ରାଜ୍ୟରେ କୋଭିଡ୍ ବେଡ୍ କେତେ, ସତ କ’ଣ?

ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇ ୨ଲକ୍ଷ ଅତିକ୍ରମ କରିଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ପରିମାଣ ୪୦ହଜାର ଛୁଇଁବାକୁ ବସିଛି। ରାଜ୍ୟରେ ଆଜିସୁଦ୍ଧା ମାତ୍ର ସାଢ଼େ ୭ ପ୍ରତିଶତ ଲୋକଙ୍କ କୋଭିଡ୍ ନମୂନା ପରୀକ୍ଷା ହୋଇଥିବାବେଳେ ସୁସ୍ଥତା ହାର ବି ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଉତ୍ସାହଜନକ ପରିଲକ୍ଷିତ ହୋଇନାହିଁ। ଏସବୁ ମଧ୍ୟରେ ରାଜ୍ୟରେ କୋଭିଡ୍ ଚିକିତ୍ସା ପାଇଁ କେତେ ବେଡ୍ ଅଛି ଓ କେତେ ସଂଖ୍ୟକ ରୋଗୀଙ୍କୁ ଏକକାଳୀନ ଏସବୁ କୋଭିଡ୍ […]

covid-care-home

covid-care-home

Manoranjan Sial
  • Published: Saturday, 26 September 2020
  • Updated: 26 September 2020, 07:41 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇ ୨ଲକ୍ଷ ଅତିକ୍ରମ କରିଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ପରିମାଣ ୪୦ହଜାର ଛୁଇଁବାକୁ ବସିଛି। ରାଜ୍ୟରେ ଆଜିସୁଦ୍ଧା ମାତ୍ର ସାଢ଼େ ୭ ପ୍ରତିଶତ ଲୋକଙ୍କ କୋଭିଡ୍ ନମୂନା ପରୀକ୍ଷା ହୋଇଥିବାବେଳେ ସୁସ୍ଥତା ହାର ବି ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଉତ୍ସାହଜନକ ପରିଲକ୍ଷିତ ହୋଇନାହିଁ। ଏସବୁ ମଧ୍ୟରେ ରାଜ୍ୟରେ କୋଭିଡ୍ ଚିକିତ୍ସା ପାଇଁ କେତେ ବେଡ୍ ଅଛି ଓ କେତେ ସଂଖ୍ୟକ ରୋଗୀଙ୍କୁ ଏକକାଳୀନ ଏସବୁ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳିପାରିବ ତାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତଥ୍ୟରେ ତାଳମେଳ ନଥିବା ଜଣାପଡ଼ିଛି।

ରାଜ୍ୟ ସରକାରଙ୍କ କୋଭିଡ-୧୯ ଡ୍ୟାସବୋର୍ଡ ତଥ୍ୟ ଅନୁସାରେ ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୩୦ଲକ୍ଷ ୬୨ହଜାର ୭୧୭ଜଣଙ୍କ କୋଭିଡ୍ ନମୂନା ପରୀକ୍ଷା ହୋଇଛି ଓ ସେଥିମଧ୍ୟରୁ ଆଜିସୁଦ୍ଧା ୨ଲକ୍ଷ ୫ହଜାର ୪୫୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରମିତଙ୍କ ମଧ୍ୟରୁ ୧ଲକ୍ଷ ୬୫ହଜାର ୪୩୨ଜଣ ସୁସ୍ଥ ହୋଇଥିବାବେଳେ ୭୮୩ଜଣଙ୍କ ମୃତ୍ୟୁ ଘଟିଛି । ୩୯ହଜାର ୧୮୪ଜଣ ଏବେ ସକ୍ରିୟ ସଂକ୍ରମିତ ଅଛନ୍ତି। ଏହି ତଥ୍ୟ ରାଜ୍ୟ ସରକାରଙ୍କ କୋଭିଡ୍ ଡ୍ୟାସବୋର୍ଡରେ ଆଜି ସକାଳ ୧୦ଟା ୫୭ମିନିଟରେ ଅପଡେଟ୍ କରାଯାଇଛି । ସେହିପରି ଡ୍ୟାସବୋର୍ଡ ତଥ୍ୟ ଅନୁସାରେ ରାଜ୍ୟରେ ୪୮ଟି କୋଭିଡ୍ ହସ୍ପିଟାଲ(ଘରୋଇ ଓ ସରକାରୀ)ରେ ୭୩୨୮ ଜେନେରାଲ ବେଡ୍ ଓ ୭୧୦ଟି ଆଇସିୟୁ ବେଡ୍ ରହିଛି। ଏହାସହିତ ୧୭୮ଟି କୋଭିଡ୍ କେୟାର ସେଣ୍ଟରରେ ମଧ୍ୟ ୨୧୦୫୯ଟି ବେଡ୍ ବ୍ୟବସ୍ଥା ରହିଛି ବୋଲି ଡ୍ୟାସବୋର୍ଡରେ ଉଲ୍ଲେଖ ରହିଛି। ଉଭୟ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟରର ଜେନେରାଲ ଓ ଆଇସିୟୁ ବେଡ୍ ସଂଖ୍ୟାକୁ ମିଶାଇଲେ ମୋଟ ୨୯୧୫୭ଟି ବେଡ୍ ଉପଲବ୍ଧ ଅଛି। ଅବଶ୍ୟ କୋଭିଡ୍ କେୟାର ସେଣ୍ଟରକୁ ବନ୍ଦ କରିବା ନିମନ୍ତେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାପାଳ ଓ ମ୍ୟୁନିପାଲଟି କମିଶନରମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆସରିଛି। ତଥ୍ୟ ଅନୁସାରେ ଦେଶର ସର୍ବାଧିକ ସକ୍ରିୟ ସଂକ୍ରମିତ ରାଜ୍ୟ ତାଲିକାରେ ଓଡ଼ିଶା ଆଜି ସପ୍ତମ ସ୍ଥାନରେ ରହିଛି।

