କୋଇଡା (ସୁନୀଲ କୁମାର ପଣ୍ଡା): ଯେଉଁ ନଦୀ ଦିନେ ଆଦିବାସୀ ଜନଜାତିଙ୍କ ଶୋଷ ମେଣ୍ଟାଉଥିଲା ଆଜି ସିଏ ଶୁଖିଲା ପଡ଼ିଛି। ଲୋକେ ପାଣି ପାଇଁ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଦେଶୀ ବିଦେଶୀ କମ୍ପାନୀଙ୍କ ମନମୁଖୀ କାର୍ଯ୍ୟ ପାଇଁ ଏପରି ଦଣ୍ଡ ଭୋଗୁଛନ୍ତି ଖଣି ଖାଦାନ ଭରା ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଡେଙ୍ଗୁଳା ଅଞ୍ଚଳର ଗରିବ ଆଦିବାସୀ ଜନଜାତି ଲୋକେ।
ଆଦିବାସୀ ଅଧ୍ୟୁଷିତ କୋଇଡା ବ୍ଲକର ଡେଙ୍ଗୁଳା ପଞ୍ଚାୟତରୁ କୁଳୁକୁଳୁ ନାଦ କରି ବହି ଯାଉଛି ପ୍ରାକୃତିକ ଝରଣା। ଏହି ଝରଣାରୁ ସୃଷ୍ଟି ହୋଇଥିଲା କାରୋ ନଦୀ। ଓଡ଼ିଶାରୁ ବାହାରିଥିବା ଏହି ନଦୀ ଝାଡ଼ଖଣ୍ଡର କୋଏଲ ନଦୀରେ ମିଶିଥିବା ସ୍ଥାନୀୟ ଲୋକେ କୁହନ୍ତି। ଦିନେ ଏହି ନଦୀରେ ବର୍ଷା ଓ ଗ୍ରୀଷ୍ମ ଋତୁରେ ପ୍ରବଳ ପାଣି ପ୍ରବାହିତ ହେଉଥିଲା। ସେଥିପାଇଁ ନଦୀ କୂଳିଆ ଲୋକ ବର୍ଷକ ବାର ମାସ ଚାଷ କରି ପରିବାର ଭରଣ ପୋଷଣ କରୁଥିଲେ। ଏପରିକି ସ୍ଥାନୀୟ ଲୋକଙ୍କ ଶୋଷ ମେଣ୍ଟାଇ ଥାଏ ଏହି କାରୋ ନଦୀ। ବନ୍ୟ ଜୀବଯନ୍ତୁ ମଧ୍ୟ ଏହି ନଦୀ ପାଣି ପିଇ ଶୋଷ ମେଣ୍ଟାଉଥିଲେ।
ବର୍ତ୍ତମାନ ଏହି ନଦୀ ସତ୍ତା ହରାଇବାକୁ ବସିଛି। ପ୍ରକୃତିର ଅତୁଲ୍ୟ ଅବଦାନକୁ ମଣିଷ ନିଜ ହାତରେ ବରବାଦ କରିଦେଇଛି। କୋଇଡା ଖଣିଜ ସମ୍ପଦରେ ଭରପୂର ହୋଇଥିବାରୁ ବହୁ ଦେଶୀ ଓ ବିଦେଶୀ କମ୍ପାନୀ ଆସିଲେ। ସେମାନେ ଖଣିଜ ସମ୍ପଦ ପାଇଁ ଖନନ କଲେ। ଆଉ ଖଣିରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ନନେଇ ବାହାରେ ପକାଇଦେଲେ। ପରବର୍ତ୍ତୀ ସମୟରେ ସେହି ବର୍ଜ୍ୟବସ୍ତୁ ବର୍ଷା ପାଣିରେ ଯାଇ କାରୋ ନଦୀରେ ମିଶିଲା। ଆଉ ତା’ପରେ ଧୀରେ ଧୀରେ ପୋତି ହେବାରେ ଲାଗିଲା ଆଦିବାସୀଙ୍କ ଜୀବନ ରେଖା କୁହାଯାଉଥିବା କାରୋ ନଦୀ। ବର୍ତ୍ତମାନ ନଦୀ ଶୁଖିଲା ପଡ଼ିଛି।
କାରୋ ନଦୀର ଉତ୍ପତ୍ତି ସ୍ଥଳ ପୋତି ହେବା ଯୋଗୁ ହଜାର ହଜାର ହେକ୍ଟର ଚାଷ ଜମି ମରୁଭୂମି ପାଲଟି ଗଲାଣି। ଲୋକେ ବାଧ୍ୟ ହୋଇ ଚାଷ କାମ ଛାଡି ମାଇନ୍ସରେ ଦିନ ମଜୁରିଆ ଭାବେ କାମ କରୁଛନ୍ତି। ଅନ୍ୟପକ୍ଷରେ କାରୋ ନଦୀର ପୂର୍ଣ୍ଣ ଉଦ୍ଧାର ପାଇଁ ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଅନୁରୋଧ କଲେଣି ନଦୀ କୂଳିଆ ଗାଁ ଲୋକେ। ହେଲେ ଏଥିପ୍ରତି କେହି କର୍ଣ୍ଣପାତ କରୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।