ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର); ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ମହମ୍ମଦ ରଫିକ ଶପଥ ଗ୍ରହଣ କରିଛନ୍ତି । ଭୁବନେଶ୍ୱର ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ସମାରୋହରେ ଜଷ୍ଟିସ ରଫିକ ଶପଥ ନେଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କୁ ଶପଥ ପାଠ କରାଇଛନ୍ତି ।
କରୋନା ପାଇଁ ନିୟମାବଳୀ ଲାଗୁ ହୋଇଥିବାରୁ ଶପଥ ଗ୍ରହଣ ସମାରୋହରେ ସାମାଜିକ ଦୂରତା ପାଳନ କରାଯାଇଥିଲା । ଉତ୍ସବରେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ବିରୋଧୀ ଦଳ ନେତା ପ୍ରମୁଖ ଉପସ୍ଥିତ ଥିଲେ । ଜଷ୍ଟିସ ରଫିକ ପୂର୍ବରୁ ମେଘାଳୟ ଓ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି ।
୨୦୦୬ ମସିହାରେ ସେ ରାଜସ୍ଥାନ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ଏହାସହ ଦୁଇ ଦୁଇ ଥର ରାଜସ୍ଥାନ ହାଇକୋର୍ଟର ଆକ୍ଟିଂ ଚିଫ୍ ଜଷ୍ଟିସ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ଗତବର୍ଷ ନଭେମ୍ବର ୧୩ରେ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।
ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେ. ଏସ୍ ଜାଭେରୀ ଅବସର ନେବା ପରେ ଗତ ଜାନୁଆରୀ ମାସରେ ବରିଷ୍ଠ ବିଚାରପତି ସଞ୍ଜୁ ପଣ୍ଡାଙ୍କୁ ଆକ୍ଟିଂ ଚିଫ୍ ଜଷ୍ଟିସ ଭାବେ ନିଯୁକ୍ତି ଦିଆଯାଇଥିଲା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।