Advertisment

'ବଢ଼ୁଥିବା ସହରୀକରଣ ପାଇଁ ଜଳୁଛି ରାଜଧାନୀ'

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୪୦ ହଜାର ଲୋକଙ୍କୁ ନେଇ ଆରମ୍ଭ ହୋଇଥିବା ରାଜଧାନୀ ଭୁବନେଶ୍ୱର ଏବେ ଉତ୍ତପ୍ତ ସହର ପାଲଟିଛି। ଗତ ବୁଧବାର (ମାର୍ଚ୍ଚ ୩୧) ରାଜଧାନୀର ତାପମାତ୍ରା ଥିଲା ୪୪ ଡିଗ୍ରୀ ସେଲସିୟସ। ୧୯୪୮ ମସିହା ପରେ ଏହି ସହର ପ୍ରଥମ ଥର ପାଇଁ ମାର୍ଚ୍ଚ ମାସରେ ୪୪ ଡିଗ୍ରୀ ତାପମାତ୍ରା ଛୁଇଁଥିବା ଜଣାପଡ଼ିଛି। ଏହାରି ଭିତରେ ଭୁବନେଶ୍ୱର ସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)ର ସ୍କୁଲ ଅଫ୍ ଆର୍ଥ, ମହାସାଗର ଏବଂ ଜଳବାୟୁ […]

author-image
Subhransu Sekhar
ଅଦ୍ୟତନ ହୋଇଛି
'ବଢ଼ୁଥିବା ସହରୀକରଣ ପାଇଁ ଜଳୁଛି ରାଜଧାନୀ'

Bhubaneswar

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୪୦ ହଜାର ଲୋକଙ୍କୁ ନେଇ ଆରମ୍ଭ ହୋଇଥିବା ରାଜଧାନୀ ଭୁବନେଶ୍ୱର ଏବେ ଉତ୍ତପ୍ତ ସହର ପାଲଟିଛି। ଗତ ବୁଧବାର (ମାର୍ଚ୍ଚ ୩୧) ରାଜଧାନୀର ତାପମାତ୍ରା ଥିଲା ୪୪ ଡିଗ୍ରୀ ସେଲସିୟସ। ୧୯୪୮ ମସିହା ପରେ ଏହି ସହର ପ୍ରଥମ ଥର ପାଇଁ ମାର୍ଚ୍ଚ ମାସରେ ୪୪ ଡିଗ୍ରୀ ତାପମାତ୍ରା ଛୁଇଁଥିବା ଜଣାପଡ଼ିଛି।

Advertisment

ଏହାରି ଭିତରେ ଭୁବନେଶ୍ୱର ସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)ର ସ୍କୁଲ ଅଫ୍ ଆର୍ଥ, ମହାସାଗର ଏବଂ ଜଳବାୟୁ ବିଜ୍ଞାନ ଏକ ଗବେଷଣା ପ୍ରକାଶ କରିଛି। ଯେଉଁଥିରେ ୨୦୦୩-୨୦୧୭ ମଧ୍ୟରେ ରାଜଧାନୀରେ ସହରୀକରଣ ୭୭.୦୫ ପ୍ରତିଶତ ବୃଦ୍ଧି ଘଟିଛି। ତେବେ ସର୍ବାଧିକ ସହରୀକରଣ ୨୦୦୩–୨୦୦୮ ମଧ୍ୟରେ ୭୧ ପ୍ରତିଶତ ରହିଥିବା ଜଣାପଡ଼ିଛି। ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି ଅନସୂୟା ବାରିକ୍, ଦେବଦତ୍ତ ସ୍ୱାଇଁ ଏବଂ ଭେଲୁ ଭିନୋଜ। “ଭୁବନେଶ୍ୱର ସହରାଞ୍ଚଳ ଉପରେ ଦ୍ରୁତ ସହରୀକରଣ ଏବଂ ଭୂତଳ ତାପମାତ୍ରା ପରିବର୍ତ୍ତନ ଉପରେ ଏହାର ପ୍ରଭାବ” ରିପୋର୍ଟରେ ଏହି ତିନି ଗବେଷକ ରାଜଧାନୀରେ ବଢ଼ୁଥିବା ତାପମାତ୍ରା ଏବଂ ଜନସଂଖ୍ୟାକୁ ନେଇ ଲେଖିଛନ୍ତି।

୪୦ ହଜାର ଲୋକଙ୍କୁ ନେଇ ୧୯୪୮ ଏପ୍ରିଲ ୧୩ରେ ତିଆରି ହୋଇଥିବା ରାଜଧାନୀ ଭୁବନେଶ୍ୱରର ଏବେ ଲୋକ ସଂଖ୍ୟା ୧୦ ଲକ୍ଷରୁ ଅଧିକ ହୋଇଛି। ଆଉ ଲୋକ ସଂଖ୍ୟା ତୁଳନାରେ ଯାନବାହନ ସଂଖ୍ୟା ମଧ୍ୟ ଏହାଠୁ ଅଧିକ ମାତ୍ରାରେ ବୃଦ୍ଧି ପାଉଥିବାରୁ ରାଜଧାନୀ ଭୁବନେଶ୍ୱର ଏବେ ଉତ୍ତପ୍ତ ସହର ପାଲଟିଛି। ରାଜଧାନୀରେ ତାପମାତ୍ରା ବଢ଼ିବା ପଛର କାରଣ ସହରୀ ଉତ୍ତାପ ବୋଲି ଜଳବାୟୁ ବିଶେଷଜ୍ଞ କହିଛନ୍ତି। ଯଦିଓ ସହରକୁ ଯୋଜନାବଦ୍ଧ ଭାବରେ ବିକାଶ କରାଯାଉଛି ହେଲେ ଏହାର ଦୂରଦୃଷ୍ଟି ବାବଦରେ କେହି ଚିନ୍ତା କରୁନଥିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି।

Advertisment

CREDAIର ରିପୋର୍ଟ ଅନୁଯାୟୀ ସହର ଏବଂ ଏହାର ଆଖପାଖରେ ପ୍ରତିବର୍ଷ ୨,୦୦୦ ରୁ ୩୦୦୦ ବାସଗୃହ ନିର୍ମାଣ କରାଯାଉଛି। ଆଉ ଯାନବାହାନ ଭୁବନେଶ୍ୱରର ଜନସଂଖ୍ୟାଠାରୁ ଅଧିକ ହୋଇଛି। ୨୦୧୯ ସୁଦ୍ଧା ୧୦ ଲକ୍ଷ ଲୋକଙ୍କ ସଂଖ୍ୟା ଭିତରେ ରାଜଧାନୀରେ ୧.୪ ମିଲିୟନରୁ ଅଧିକ ପଞ୍ଜିକୃତ ଯାନ ରହିଛି। ପଞ୍ଜୀକୃତ ଯାନ ସଂଖ୍ୟା ବାର୍ଷିକ ୩-୫ ପ୍ରତିଶତ ହାରରେ ବୃଦ୍ଧି ପାଉଥିବା ଜଣାପଡ଼ିଛି।

ତେବେ ୨୦୦୦ ରୁ ୨୦୧୪ ମଧ୍ୟରେ ପାଖାପାଖି ୮୯ ପ୍ରତିଶତ ସହରୀକରଣ ରେକର୍ଡ ହୋଇଛି। ଏହାଦ୍ୱାରା ୮୩ ପ୍ରତିଶତ ଘଞ୍ଚ ଜଙ୍ଗଲ ନଷ୍ଟ ହୋଇଥିବା ରିପୋର୍ଟରେ କୁହାଯାଇଛି। ରାଜଧାନୀ ସହରୀକରଣ ହେବା ଦ୍ୱାରା ଏଠାରେ ଥିବା ଚାଷ ଜମି ଅଧିକ ପ୍ରଭାବିତ ହୋଇଛି। ଯାହାକି ତାପମାତ୍ରା ଏବଂ ବିକିରଣକୁ ରୋକିବାରେ ମୁଖ୍ୟତଃ ସାହାଯ୍ୟ କରେ। ଏହି ସମୟ ମଧ୍ୟରେ ୮୨.୬୪ ପ୍ରତିଶତ ଚାଷ ଜମି ସହରୀ ଜମିରେ ପରିଣତ ହୋଇଥିଲା। ୨୦୦୩ର ରିପୋର୍ଟ ଅନୁଯାୟୀ ଅନାବାଦୀ ଏବଂ କୃଷି ଜମି ପ୍ରାୟ ୫୨.୩ ପ୍ରତିଶତ ଥିଲା। ଯାହାକି ୨୦୧୭ରେ ୧୯.୩ ପ୍ରତିଶତକୁ ଖସି ଆସିଥିଲା। ଏହାଦ୍ୱାରା ସହରର ଭୂତଳ ତାପମାତ୍ରା ପ୍ରଭାବିତ ହୋଇଛି। ​​ଯାହାକି ପ୍ରତି ପାଞ୍ଚ ବର୍ଷରେ ଧୀରେ ଧୀରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି।

ରିପୋର୍ଟରେ ପ୍ରକାଶ ପାଇଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ୨୦୦୩-୨୦୦୮ ପରେ ସହରୀକରଣ ପ୍ରକ୍ରିୟା ଟିକିଏ କମିଛି। ହେଲେ ସ୍ଥଳଭାଗର ତାପମାତ୍ରା କିନ୍ତୁ ବୃଦ୍ଧି ପାଇବାରେ ଲାଗିଛି। ୨୦୧୩-୨୦୧୭ରେ ସହରୀକରଣ ମାତ୍ର ୧୨ ପ୍ରତିଶତ ବିସ୍ତାର ଘଟିଛି କିନ୍ତୁ ସ୍ଥଳଭାଗର ତାପମାତ୍ରା ୯.୮୪ ପ୍ରତିଶତକୁ ବୃଦ୍ଧି ଘଟିଛି।

ଏହାର ଅର୍ଥ ଯଦିଓ ସହରୀକରଣର ହାର ପରବର୍ତ୍ତୀ ହ୍ରାସ ପାଇଛି, ହେଲେ ଏହାର ପ୍ରଭାବରୁ ତାପମାତ୍ରା କ୍ରମଶଃ ବୃଦ୍ଧି ପାଇଛି। ଯାହାକି ଉତ୍ତାପ ବୃଦ୍ଧି କରିବାରେ ସହାୟକ ହେଉଛି। ସହରୀକରଣ ଓ ଚକାଚକ ରାସ୍ତା ତିଆରି ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି। ହେଲେ ଏହିସବୁ ରାସ୍ତା ତିଆରି ବେଳେ ହଜାର ହଜାର ଗଛ କଟାଯାଉଛି। ସରକାରୀ ନିୟମ ଅନୁସାରେ ଗଛ କଟା ହେଲେ ଆଉ କୌଣସି ସ୍ଥାନରେ ଚାରା ରୋପଣ କରାଯିବ। ହେଲେ ଆବଶ୍ୟକ ଇଚ୍ଛାଶକ୍ତି ଅଭାବରୁ ଚାରା ରୋପଣ ପାଇଁ ଘୋଷଣା ହେଉଛି ହେଲେ ଏହା କାର୍ଯ୍ୟକାରୀ ହୋଇପାରୁନି। ଯାହାର ପ୍ରମାଣ ଖଣ୍ଡଗିରି-ତୋମାଣ୍ଡୋ ଜାତୀୟ ରାଜପଥ ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ପାଖାପାଖି ୧୭୦୦ ଗଛ କଟାଯାଇଛି। ଏହାର ପ୍ରତିବଦଳରେ ୩,୪୦୦ ଚାରା ରୋପଣ କରିବା କଥା। ହେଲେ ଏପର୍ଯ୍ୟନ୍ତ ଚାରା ରୋପଣ ଆରମ୍ଭ ହୋଇନାହିଁ ବୋଲି ବିଭାଗର ଜଣେ ଅଧିକାରୀ କହିଥିବା ସୂଚନା ରହିଛି।

Bhubaneswar