ବର୍ଷାର ବିତ୍ପାତ: ପାଣି ଘେରରେ ଲକ୍ଷ ଲକ୍ଷ ଲୋକ, ବହୁ ସ୍ଥାନକୁ ସଡ଼କ ବିଚ୍ଛିନ୍ନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷା ଯୋଗୁ କଳାହାଣ୍ଡି, ମାଲକାନଗିରି, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲା ବେହାଲ ହୋଇଛି। ସାଧାରଣ ଜୀବନଯାତ୍ରା ଏକ ପ୍ରକାର ଠପ୍ ହୋଇଯାଇଛି। ରାୟଗଡ଼ା ଜିଲ୍ଲା ଭାଲୁମୁସ୍କାରରେ ରେଳ ଧାରଣା ଉପରେ ପ୍ରବଳ ବେଗରେ ବର୍ଷା ଜଳ ପ୍ରବାହିତ ହେଉଛି। ଫଳରେ ଷ୍ଟେସନ୍ ନିକଟରେ ଅଟକି ରହିଛି ହୀରାଖଣ୍ଡ ଏକ୍ସପ୍ରେସ୍। ରାୟଗଡ଼ା-କୋରାପୁଟ ଓ ରାଉଳି-ଲେଲିଗୁମା ମଧ୍ୟରେ ମାଟି ଅତଡ଼ା ଖସିବାରୁ ସେଠାରେ ହୀରାଖଣ୍ଡ ପ୍ରାୟ ୭ ଘଣ୍ଟା ଅଟକି ରହିଥିଲା। ଟିକିରିରେ ଅଟକି […]

Heavy rains leave lakhs of people in odisha marooned

Heavy rains leave lakhs of people in odisha marooned

Rakesh Mallick
  • Published: Saturday, 21 July 2018
  • Updated: 21 July 2018, 09:43 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷା ଯୋଗୁ କଳାହାଣ୍ଡି, ମାଲକାନଗିରି, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲା ବେହାଲ ହୋଇଛି। ସାଧାରଣ ଜୀବନଯାତ୍ରା ଏକ ପ୍ରକାର ଠପ୍ ହୋଇଯାଇଛି। ରାୟଗଡ଼ା ଜିଲ୍ଲା ଭାଲୁମୁସ୍କାରରେ ରେଳ ଧାରଣା ଉପରେ ପ୍ରବଳ ବେଗରେ ବର୍ଷା ଜଳ ପ୍ରବାହିତ ହେଉଛି। ଫଳରେ ଷ୍ଟେସନ୍ ନିକଟରେ ଅଟକି ରହିଛି ହୀରାଖଣ୍ଡ ଏକ୍ସପ୍ରେସ୍। ରାୟଗଡ଼ା-କୋରାପୁଟ ଓ ରାଉଳି-ଲେଲିଗୁମା ମଧ୍ୟରେ ମାଟି ଅତଡ଼ା ଖସିବାରୁ ସେଠାରେ ହୀରାଖଣ୍ଡ ପ୍ରାୟ ୭ ଘଣ୍ଟା ଅଟକି ରହିଥିଲା। ଟିକିରିରେ ଅଟକି ରହିଥିଲା କୋରାପୁଟ୍-ବିଶାଖାପାଟଣା DMU। ସେପଟେ କଲ୍ୟାଣସିଂହପୁର କରପା ପଞ୍ଚାୟତ ସୁଲିପଦର ଗାଁରେ କାନ୍ଥ ଭୁଶୁଡ଼ି ସ୍ୱାମୀ-ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି।

କଳାହାଣ୍ଡି ଜିଲ୍ଲା ହାତୀ ନଈ କୂଳରେ ଥିବା ବାଲିଛଡ଼ା, ମାଟିଖାଲ, ବିରିପୁର ଆଦି ଗାଁରେ ପାଣି ପଶିଥିବା ବେଳେ ବଂଶଧାରା ଓ ଉଦାନ୍ତି ନଦୀରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମଦନପୁର-ରାମପୁରଠାରେ ଜାତୀୟ ରାଜପଥରେ ୨୦ ଫୁଟ୍‌ରେ ଘାଇ ହେବା ଯୋଗୁ ଜୁନାଗଡ଼-କଲମପୁର ସମେତ ବହୁ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଜଳବନ୍ଦୀ ଗାଁ ଗୁଡ଼ିକରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରୁଛନ୍ତି ଅଗ୍ନିଶମ କର୍ମଚାରୀ। ପ୍ରବଳ ବର୍ଷା ଯୋଗୁ ହାତୀ ନଦୀ ଫୁଲିଛି। ଫଳରେ ୩୩ କେଭି ବିଦ୍ୟୁତ ତାରରେ ଛୁଇଁଲା ପାଣି। ସେଥିପାଇଁ ବିଦ୍ୟୁତ କଟାଯାଇଛି। ବର୍ତ୍ତମାନ ୬ଟି ବ୍ଲକ ଲୋକ ଅନ୍ଧକାରରେ ରହିଛନ୍ତି।

ସେପଟେ ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରେ ମାଟି ଅତଡ଼ା ଖସି ମୁଦୁଲିପଡ଼ା ଓ ଅଣ୍ଡରାବାହାଲ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ସାବେରୀ ନଦୀ ପୋଲ ଉପରେ ୭ ଫୁଟ୍ ଉଚ୍ଚରେ ପାଣି ଚାଲିଥିବାରୁ ଛତିଶଗଡ଼ର ସୁକମାକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଖଇରପୁଟରେ ନଦୀରେ ଭାସିଯାଇ ଜଣେ ମହିଳା ପ୍ରାଣ ହରାଇଛନ୍ତି।

କନ୍ଧମାଳ ଜିଲ୍ଲା ଫୁଲବାଣୀ ଓ ବାଲିଗୁଡ଼ାରେ ମଧ୍ୟ ଲଗାଣ ବର୍ଷାରେ ଜାତୀୟ ରାଜପଥ ଉପରେ ପାଣି ଚାଲିବା ଯୋଗୁ ବୌଦ୍ଧ, କଳାହାଣ୍ଡି ଓ ରାୟଗଡ଼ାକୁ ଯାତାୟାତ ପ୍ରଭାବିତ ହୋଇଛି। ପରାମପାଙ୍ଗ ନିକଟ ଅସ୍ଥାୟୀ ପୋଲ ଉପରେ ପ୍ରବଳ ବେଗରେ ପାଣିଚାଲିବା ଯୋଗୁ ରାସ୍ତାରେ ଆମ୍ବୁଲାନ୍ସ ମଧ୍ୟ ଅଟକି ରହିଥିବା ଦେଖିବାକୁ ମିଳିଥିଲା। ଫୁଲବାଣୀ ସହରରେ ମଧ୍ୟ ଲହଡ଼ି ମାରୁଛି ଆଣ୍ଠୁଏ ଉଚ୍ଚର ପାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos