କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି: ସମ୍ବଲପୁରରେ ହେବ ଆଇଆଇଏମ୍

ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ସମ୍ବଲପୁରରେ ପ୍ରତିଷ୍ଠା ହେବ ଆଇଆଇଏମ୍। ଆଉ ଚଳିତ ବର୍ଷ ଠାରୁ ଏଠାରେ ପାଠପଢ଼ା ମଧ୍ୟ ଆରମ୍ଭ ହେବ। ଆଜି କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କରିଛନ୍ତି ଏହି ଘୋଷଣା। କେନ୍ଦ୍ର କ୍ୟାବିନେଟର ବୈଠକ ପରେ ସେ ଏହି ଘୋଷଣା କରିଛନ୍ତି। ସେ କହିଥିଲେ ଯେ ଚଳିତ ବର୍ଷ ବଜେଟ୍ ଅଧିବେଶନରେ ସାରା ଦେଶରେ ୬ଟି ସ୍ଥାନରେ ଆଇଆଇଏମ୍ ଖୋଲିବାକୁ ସରକାର ଘୋଷଣା କରିଥିଲେ। ଆଉ ସେହି ଅନୁସାରେ ରାଜ୍ୟ […]

sbpiim

sbpiim

Rakesh Mallick
  • Published: Wednesday, 24 June 2015
  • Updated: 24 June 2015, 12:41 PM IST

Sports

Latest News

ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ସମ୍ବଲପୁରରେ ପ୍ରତିଷ୍ଠା ହେବ ଆଇଆଇଏମ୍। ଆଉ ଚଳିତ ବର୍ଷ ଠାରୁ ଏଠାରେ ପାଠପଢ଼ା ମଧ୍ୟ ଆରମ୍ଭ ହେବ। ଆଜି କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କରିଛନ୍ତି ଏହି ଘୋଷଣା। କେନ୍ଦ୍ର କ୍ୟାବିନେଟର ବୈଠକ ପରେ ସେ ଏହି ଘୋଷଣା କରିଛନ୍ତି।

ସେ କହିଥିଲେ ଯେ ଚଳିତ ବର୍ଷ ବଜେଟ୍ ଅଧିବେଶନରେ ସାରା ଦେଶରେ ୬ଟି ସ୍ଥାନରେ ଆଇଆଇଏମ୍ ଖୋଲିବାକୁ ସରକାର ଘୋଷଣା କରିଥିଲେ। ଆଉ ସେହି ଅନୁସାରେ ରାଜ୍ୟ ସରକାରଗୁଡ଼ିକ ଦ୍ୱାରା ଚିହ୍ନଟ ସ୍ଥାନ ଗୁଡ଼ିକୁ ଆଜି କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି। ଏହି ନିଷ୍ପତ୍ତି ପ୍ରକାରେ ଓଡ଼ିଶାର ସମ୍ବଲପୁର, ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା, ବିହାରର ବୋଦ୍ଧଗୟା, ହିମାଚଳ ପ୍ରଦେଶର ସରମଉର, ମହାରାଷ୍ଟ୍ରର ନାଗପୁର ଓ ପଞ୍ଜାବର ଅମ୍ରିତସର ଠାରେ ଆଇଆଇଏମ୍ ଗୁଡ଼ିକ ପ୍ରତିଷ୍ଠା ହେବ। ଚଳିତ ଶିକ୍ଷା ବର୍ଷରୁ ଏହି ନୂଆ ଅନୁଷ୍ଠାନ ଗୁଡ଼ିକରେ ପାଠ ପଢ଼ା ଆରମ୍ଭ ହେବ। ପ୍ରାଥମିକ ପର୍ଯ୍ୟାୟରେ ଏହି ଅନୁଷ୍ଠାନ ଗୁଡ଼ିକରେ ୧୪୦ ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କ ନାମ ଲେଖାଯିବ। ସେହିପରି ଚଳିତ ବର୍ଷ ଠାରୁ ଏହି ସବୁ ସ୍ଥାନରେ ଅସ୍ଥାୟୀ ଆଇଆଇଏମ୍ କ୍ୟାମ୍ପସରେ ପାଠପଢ଼ା ଆରମ୍ଭ କରାଯିବ। ଏହା ସହିତ ରାଜ୍ୟ ସରକାରଗୁଡ଼ିକଙ୍କ ଦ୍ୱାରା ଚିହ୍ନଟ ସ୍ଥାନ ଗୁଡ଼ିକରେ ଆଇଆଇଏମର ସ୍ଥାୟୀ କ୍ୟାମ୍ପସ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।

କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଏହି ଘୋଷଣା ପରେ ସମ୍ବଲପୁର ଅଞ୍ଚଳରେ ଖୁସର ଲହରୀ ଖେଳି ଯାଇଛି। ରାଜ୍ୟ ସରକାରଙ୍କ ସେମତ ସମସ୍ତ ରାଜନୈତିକ ଦଳ ଏହାକୁ ସ୍ୱାଗତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ସମ୍ବଲପୁରରେ ଆଇଆଇଏମ୍ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ଆମ ପ୍ରସ୍ତାବରେ ରାଜି ହୋଇଥିବାରୁ ସେ ଖୁସି।   ଏହା ପଶ୍ଚିମ ଓଡ଼ିଶାର ଶିକ୍ଷାର ବିକାଶ କରିବାରେ ବେଶ୍ ସହାୟକ ହେବ। ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି ଯେ ଏହା ଏକ ସ୍ୱାଗତଯୋଗ୍ୟ ନିଷ୍ପତ୍ତି। ସମ୍ବଲପୁରରେ ଆଇଆଇଏମ୍ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ଉଦ୍ୟମ କରାଯାଇଥିଲା। କେନ୍ଦ୍ର ସରକାର ରଖିଥିବା ସବୁ ସର୍ତ୍ତ ସମ୍ବଲପୁର ପୂରଣ କରୁଛି ବୋଲି କେନ୍ଦ୍ର ସରକାରଙ୍କୁ କୁହାଯାଇଥିଲା। ଗତ ୨୦ ତାରିଖରେ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଟିମର ପ୍ରସ୍ତାବିତ ସ୍ଥାନ ପରିଦର୍ଶ ପରେ ଗତକାଲି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ଫୋନ୍ କରାଯାଇଥିଲା ଓ ଦୁଇଟି ପ୍ରସଙ୍ଗରେ ଅଧିକ ପଚରା ଯାଇଥିଲା। ସମ୍ବଲପୁରକୁ ଯୋଗାଯୋଗ ଓ ବ୍ରୋଡବ୍ୟାଣ୍ଡ୍ କନେକ୍ସନ୍ ବ୍ୟବସ୍ଥା ନେଇ କିଛି ପ୍ରଶ୍ନ କରାଯାଇଥିଲା। ସମ୍ବଲପୁରରେ ଆଇଆଇଏମ୍ ପ୍ରତିଷ୍ଠା ହେଲେ ଏସବୁ ସୁବିଧା ରାଜ୍ୟ ସରକାର ତୁରନ୍ତ କରିବେ ବୋଲି ଦୃଢ଼ ପ୍ରତିଶ୍ରୁତି ଦିଆଯାଇଥିଲା।

