ଦୁଆର ଆଗରେ ଗର୍ଭବତୀ ପ୍ରେମିକା, ସିନ୍ଦୂର ଦେଇ ପର କରିଦେଲା ପ୍ରେମିକ

ଜଳେଶ୍ୱର :(ଓଡ଼ିଶା ରିପୋର୍ଟର):ପ୍ରଥମେ ପ୍ରେମ, ପରେ ବିବାହ ଆଉ ତାପରେ ପ୍ରତାରଣା । ଏମିତି ଏକ ଘଟଣାକୁ ନେଇ ନ୍ୟାୟ ପାଇଁ ପ୍ରେମିକର ଘର ଆଗରେ ଧାରଣାରେ ପ୍ରେମିକା। ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା କୁହ୍ଲା ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି।

ପ୍ରେମିକା ଜଣକ ନ୍ୟାୟ ପାଇବା ପାଇଁ ବାଲିଆପାଳ ଥାନାର ଦ୍ୱାରସ୍ଥ ହେବା ପରେ କୌଣସି ନ୍ୟାୟ ନମିଳିବାରୁ ବାଧ୍ୟ ହୋଇ ପ୍ରେମିକଙ୍କ ଘର ଆଗରେ ଧାରଣାରେ  ବସିଛନ୍ତି ।

ଅଭିଯୋଗ ଅନୁଯାୟୀ ,ବାଲିଆପାଳ ଥାନା ଅନ୍ତର୍ଗତ ଚକବ୍ରହ୍ମ ଗ୍ରାମର ୧୯ ବର୍ଷର ଯୁବତୀ  ମାନିନୀ (ଛଦ୍ମନାମ)ଙ୍କ ସହିତ କୁହ୍ଲା ଗ୍ରାମର ଅଶୋକ ନାୟକ ମଧ୍ୟରେ ଦୀର୍ଘ ଛଅ ମାସଧରି ପ୍ରେମ ସମ୍ପର୍କ ଗଢିଉଠିଥିଲା। ତେବେ ଜାତିଆଣ ଭେଦଭାବରୁ ମାନିନୀଙ୍କୁ ଅଶୋକଙ୍କ ଘରେ ବିବାହ ପାଇଁ ରାଜି ହୋଇନଥିଲେ। ତେଣୁ ଅଶୋକ ମାନିନୀଙ୍କୁ ଗୁଜୁରାଟ ନେଇଯାଇଥିଲେ । ସେଠାରେ ତାଙ୍କୁ ବିବାହ କରି ରହିଥିଲେ । ବିବାହ କରିବାର ୧୫ ଦିନ ରହିବା ପରେ ମାନିନୀଙ୍କୁ ନିର୍ଯାତନା ଦେଇଥିଲେ ଅଶୋକ। ଏହିପରି ପାଞ୍ଚ ମାସ ବିତିଯିବା ପରେ ହଠାତ ଅଶୋକ ସ୍ତ୍ରୀ ମାନିନୀଙ୍କୁ ଗୁଜରାଟରେ ଛାଡି ନିଜର ଗାଁ ବାଲିଆପାଳ ଥାନା  କୁହ୍ଲା ଗ୍ରାମକୁ ପଳାଇ ଆସିଥିଲେ।

ସେଠାରେ ମାନିନୀ ଅସହାୟ ଅବସ୍ଥାରେ ଥିବା ବେଳେ ସେଠାକାର କିଛି ଓଡ଼ିଆ ଲୋକଙ୍କ ସହାୟତାରେ ବାଲିଆପାଳରେ ପହଞ୍ଚି ଥାନାରେ ଏତଲା ଦେଇଥିଲେ। ତେବେ ଏତଲା ଦେବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଗତକାଲି ଠାରୁ ନ୍ୟାୟ ପାଇଁ ସ୍ୱାମୀ ଅଶୋକଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ମାନିନୀ ଏବଂ ତାଙ୍କ ଆଈ ।

ଧାରଣା ପରେ ଅଶୋକଙ୍କ ଘରେ ତାଲା ପଡ଼ି ଥିବା ଦେଖିବାକୁ ମିଳିଛି। ସେପଟେ ଧାରଣା ଦେବାର ୨୪ ଘଣ୍ଟା ବିତିଯାଇ ଥିଲେ ମଧ୍ୟ କୌଣସି ପୁଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନଥିବା କଥା କୋହଭରା କଣ୍ଠରେ କହିଛନ୍ତି ମାନିନୀ।

୨ମାସର ଗର୍ଭବତୀ ଥିବା ମାନିନୀ, ନ୍ୟାୟ ନ ମିଳିଲେ ପ୍ରେମିକଙ୍କ ଘର ସାମ୍ନାରେ ଆତ୍ମହତ୍ୟା କରିବେ ବୋଲି ଗଣମାଧ୍ୟମକୁ  ସୂଚନା ଦେଇଛନ୍ତି।  ତେବେ ଏ ସମ୍ପର୍କରେ ବାଲିଆପାଳ ଥାନାଧିକାରୀ ବିମଳ ନାୟକଙ୍କୁ ପଚାରିବାରୁ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।