ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): କଟକ ନିର୍ଗୁଣ୍ଡି ରେଳ ଷ୍ଟେସନ୍ଠୁ ମାତ୍ର କିଛି ମିଟର ଦୂରରେ ମୁମ୍ବାଇ-ଭୁବନେଶ୍ୱର ଏଲ୍ଟିଟି ଏକ୍ସପ୍ରେସ୍ ଆଜି ସକାଳେ ଲାଇନ୍ଚ୍ୟୁତ୍ ହୋଇଛି। ଶାଳଗାଁ ନିକଟରେ ଟ୍ରେନ୍ଟି ଲାଇନ୍ଚ୍ୟୁତ ହୋଇଥିବା ବେଳେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବ । ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ପୁରା ଘଟଣାର ତଦନ୍ତ ହେବ ବୋଲି ସୂଚନା ଦେଇଛନ୍ତି ଇଷ୍ଟକୋଷ୍ଟ ରେଲ୍ୱେର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଜ୍ୟୋତି ପ୍ରକାଶ ମିଶ୍ର ।
ଟ୍ରେନ୍ଟି କେଉଁ କାରଣରୁ ଦୁର୍ଘଟଣାଗସ୍ତ ହୋଇଛି ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ସେ ସୂଚନା ଦେଇଛନ୍ତି । ଟ୍ରେନ୍ ଚାଲିବା ବେଳେ ଘନ କୁହୁଡ଼ି ଥିଲା । ଏହାସହ ସିଗନାଲ୍ ସମସ୍ୟା ଥିଲା କି ନାହିଁ ତାକୁ ନଜରରେ ରଖି ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି ।
ଅପରପକ୍ଷେ ଉଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ ସ୍ଥାନୀୟ ଲୋକମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଦୁର୍ଘଟଣାର କିଛି ସମୟ ମଧ୍ୟରେ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲ। ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।