/odisha-reporter/media/post_attachments/uploads/2021/02/health.jpg)
health
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ବିକାଶର ଗୋଲାପି ଚିତ୍ର ଦେଖାଉଛନ୍ତି। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରୁଛନ୍ତି। ହେଲେ ବାସ୍ତବରେ ସରକାରଙ୍କ ଏହି ଯୋଜନା ଲୋକଙ୍କ ପାଖରେ କେତେ ପହଞ୍ଚିଛି? ସ୍ୱାସ୍ଥ୍ୟ, ଶିକ୍ଷା, ପିଇବା ପାଣି ଓ ଜଳସେଚନରେ ଓଡ଼ିଶାର ସ୍ଥିତି କଣ ରହିଛି? ଏସବୁ କ୍ଷେତ୍ରରେ କେତେ ବିକାଶ କରିଛି ଓଡ଼ିଶା? ଅର୍ଥନୈତିକ ସର୍ଭେ ରିପୋର୍ଟର ବେୟାର୍ ନେସେସିଟିଜ ଇଣ୍ଡେକ୍ସରେ ଓଡ଼ିଶାର ସ୍ଥିତି ଦୟନୀୟ ବୋଲି ଦର୍ଶାଯାଇଥିବା ବେଳେ ପଞ୍ଚଦଶ ଅର୍ଥ କମିଶନ ରିପୋର୍ଟରେ ମଧ୍ୟ ସ୍ଥିତି ପ୍ରାୟ ଏକ ପ୍ରକାର ରହିଛି।
ରିପୋର୍ଟ ଅନୁସାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ୧୫୨୯ ସ୍ପେଶାଲିଷ୍ଟ ଡାକ୍ତର ରହିବା କଥା। ତେବେ ଖାଲି ପଡ଼ିଛି ୧୨୭୬ ପଦବୀ। ଏହାର ଅର୍ଥ ୮୩.୫% ପଦବୀ ଖାଲି ପଡ଼ିଛି। PHC ଗୁଡ଼ିକରେ ମଧ୍ୟ ୪୦୯ ଡାକ୍ତର ପଦବୀ ଖାଲି ପଡ଼ିଛି। ଶିକ୍ଷା କ୍ଷେତ୍ରରେ ଓଡ଼ିଶାର ସ୍ଥିତି ସେତେଟା ଖରାପ ନଥିଲେ ମଧ୍ୟ ବାର୍ଷିକ ମୁଣ୍ଡପିଛା ବ୍ୟୟ ବଢ଼ାଇବାକୁ ପରାମର୍ଶ ଦିଆଯାଇଛି। ସହରୀକରଣ ହାରରେ ବି ଓଡ଼ିଶା ତଳପଟୁ ଚତୁର୍ଥରେ ରହିଛି। ଏ କ୍ଷେତ୍ରରେ ଜାତୀୟ ହାର ୩୧.୨ % ଥିବା ବେଳେ ଓଡ଼ିଶାର ହାର ୧୬.୭% ରହିଛି। ସେପଟେ ୨୦୧୧-୧୨ର ତଥ୍ୟ ଅନୁସାରେ ରାଜ୍ୟର ଦାରିଦ୍ର୍ୟ ହାର ୩୨.୬ ପ୍ରତିଶତ ଥିଲା। ଯେଉଁଠିକି ଜାତୀୟ ହାର ଥିଲା ୨୧.୯୨ ପ୍ରତିଶତ। ତେଣୁ ଏ ଦିଗରେ ଅଧିକ ଧ୍ୟାନ ଦେବାକୁ କମିଶନ ପରାମର୍ଶ ଦେଇଛନ୍ତି। ଗ୍ରାମାଞ୍ଚଳରେ ମାତ୍ର ୪ ପ୍ରତିଶତ ଘରେ ପାଇପ ଯୋଗେ ପିଇବା ପାଣି ପହଞ୍ଚିଥିବାରୁ ଉଦ୍ବେଗ ପ୍ରକାଶ କରିଛନ୍ତି ଅର୍ଥ କମିଶନ।
ସେହିପରି ରାଜ୍ୟରେ ୪୮୦ କିଲୋମିଟର ଦୀର୍ଘ ବେଳାଭୂମି ଥିବା ସତ୍ତ୍ୱେ ପାରାଦୀପରେ ବଡ଼ ଓ ଧାମରା ଏବଂ ଗୋପାଳପୁରଠାରେ କ୍ଷୁଦ୍ର ବନ୍ଦର କାର୍ଯ୍ୟକ୍ଷମ ହୋଇପାରିଛି। ରାଜ୍ୟର ଆର୍ଥିକ ବିକାଶ ପାଇଁ ଅନ୍ୟ ବନ୍ଦରଗୁଡ଼ିକର ବିକାଶର ଆବଶ୍ୟକତା ଥିବା କମିଶନ କହିଛନ୍ତି। ଜଳସେଚନ କ୍ଷେତ୍ରରେ ଓଡ଼ିଶା ବେଶ୍ ପଛରେ ପଡିଛି। ଏଯାଏଁ ମାତ୍ର ୨୮. ୭ ପ୍ରତିଶତ ଚାଷ ଜମିରେ ଜଳେସଚନର ବ୍ୟବସ୍ଥା ରହିଛି। ପଞ୍ଚଦଶ ଅର୍ଥ କମିଶନ୍ ରିପୋର୍ଟରୁ ରାଜ୍ୟର ଏଭଳି ବିକଳ ଚିତ୍ର ଆସିବା ପରେ ମୁହାଁମୁହିଁ ହୋଇଛନ୍ତି ବିରୋଧୀ-ଶାସକ।
ସେପଟେ ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ କେନ୍ଦ୍ରୀୟ ଟିକସ ଅଂଶରୁ ରାଜ୍ୟ ଭାଗ ୪.୬୯୨ ପ୍ରତିଶତରୁ ୪. ୫୨୮ ପ୍ରତିଶତକୁ ହ୍ରାସ ପାଇଛି। ଏହା ରାଜ୍ୟ ଅର୍ଥନୀତିକୁ ପ୍ରଭାବିତ କରିବ। ତେବେ ଆଗାମୀ ପାଞ୍ଚ ବର୍ଷ ପାଇଁ ପଞ୍ଚାୟତ ଓ ପୌରାଞ୍ଚଳକୁ ୧୫ ହଜାର ୭୫୨ କୋଟି, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ବାବଦରେ ୮୮୬୫ କୋଟି, ସ୍ୱାସ୍ଥ୍ୟ ପାଇଁ ୯୬୨ କୋଟି ଓ କୃଷି ପାଇଁ ୧୨୭୧ କୋଟି ଟଙ୍କାର ଅନୁଦାନ ସୁପାରିଶ କରାଯାଇଛି। ସେପଟେ ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ଟିକସରୁ ରାଜ୍ୟ ଭାଗ ବାବଦରୁ ୧୦ ହଜାର ୮୪୦ କୋଟି ମିଳିନଥିବାରୁ ରାଜ୍ୟ ସରକାର ଉଦ୍ବେଗ ପ୍ରକାଶ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