ଅନ୍ୟପକ୍ଷରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସେପ୍ଟେମ୍ବର ୨୧ତାରିଖର ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଆଧାରରେ ସେପ୍ଟେମ୍ବର ୧୮ତାରିଖ ସୁଦ୍ଧା ଓଡ଼ିଶାରେ କରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ( ଉଭୟ ସରକାରୀ ଓ ଘରୋଇ) ସମଗ୍ର ୩୦ଟି ଜିଲ୍ଲାରେ ମୋଟ ୨୪୬ଟି କୋଭିଡ୍ ଚିକିତ୍ସା କେନ୍ଦ୍ର ରହିଛି। ଯେଉଁଥିରେ ୩୦୨୦୬ଟି ଜେନେରାଲ ବେଡ୍ , ୪୧୨୯ଟି ଅକ୍ସିଜେନ୍ ସୁବିଧାଯୁକ୍ତ ବେଡ୍ ଓ ୫୫୪ଟି ଆଇସିୟୁ ବେଡ୍ ରହିଛି। ଅର୍ଥାତ୍ ରାଜ୍ୟରେ କୋଭିଡ୍ ଚିକିତ୍ସା ନିମନ୍ତେ ୩୪୭୮୯ଟି ବେଡ୍ ରହିଛି। ଅବଶ୍ୟ ୨୪୬ଟି କୋଭିଡ୍ ଚିକିତ୍ସା କେନ୍ଦ୍ରରୁ କେତେ ସରକାରୀ ଓ କେତେ ଘରୋଇ ତା’ର ତଥ୍ୟ ଦିଆଯାଇନାହିଁ।

ତେବେ ପ୍ରଶ୍ନ ଉଠୁଛି ,ଯଦି କେନ୍ଦ୍ର ସରକାରଙ୍କୁ ଏହି ତଥ୍ୟ ଦିଆଯାଇଛି ତା’ହେଲେ ରାଜ୍ୟ ସରକାର ନିଜ କୋଭିଡ-୧୯ ଡ୍ୟାସବୋର୍ଡରେ ଏହାର ତଥ୍ୟକୁ ସାର୍ବଜନୀନ କରିବାରେ ଅସୁବିଧା ରହିଛି କେଉଁଠି? କେଉଁ କୋଭିଡ୍ ହସ୍ପିଟାଲରେ କେଉଁଧରଣର କେତେ ବେଡ୍ ଅଛି ଓ କେଉଁଦିନ କେତେ ଖାଲି ରହୁଛି ତାକୁ ଲୋକଙ୍କ ଅବଗତି ନିମନ୍ତେ ଜଣାଇ ପାରନ୍ତେ। ଟ୍ରାନ୍ସପରେନ୍ସି ଉପରେ ଗୁରୁତ୍ୱ ଦେଉଥିବା ରାଜ୍ୟ ସରକାର ଯଦି କୋଭିଡ୍ ହସ୍ପିଟାଲରେ ଚିକିତ୍ସା ସଂକ୍ରାନ୍ତ ସମସ୍ତ ତଥ୍ୟକୁ ସାର୍ବଜନୀନ କରନ୍ତେ, ହୁଏତ ସଂକ୍ରମିତ ବ୍ୟକ୍ତିମାନଙ୍କୁ ବେଡ୍ ପାଇବା ସମସ୍ୟାକୁ ସହଜରେ ଏଡ଼ାଇ ଦିଆଯାଇ ପାରନ୍ତା। ରାଜ୍ୟର ସାଢ଼େ ୪କୋଟି ଲୋକଙ୍କ ମଧ୍ୟରୁ ଏବେସୁଦ୍ଧା ମାତ୍ର ୩୦.୬୨ ଲକ୍ଷ ଲୋକ ନିଜର ନମୂନା ପରୀକ୍ଷା କରିଥିବାରୁ ଭବିଷ୍ୟତରେ ଟେଷ୍ଟିଂ ସହ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ।

ତେଣୁ ରାଜ୍ୟରେ କରୋନା ସଂକ୍ରମିତ ରୋଗୀମାନଙ୍କୁ କୋଭିଡ୍ ହସ୍ପିଟାଲରେ ବେଡ୍ ମିଳୁନଥିବା ଅଭିଯୋଗ ମଧ୍ୟରେ ପ୍ରକୃତରେ କୋଭିଡ୍ ହସ୍ପିଟାଲଗୁଡ଼ିକରେ କେଉଁଧରଣର କେତେ ବେଡ୍ ରହିଛି ତାକୁ ରାଜ୍ୟ ସରକାର ସାର୍ବଜନୀନ କରିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଦାବି ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos