରେ ଆବଶ୍ୟକ ସୁଧାର ଆଣିବାର ପ୍ରଚେଷ୍ଟା ଆରମ୍ଭ ହେବ ବୋଲି କେବଳ ଆଶା କରାଯାଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos