ଜେଏସ୍‌ଡବ୍ଲ୍ୟୁକୁ ମିଳିଲା ପୋସ୍କୋର ଫରେଷ୍ଟ କ୍ଲିଅରାନ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଜ୍ଜନ ଜିନ୍ଦଲଙ୍କ ମାଲିକାନାରେ ଥିବା ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲକୁ ଜଗତସିଂହପୁରରେ ୫୦ ହଜାର କୋଟି ଟଙ୍କା ବ୍ୟୟରେ ମେଗା ଇସ୍ପାତ ପ୍ରକଳ୍ପ ନିର୍ମାଣ ପାଇଁ ସବୁଜ ସଙ୍କେତ ମିଳିଛି। ଦକ୍ଷିଣ କୋରିଆ କମ୍ପାନୀ ପୋସ୍କୋ ପାଇଁ ଏରସମାର ତହସିଲ ପ୍ରସ୍ତାବିତ ଅଞ୍ଚଳରେ ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ନିଜର ପ୍ରକଳ୍ପ ନିର୍ମାଣ କରିବ। ପୋସ୍କୋକୁ ୨୦୧୧ ମସିହାରେ ମିଳିଥିବା ଚୂଡ଼ାନ୍ତ ଫରେଷ୍ଟ କ୍ଲିଅରାନ୍ସକୁ ରାଜ୍ୟ ସରକାରଙ୍କ ସୁପାରିସ ଆଧାରରେ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲକୁ ସ୍ଥାନାନ୍ତର କରାଯାଇଛି। ୬ଟି […]

jsw

jsw

Manoranjan Sial
  • Published: Sunday, 15 September 2019
  • Updated: 16 September 2019, 11:18 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଜ୍ଜନ ଜିନ୍ଦଲଙ୍କ ମାଲିକାନାରେ ଥିବା ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲକୁ ଜଗତସିଂହପୁରରେ ୫୦ ହଜାର କୋଟି ଟଙ୍କା ବ୍ୟୟରେ ମେଗା ଇସ୍ପାତ ପ୍ରକଳ୍ପ ନିର୍ମାଣ ପାଇଁ ସବୁଜ ସଙ୍କେତ ମିଳିଛି। ଦକ୍ଷିଣ କୋରିଆ କମ୍ପାନୀ ପୋସ୍କୋ ପାଇଁ ଏରସମାର ତହସିଲ ପ୍ରସ୍ତାବିତ ଅଞ୍ଚଳରେ ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ନିଜର ପ୍ରକଳ୍ପ ନିର୍ମାଣ କରିବ। ପୋସ୍କୋକୁ ୨୦୧୧ ମସିହାରେ ମିଳିଥିବା ଚୂଡ଼ାନ୍ତ ଫରେଷ୍ଟ କ୍ଲିଅରାନ୍ସକୁ ରାଜ୍ୟ ସରକାରଙ୍କ ସୁପାରିସ ଆଧାରରେ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲକୁ ସ୍ଥାନାନ୍ତର କରାଯାଇଛି। ୬ଟି ସର୍ତ୍ତ ଆଧାରରେ ଏହି ଚୂଡ଼ାନ୍ତ ଫରେଷ୍ଟ କ୍ଲିଅରାନ୍ସ ୨୦୪୧ ମସିହା ପର୍ଯ୍ୟନ୍ତ ବୈଧ ରହିବ। ଅଗଷ୍ଟ ୧୬ ତାରିଖରେ କେନ୍ଦ୍ର ସରକାରଙ୍କ ଜଙ୍ଗଲ ପରାମର୍ଶଦାତା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପୋସ୍କୋ ନିଜର ପ୍ରକଳ୍ପ ପାଇଁ ୧୨୫୩ ହେକ୍ଟର ଜଙ୍ଗଲ ଜମି ଉପଯୋଗ ପାଇଁ ଅନୁମତି ପାଇ ଥିବାବେଳେ ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍‌ ଏଥିରୁ ୧୦୮୩ ହେକ୍ଟର ଜଙ୍ଗଲ ଜମି ନିଜର ପ୍ରକଳ୍ପ ନିମନ୍ତେ ଉପଯୋଗ କରିବାକୁ ଅନୁମତି ପାଇଛି।

ସୂଚନା ଅନୁସାରେ ୨୦୧୭ ଜୁନ୍ ୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟି ବୈଠକରେ ଜେଏସ୍‌ଡବ୍ଲ୍ୟୁର ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରକଳ୍ପକୁ ସବୁଜ ସଙ୍କେତ ମିଳିଥିଲା । କମ୍ପାନୀ ବାର୍ଷିକ ୧୨ ନିୟୁତ ଟନ୍ ଇସ୍ପାତ କାରଖାନା, ୯୦୦ ମେଗାୱାଟର କ୍ୟାପଟିଭ ପାୱାର ପ୍ଲାଣ୍ଟ, ବାର୍ଷିକ ୧୦ନିୟୁତ ଟନର ଇସ୍ପାତ କାରଖାନା, ଜଟାଧାରୀ ମୁହାଣରେ ନିଜସ୍ୱ ଜେଟି ନିର୍ମାଣ ପାଇଁ ପ୍ରାୟ ୫୦ହଜାର କୋଟି ଟଙ୍କା ନିବେଶ କରିବାକୁ ଲକ୍ଷ୍ୟ ରଖିଛି ।

ଜେଏସ୍‌ଡବ୍ଲ୍ୟୁର ଏହି ମେଗା ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ପ୍ରସ୍ତାବିତ ପୋସ୍କୋ ଅଞ୍ଚଳରେ ପ୍ରକଳ୍ପ ନିର୍ମାଣ ପାଇଁ କମ୍ପାନୀ ସହମତି ହୋଇଥିଲା। ତେବେ ପ୍ରସ୍ତାବିତ ଜଙ୍ଗଲ ଜମିକୁ ଅଣଜଙ୍ଗଲ କାର୍ଯ୍ୟରେ ବ୍ୟବହାର ନିମନ୍ତେ ଅନୁମତି ପୋସ୍କୋ କମ୍ପାନୀକୁ ମିଳିଥିବାରୁ ଆଇନଗତ ସମସ୍ୟା ଉପୁଜିଥିଲା। ପ୍ରସ୍ତାବିତ ଜମିକୁ ଅଧିଗ୍ରହଣ କରିଥିବା ଇଡକୋ ପ୍ରଥମେ ଏହି ଜଙ୍ଗଲ ଜମି ଅନୁମତିକୁ ତା’ ନାଁକୁ ଟ୍ରାନ୍ସଫର ପାଇଁ କେନ୍ଦ୍ର ଜଙ୍ଗଲ ମନ୍ତ୍ରଣାଳୟକୁ ୨୦୧୭ ସେପ୍ଟେମ୍ବର ୧୮ତାରିଖରେ ଲିଖିତ ଭାବେ ଜଣାଇଥିଲା । ମାତ୍ର ପରେ ଜେଏସଡବ୍ଲ୍ୟୁ ନାଁକୁ ଏହି ଚୂଡ଼ାନ୍ତ ଫରେଷ୍ଟ କ୍ଲିଅରାନ୍ସ ଟ୍ରାନ୍ସଫର କରିବାକୁ ବିଧିବଦ୍ଧ ପ୍ରସ୍ତାବ ୨୦୧୮ ନଭେମ୍ବର ୧୯ତାରିଖରେ କେନ୍ଦ୍ର ଜଙ୍ଗଲ ମନ୍ତ୍ରଣାଳୟକୁ ପଠାଇଥିଲା। ଯାହା ଉପରେ କେନ୍ଦ୍ର ଜଙ୍ଗଲ ପରାମର୍ଶଦାତା କମିଟି ୨୦୧୯ ଫେବୃୟାରୀ ୨୧ ତାରିଖରେ ବିଚାରବିମର୍ଶ କରିଥିଲେ।

୨୦୧୯ ଏପ୍ରିଲ ୧୫ତାରିଖରେ ରାଜ୍ୟ ଜଙ୍ଗଲ ସଚିବଙ୍କୁ ଚିଠି ଲେଖି ୪ଟି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଲୋଡ଼ିଥିଲେ। ଏହାପରେ ଜଙ୍ଗଲ ପରାମର୍ଶଦାତା କମିଟି ପୁନର୍ବାର ୨୦୧୯ ମେ’ ୨୨ ତାରିଖ ବୈଠକରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରି ରାଜ୍ୟ ସରକାରଙ୍କୁ କେତେକ ପ୍ରସଙ୍ଗରେ ସାନି ସ୍ପଷ୍ଟୀକରଣ ମାଗିଥିଲେ।

ଏହି ଫରେଷ୍ଟ କ୍ଲିଅରାନ୍ସ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲକୁ ସ୍ଥାନାନ୍ତର କରାଗଲେ ପୋସ୍କୋର କୌଣସି ଆପତ୍ତି ନାହିଁ ବୋଲି ରାଜ୍ୟ ସରକାର ଲିଖିତ ଭାବେ ଜଣାଇବା ପରେ ଅଗଷ୍ଟ ୧୬ତାରିଖରେ ଜଙ୍ଗଲ ପରାମର୍ଶଦାତା କମିଟି ୬ଟି ସର୍ତ୍ତ ସହ ଜେଏସ୍‌ଡବ୍ଲ୍ୟୁକୁ ପ୍ରସ୍ତାବିତ ଅଞ୍ଚଳରେ ୧୦୮୩ଏକର ଜଙ୍ଗଲ ଜମି ଉପଯୋଗ କରିବାକୁ ଅନୁମତି ଦେଇଛନ୍ତି। ପୋସ୍କୋକୁ ୧୨୫୩ ହେକ୍ଟର ଜଙ୍ଗଲ ଜମି ଉପଯୋଗ ପାଇଁ ଅନୁମତି ମିଳିଥିବାରୁ ବାକି ୧୬୯ ହେକ୍ଟର ଜଙ୍ଗଲ ଜମିକୁ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗକୁ ଫେରାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ଜମିରେ ଜଙ୍ଗଲ ତିଆରି କାର୍ଯ୍ୟ ଜେଏସ୍‌ଡବ୍ଲ୍ୟୁ କରିବାକୁ କୁହାଯାଇଛି। ଏନେଇ ବିସ୍ତୃତ ଆକ୍ସନ ପ୍ଲାନ୍ ମଧ୍ୟ ପ୍ରସ୍ତୁତ ନିମନ୍ତେ ଜଙ୍ଗଲ ପରାମର୍ଶଦାତା କମିଟି କହିଛନ୍ତି।

ପୋସ୍କୋ ପ୍ରକଳ୍ପ ପାଇଁ ଏରସମାର ୮ଟି ଗାଁ ପ୍ରଭାବିତ ହେବାର ଥିବା ବେଳେ ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍‌ ପାଇଁ ଏଥିରୁ ୨ ଗାଁ- ନୋଳିଆସାହି ଓ ଭୂୟାଁପାଳ ବାଦ ପଡ଼ିଛନ୍ତି। କେବଳ ଏହି ନୂଆ ପ୍ରକଳ୍ପ ଯୋଗୁଁ କେବଳ ଗୋବିନ୍ଦପୁର, ଢିଙ୍କିଆ, ନୂଆଗାଁ, ଜଟାଧାର, ପୋଲାଙ୍ଗ ଓ ବାୟାନାଳକନ୍ଧ ଗାଁର ପ୍ରାୟ ୪ ଶହ ପରିବାର ପ୍ରଭାବିତ ହେବେ।

ଏହା ବ୍ୟତୀତ ସେହି ଜଙ୍ଗଲ ଜମିକୁ ଜେଏସ୍‌ଡବ୍ଲ୍ୟୁ ପୂର୍ବରୁ ଧାର୍ଯ୍ୟ (୨୦୧୧ମସିହାରୁ ୩୦ ବର୍ଷ) ପାଇଁ ଉପଯୋଗ କରିପାରିବ। ଯଦି ପୋସ୍କୋ କିଛି ବକେୟା ରଖିଥିବ ତା’ହେଲେ ସମ୍ପୃକ୍ତ ନୂଆ କମ୍ପାନୀ ତାକୁ ପୈଠ କରିବ। ପୋସ୍କୋକୁ ଯେଉଁ ସର୍ତ୍ତ ଆଧାରରେ ଚୂଡ଼ାନ୍ତ ଫରେଷ୍ଟ କ୍ଲିଅରାନ୍ସ ମିଳିଥିଲା ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍‌ ପାଇଁ ସେସବୁ ଲାଗୁ ହେବ ତଥା କ୍ଷତିପୂରଣ ବନୀକରଣ କରିବା ପାଇଁ ମଧ୍ୟ ଏହି ନୂଆ କମ୍ପାନୀ ବାଧ୍ୟ ରହିବ। ଜଙ୍ଗଲ ଜମି କିସମ ପରିବର୍ତ୍ତନ ପାଇଁ ଅନୁମତି ମିଳିବା ପରେ ଜେଏସ୍‌ଡବ୍ଲ୍ୟୁ ପ୍ରସ୍ତାବିତ ପୋସ୍କୋ ଜମିରେ ନିଜର ପ୍ରକଳ୍ପ କାର୍ଯ୍ୟକୁ ଆସନ୍ତା ନଭେମ୍ବର ମାସରୁ ଆରମ୍ଭ କରିବାକୁ ଯୋଜନା ରଖିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos