ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ଷମତାରେ ଥିବା ଦଳ ବା ଶକ୍ତି ସବୁବେଳେ ମୁକ୍ତ ସାମ୍ବାଦିକତା ଉପରେ ହସ୍ତକ୍ଷେପ କରିଥା’ନ୍ତି। ହେଲେ ଏବେ କେନ୍ଦ୍ର ସରକାରଙ୍କ ଅପେକ୍ଷା ରାଜ୍ୟ ସରକାରଙ୍କ ପକ୍ଷରୁ ମିଡିଆର କାର୍ଯ୍ୟରେ ପରୋକ୍ଷରେ ଅଯଥା ହସ୍ତକ୍ଷେପ ହେଉଛି ଓ ମୁକ୍ତ ସାମ୍ବାଦିକତା ଅଧିକ ବିପନ୍ନ ହୋଇଛି ବୋଲି ଏନଡିଟିଭିର ପୂର୍ବତନ ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର କହିଛନ୍ତି।
‘ନମସ୍କାର କମ୍ୟୁନିଟି ମିଡିଆ ନେଟୱର୍କ ଏବଂ ‘ୟଙ୍ଗ ଇଣ୍ଡିଆ’ ପକ୍ଷରୁ ମଙ୍ଗଳବାର କୋଣାର୍କଠାରେ ଆୟୋଜିତ ‘ଓଡ଼ିଶା ମିଡିଆ ଆଓ୍ବାର୍ଡ’ ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେଇ ସାମ୍ବାଦିକ ମହାପାତ୍ର କହିଥିଲେ, ଓଡ଼ିଶାରେ କିଛି ସାମ୍ବାଦିକଙ୍କୁ କେବଳ କେନ୍ଦ୍ର ସରକାରଙ୍କ ଭୁଲ ଦେଖାଯାଉଛି। ହେଲେ ରାଜ୍ୟ ସରକାରଙ୍କ ଭୁଲ ଦେଖାଯାଉନି। କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ସଚିବାଳୟ ଛଡ଼ା ଯାଉନି। ଆପଣ ଯଦି ‘ମଉସା’-‘ପୁତୁରା’ଙ୍କ ଦୁର୍ବଳତା ବିଷୟରେ ଲେଖୁନାହାନ୍ତି, ତେବେ ସାମ୍ବାଦିକ ଚାକିରି ସୁରକ୍ଷିତ ରହିବ। ମାଲିକଙ୍କ ଉପରେ ଆକ୍ରମଣ ପାଇଁ ବି ସାମ୍ବାଦିକମାନଙ୍କ ନିର୍ଭୀକତା କମିଯାଉଛି। ତେବେ ରାଜନୀତି ବ୍ୟତୀତ ଅନେକ ଲୋକ ପ୍ରସଙ୍ଗରେ ସାମ୍ବାଦିକମାନେ ତାଙ୍କ ସ୍ୱର ଉଠାଇପାରିବେ।
‘ଓଡ଼ିଶା ମିଡିଆ ଆୱାର୍ଡ’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୭୨ଟି ମନୋନୟନ/ଆବଦେଦନ ଆସିଥିବା ବେଳେ ସାମ୍ବାଦିକତାର ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ୧୮ ଜଣଙ୍କୁ ସମ୍ମାନିତ କରାଯାଉଛି ବୋଲି ଜୁରୀ କମିଟିର ଅଧ୍ୟକ୍ଷ ସୁଧୀର ପଟ୍ଟନାୟକ କହିଥିଲେ। ସେ କହିଥିଲେ- ମିଡିଆ କ୍ରମଶଃ କର୍ପୋରେଟ ନିୟନ୍ତ୍ରଣକୁ ଚାଲିଯାଉଥିବା ବେଳେ ପ୍ରଗତିଶୀଳ ସାମ୍ବାଦିକମାନେ ହିଁ ସାମାଜର ଜାଗ୍ରତ ପ୍ରହରୀ ଭାବେ କାମ କରିପାରିବେ।
ବରିଷ୍ଠ ସମ୍ବାଦିକ ରବି ଦାସ କହିଥିଲେ, ସାମ୍ବାଦିକମାନେ ବିଶେଷ କରି କ୍ରାଇମ୍ ବିଟ୍ କରୁଥିବା ସାମ୍ବାଦିକମାନେ କେବଳ ପୁଲିସ୍ର ନ୍ୟାରେଟିଭକୁ ବିଶ୍ୱାସ ନ କରି ନିଜ ସ୍ତରରେ ବିଭିନ୍ନ ସୂତ୍ରକୁ ବ୍ୟବହାର କରି ଖବରର ବ୍ୟାଖ୍ୟା କରି ରିପୋର୍ଟ ଲେଖନ୍ତୁ। ତା’ହେଲେ ସତ୍ୟାସତ୍ୟ ପଦାକୁ ଆସିବ ଓ ସମାଜର ମଙ୍ଗଳ ହେବ।
ବିବିସିର ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ କହିଥିଲେ, ମୁକ୍ତ ସାମ୍ବାଦିକତା ଏକ ଚ୍ୟାଲେଞ୍ଜ। ତେବେ ଭଲ ମିଡିଆ ଆଉଟଲେଟ ଓ ଭଲ ସାମ୍ବାଦିକଙ୍କୁ ସମାଜର ବିଭିନ୍ନ ସ୍ତରରୁ ପ୍ରୋତ୍ସାହନ ମିଳିଲେ ଗଣତନ୍ତ୍ର ଅଧିକ ସମୃଦ୍ଧ ହେବ।
କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ। ସେ କହିଥିଲେ, ୮ ବର୍ଷ ହେଲା ଜୁରୀ ମଣ୍ଡଳୀ ଭଲ କାମ କରୁଥିବା ସାମ୍ବାଦିକଙ୍କୁ ଚିହ୍ନଟ କରିବା ସହିତ ପ୍ରୋତ୍ସାହିତ କରୁଛି ଓ ଏହି ପୁରସ୍କାରର ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି।
[caption id="attachment_791284" align="aligncenter" width="650"] ’ଓଡ଼ିଶା ରିପୋର୍ଟର’ର ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀନାରାୟଣ କାନୁନଗୋ 'ବିକାଶମୂଳକ ସାମ୍ବାଦିକତା' କ୍ଷେତ୍ରରେ ଶ୍ରେଷ୍ଠ ରିପୋର୍ଟର ଭାବେ ପୁରସ୍କୃତ ହେଉଛନ୍ତି।[/caption]
ଏହି ଅବସରରେ ବିରୁପାକ୍ଷ ତ୍ରିପାଠୀଙ୍କୁ ଏଡିଟର ଅଫ୍ ଦ ଇୟର ପୁରସ୍କାର, ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକ ଏବଂ ରବି ଦାସଙ୍କୁ ସାମ୍ବାଦିକତା କ୍ଷେତ୍ରରେ ଆଜୀବନ ଯୋଗଦାନ ପାଇଁ ପୁରସ୍କୃତ କରାଯାଇଥିଲା। ’ଓଡ଼ିଶା ରିପୋର୍ଟର’ (ଓଟିଭି)ର ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀନାରାୟଣ କାନୁନଗୋଙ୍କୁ 'ବିକାଶମୂଳକ ସାମ୍ବାଦିକତା' କ୍ଷେତ୍ରରେ ଶ୍ରେଷ୍ଠ ରିପୋର୍ଟର ଭାବେ ପୁରସ୍କୃତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସ୍ତମ୍ଭକାର ଅଶୋକ ସାହୁ, ସମ୍ବାଦ ପାଠିକା ସୁପ୍ରିୟା ଦାସ, ଆଲୋକ କୁମାର ପତି, ଶତରୁପା ସାମନ୍ତରାୟ, କାର୍ଟୁନିଷ୍ଟ ଦେବାଶିଷ ସିଂ, ବିନୟ ଭୂଷଣ ପଟ୍ଟନାୟକ, ସନ୍ତୋଷ ମହାପାତ୍ର, ରଞ୍ଜନ ରଥ ଓ ବିଦେଶିନୀ ପଟେଲଙ୍କୁ ପୁରସ୍କୃତ କରାଯାଇଥିବାବେଳେ ଶ୍ରେଷ୍ଠ ମିଡିଆ ଅନୁଷ୍ଠାନ ପାଇଁ ଜାଭିୟର ବିଶ୍ଵବିଦ୍ୟାଳୟ, ଶ୍ରେଷ୍ଠ ଗୋଷ୍ଠୀ ବେତାର କାର୍ଯ୍ୟକ୍ରମ ପାଇଁ ରେଡିଓ ସୁରଭିର ‘ଶିକ୍ଷା ସୁରଭି’, ଫଟୋ ସାମ୍ବାଦିକ ଅରବିନ୍ଦ ମହାପାତ୍ର ଏବଂ ଖବର କାଗଜ ସଂଗ୍ରହ ପାଇଁ ପେପର ମ୍ୟାନ ଶଶାଙ୍କ ଶେଖର ଦାଶଙ୍କୁ ସମ୍ମାନିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ଭାରତୀୟ ଗୋଷ୍ଠୀ ବେତାର ମହାସଂଘର ଉପସଭାପତି ଡକ୍ଟର ଶିଶିର କୁମାର ଦାସ, ଓଡ଼ିଶା ମିଡିଆ ସୋସାଇଟିର ଆବାହକ ଏନ୍. ଏ. ଶାହ ଅନସାରୀ, ଆକ୍ସନ ଏଡର ନିର୍ଦ୍ଦେଶକ ସନ୍ଦୀପ ଚାଚ୍ରା, ୟୁନିସେଫର ମିଡିଆ ପରାମର୍ଶଦାତା ତଥା ବରିଷ୍ଠ ସାମ୍ବାଦିକା ଶାରଦା ଲାହାଙ୍ଗିର, ଓଡ଼ିଶା ଗୋଷ୍ଠୀ ବେତାର ମହାସଂଘର ସଭାପତି ଏସ୍ ଏ ସଫିକ ପ୍ରମୁଖ ଯୋଗ ଦେଇ ଗଣମାଧ୍ୟମର ଭୂମିକା ଉପରେ ନିଜର ମତ ରଖିଥିଲେ।
ଉତ୍ସବରେ ୟୁନେସ୍କୋ, ୟୁନିସେଫ୍, ବିଶ୍ୱ ବେତାର ପ୍ରସାରକ ମହାସଂଘ, ଆକ୍ସନ ଏଡ୍ ପରି ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥାର ପ୍ରତିନିଧିଙ୍କ ସହ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାମ୍ବାଦିକ, ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ବିଶେଷ ଓ ସାମାଜିକ କର୍ମୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।