ସରକାରଙ୍କ ବାହାନା ଖାରଜ,୨ ମୃତା ମହିଳାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର); ପ୍ରାୟ ୬ ବର୍ଷ ପୂର୍ବେ ବାଲିରେ ପୋତି ହୋଇ ରାୟଗଡା ଜିଲ୍ଲା ଟିକିରିରେ ଦୁଇ ଆଦିବାସୀ ମହିଳା ଲକ୍ଷ୍ମୀ ମାଝୀ(ଲସି) ଓ ଶକୁନ୍ତଳା ମାଝୀ(ଶୁକ)ଙ୍କ ମୃତ୍ୟୁ ଘଟିଥିଲା। ପୁଲିସ୍‌ ଓ ପ୍ରଶାସନ ଏହି ଘଟଣାକୁ ହାଲ୍‌କା ଭାବେ ନେଇଥିବା ବେଳେ ମୃତକଙ୍କ ପରିବାରକୁ କୌଣସି କ୍ଷତିପୂରଣ ମିଳି ନ ଥିଲା। ସରକାରଙ୍କ ଅବହେଳା ଯୋଗୁଁ  ଏହି ୨ ମହିଳାଙ୍କ  ମାନବ ଅଧିକାର ଉଲଂଘନ  ହୋଇଥିବାରୁ ତୁରନ୍ତ ସେମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କା  […]

nhrc-1

Niharika Rout
  • Published: Tuesday, 11 February 2020
  • , Updated: 11 February 2020, 01:46 PM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର); ପ୍ରାୟ ୬ ବର୍ଷ ପୂର୍ବେ ବାଲିରେ ପୋତି ହୋଇ ରାୟଗଡା ଜିଲ୍ଲା ଟିକିରିରେ ଦୁଇ ଆଦିବାସୀ ମହିଳା ଲକ୍ଷ୍ମୀ ମାଝୀ(ଲସି) ଓ ଶକୁନ୍ତଳା ମାଝୀ(ଶୁକ)ଙ୍କ ମୃତ୍ୟୁ ଘଟିଥିଲା। ପୁଲିସ୍‌ ଓ ପ୍ରଶାସନ ଏହି ଘଟଣାକୁ ହାଲ୍‌କା ଭାବେ ନେଇଥିବା ବେଳେ ମୃତକଙ୍କ ପରିବାରକୁ କୌଣସି କ୍ଷତିପୂରଣ ମିଳି ନ ଥିଲା। ସରକାରଙ୍କ ଅବହେଳା ଯୋଗୁଁ  ଏହି ୨ ମହିଳାଙ୍କ  ମାନବ ଅଧିକାର ଉଲଂଘନ  ହୋଇଥିବାରୁ ତୁରନ୍ତ ସେମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କା  କ୍ଷତିପୂରଣ ଦେବାକୁ  ଜାତୀୟ ମାନବିକ ଅଧିକାର କମିଶନ ରାଜ୍ୟ ସରକାରଙ୍କୁ ନିଦ୍ଦେର୍ଶ ଦେଇଛନ୍ତି। ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡଙ୍କ ପିଟିସନ ଉପରେ ବିଚାର କରି କମିଶନ ଏହି ନିଦ୍ଦେର୍ଶନାମା ଜାରି କରିଛନ୍ତି।

ପୂରା ଘଟଣା ଏହିପରି।  ୨୦୧୪ ଜୁନ‌ ୨୨ ତାରିଖରେ ଜନୈକ ଠିକାଦାର ଟିକିରି ଥାନା ଅନ୍ତର୍ଗତ କୁଟିଙ୍ଗା ନାଳ ନିକଟରେ ବେନିୟମ ଭାବେ ବାଲି ଚାଲାଣ କରୁଥିବା ସମୟରେ ସମ୍ପୃକ୍ତ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିଲା। ୫ ଜଣ ଆଦିବାସୀ ମହିଳାଙ୍କୁ ଟ୍ରିପରରେ ବାଲି ଲଦିବା କାମରେ ଲଗାଯାଇଥିଲା। ହଠାତ‌ ନିକଟରେ ଥିବା ବାଲିବନ୍ଧଟି ଧସେଇ ପଡ଼ିବାରୁ  ଲସି ଓ ଶୁକ ବାଲିଗଦା ଭିତରେ ହିଁ ପ୍ରାଣ ହରାଇଥିଲେ।  ସେମାନଙ୍କ ଘର ଲକ୍ଷ୍ମୀପୁର ବ୍ଲକର ମୁସୁଳିପଦର ବୋଲି ଜଣାପଡିଥିଲା।

ସେମାନଙ୍କୁ ବେନିୟମ ଭାବେ କାମରେ ନିଯୁକ୍ତ କରାଯାଇଥିଲେ ମଧ୍ୟ ସଂପୃକ୍ତ ବାଲି ମାଫିଆ ଓ ଠିକାଦାରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯାଇ ନ ଥିଲା। ମୃତକଙ୍କ ପରିବାରକୁ ମଧ୍ୟ କିଛି କ୍ଷତିପୂରଣ ଦିଆଯାଇ ନ ଥିବା ଅଖଣ୍ଡ ଅଭିଯୋଗ କରିଥିଲେ। ଏହି ଘଟଣାରେ କମିଶନ ମୁଖ୍ୟ ଶାସନ ସଚିବ, ପୁଲିସ୍‌ ଡିଜି ଓ ଶ୍ରମ ବିଭାଗଠାରୁ ରିପୋର୍ଟ ମାଗିଥିଲେ। ରିପୋର୍ଟ ଦେବାରେ ଅହେତୁକ ବିଳମ୍ୱ ଯୋଗୁଁ ମାମଲାର ଶୁଣାଣିରେ ପ୍ରାୟ ୫ ବର୍ଷ ବିତିଯାଇଥିଲା।

ସରକାରଙ୍କ ଅବହେଳା ଯୋଗୁଁ ଏହି ୨ ମହିଳାଙ୍କ ମାନବାଧିକାର ଉଲଂଘନ ହୋଇଛି। ତେଣୁ ଚାରି ସପ୍ତାହ ମଧ୍ୟରେ ଏହି କ୍ଷତିପୂରଣ ଦେବା ଲାଗି କମିଶନ ମୁଖ୍ୟ ଶାସନ ସଚିବଙ୍କୁ ନିଦ୍ଦେର୍ଶ ଦେଇଛନ୍ତି। ଆସନ୍ତା ମାର୍ଚ୍ଚ ୧୯ ତାରିଖରେ ମାମଲାର ପରବର୍ତୀ ଶୁଣାଣି ହେବ।

Related story