ସୋର(ନିରଞ୍ଜନ ବେହେରା): ସ୍ତ୍ରୀଙ୍କୁ କଟୁରୀରେ ହାଣି ବିଷ ପିଇଦେଲେ ସ୍ୱାମୀ! ଏପରି ଘଟଣା ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଘଟିଛି। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ବେଳେ ଗୁରୁତର ଆହତ ହୋଇଥିବା ମୃତ ମହିଳାଙ୍କ ସ୍ୱାମୀଙ୍କୁ ଉଦ୍ଧାର କରି ମେଡିକାଲ୍ରେ ଭର୍ତ୍ତି କରିଛି।
ସିମୁଳିଆ ଥାନା ଅନ୍ତରା ପଞ୍ଚାୟତ ପାର୍ଥି ଗାଁର ମନୋରଞ୍ଜନ ଦାସ ଓ ଯଶୋଦାଙ୍କ ମଧ୍ୟରେ ଆଜି କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗିଯାଇ ଯଶୋଦା ବିଲ ରାସ୍ତାରେ ଚାଲି ଚାଲି ବାପ ଘରକୁ ପଳାଉଥିଲେ। ଏକଥା ଜାଣିବା ପରେ ମନୋରଞ୍ଜନଙ୍କ ରାଗ ପଞ୍ଚମକୁ ଉଠି ଯାଇଥିଲା। କଟୁରୀରେ ପତ୍ନୀଙ୍କୁ ପଛପାର୍ଶ୍ୱରେ ଚୋଟ ପରେ ଚୋଟ ପକାଇ ଥିଲେ। ସେହି ବିଲରେ ଟଳି ପଡ଼ିଥିଲେ ଯଶୋଦା।
ପତ୍ନୀଙ୍କୁ ହତ୍ୟା କରିବା ପରେ ବିଷ ପିଇ ଦେଇଥିଲେ ମନୋରଞ୍ଜନ। ଏହା ପରେ ସେ ସେଠାରୁ ପଳାଇବାକୁ ଉଦ୍ୟମ ମାରୁଥିଲେ। ଗାଁ ଲୋକେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲେ। ତାଙ୍କୁ ଆଣିବା ବେଳେ ସେ ବାନ୍ତି କରିବାରୁ ବିଷ ପିଇଥିବା ଜାଣି ଗାଁ ଲୋକେ ବିଲରେ ପକାଇ ପଳାଇ ଆସିଥିଲେ।
ସିମୁଳିଆ ଥାନା ପୁଲିସ ମନୋରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ୍ରେ ଭର୍ତ୍ତି କରିଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗଜନକ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।