ସେହିପରି ବିଜେଡି ବିଧାୟକ ରୋହିତ ପୂଜାରୀ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ସ୍ୱାଗତ ଯୋଗ୍ୟ। ସମ୍ବଲପୁରରେ ଆଇଆଇଏମ୍ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିବା ସହିତ ବାରମ୍ବାର ଚାପ ମଧ୍ୟ ପକାଇ ଆସିଥିଲେ। ସମ୍ବଲପୁର ବିଧାୟକ ତଥା ବିଜେଡି ନେତା ରାସେଶ୍ୱରୀ ପ୍ରାଣିଗ୍ରାହୀ କହିଛନ୍ତି ଯେ ଏହା ଏକ ଖୁସିର ଖବର। ଏଥିପାଇଁ ସେ ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି। ସମ୍ବଲପୁରରେ ଆଇଆଇଏମ୍ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ବିଶେଷ ଗୁରୁତ୍ୱ ଦେଇଥିଲେ। ବିଜେପିର ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ କହିଛନ୍ତି, ଏହା ସମ୍ବଲପୁରବାସୀଙ୍କ ପାଇଁ ଏକ ବଡ଼ ଉପହାର। ସମ୍ବଲପୁରରେ ଆଇଆଇଏମ୍ ପ୍ରତିଷ୍ଠା ପାଇଁ ପ୍ରଥମେ ବିଜେପି ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଥିଲା। ଆଉ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଐତିହାସିକ ନିଷ୍ପତ୍ତିକ୍ରମେ ସମ୍ବଲପୁରରେ ଆଇଆଇଏମ୍ ପ୍ରତିଷ୍ଠା କରିବାକୁ ମଞ୍ଜୁରୀ ଦେଇଛନ୍ତି। କଂଗ୍ରେସ ନେତା ତଥା ସମ୍ବଲପୁରର ପୂର୍ବତନ ସାଂସଦ ଅମର ପ୍ରଧାନ କହିଛନ୍ତି ଯେ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ସମ୍ବଲପୁରବାସୀଙ୍କ ଦାବି ପୂରଣ ହୋଇଛି। ଏନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଧନ୍ୟବାଦର ପାତ୍ର।

କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ପ୍ରକାରେ ସମ୍ବଲପୁରରେ ଚଳିତ ବର୍ଷ ଠାରୁ ହିଁ ପାଠପଢ଼ା ଆରମ୍ଭ ହେବ। ଏଥର ୧୪୦ ଜଣ ଛାତ୍ରଛାତ୍ରୀ ଏଥିରେ ନାମ ଲେଖାଇ ପାରିବେ। ଅସ୍ଥାୟୀ କ୍ୟାମ୍ପସରେ ଆରମ୍ଭ ହେବ ପାଠ ପଢ଼ା। ସମ୍ବଲପୁରରେ ସ୍ଥାୟୀ ଓ ଅସ୍ଥାୟୀ କ୍ୟାମ୍ପସ୍ ପ୍ରତିଷ୍ଠା ନେଇ ଗତ ୨୦ ତାରିଖରେ ଆସିଥିବା କେନ୍ଦ୍ରୀୟ ଅନୁଧ୍ୟାନକାରୀ ଟିମର ସଦସ୍ୟ ମାନବ ସମ୍ୱଳ ବିକାଶ ମନ୍ତ୍ରାଳୟର ଡିରେକଟର ଅଫ୍ ମ୍ୟାନେଜମେଣ୍ଟ ଶୈଳେନ୍ଦ୍ର କୁମାର କହିଥିଲେ ଯେ ଯଦି ତାଙ୍କ ପ୍ରସ୍ତାବ ମାନି ନିଅନ୍ତି ତା’ହେଲେ ଚଳିତ ବର୍ଷ ଠାରୁ ପାଠପଢ଼ା ଆରମ୍ଭ ହେବ। ତେବେ କେବଳ ୭୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ। କିନ୍ତୁ ଆଜି କେନ୍ଦ୍ର କ୍ୟାବିନେଟ୍ ୧୪୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ ବୋଲି କହିଛନ୍ତି।

ଭୁବନେଶ୍ୱର ନାଇଜରର ଡିନ୍ ପ୍ରଣୟ ସ୍ୱାଇଁ କହିଛନ୍ତି ଯେ ଚଳିତ ବର୍ଷ ଠାରୁ ସମ୍ବଲପୁରରେ ପାଠପଢ଼ାରେ କିଛି ସମସ୍ୟା ନାହିଁ। ପ୍ରାଥମିକ ଭାବେ ଇନ୍ଦୋର ସ୍ଥିତ ଆଇଆଇଏମ୍ ଏହାର ସମସ୍ତ କଥା ବୁଝିବ। ତେଣୁ ସେମାନେ ନିଶ୍ଚିତ ଭାବେ ଏନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos