କୋରାପୁଟ(ଓଡ଼ିଶା ରିପୋର୍ଟର): ମୁଁ ଗାଁ ଭିତରକୁ ଯିବି। କାହାର ସାହାସ ଅଛି ମୋତେ କିଏ ଅଟକାଇବ ମୁଁ ଦେଖିବି। ମୁଁ ଜଣେ ଏଡିଏମ୍, ଏ ଜମି ଆମର। ଏଠି କଣ୍ଟନମେଣ୍ଟ ଜୋନ କରିବାକୁ ତମେ କିଏ? ଓଡ଼ିଶା ସୀମା ଭିତରେ ପ୍ରବେଶ କରି କିଛି ଏଭଳି ମୁହଁ ଟାଣ କରି କହିଛନ୍ତି ଜଣେ ଆନ୍ଧ୍ର ଅଧିକାରୀ। ଓଡ଼ିଶାର ଗାଁକୁ ନିଜର ବୋଲି ଦାବି କରୁଛନ୍ତି ଆନ୍ଧ୍ର ଅଧିକାରୀ। ଖାଲି ସେତିକି ନୁହେଁ, ୧୪୪ ଧାରା ଓ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ସତ୍ତ୍ୱେ ମଧ୍ୟ ଗାଁ ଭିତରକୁ ଧଶେଇ ପଶିବାକୁ ଉଦ୍ୟମ ମଧ୍ୟ କରିଛନ୍ତି। କୋରାପୁଟ କୋଟିଆ ଧୁଳିପଦର ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।
ଓଡ଼ିଶାର ଜଣେ ଅଧିକାରୀଙ୍କ ସହ ଯୁକ୍ତି ତର୍କ କରୁଛନ୍ତି ଆନ୍ଧ୍ରର ଅଧିକାରୀ। ଧୁଳିପଦର ଗାଁକୁ ଆନ୍ଧ୍ରର ବୋଲି ଦାବି କରିବା ସହ ଗାଁ ଭିତରକୁ ଯିବା ପାଇଁ ଜିଦ୍ ଧରୁଛନ୍ତି ଆନ୍ଧ୍ର ଅଧିକାରୀ। ଯେତେ ଅଟକାଇଲେ ମଧ୍ୟ ଶୁଣୁନାହାନ୍ତି। ଏହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।
ଏ ଦୃଶ୍ୟ ହେଉଛି ଗତ ୮ ତାରିଖର, ଯେଉଁଦିନ କୋରାପୁଟ ଜିଲ୍ଲା କୋଟିଆରେ ଜିଲ୍ଲା ପରିଷଦ ନିର୍ବାଚନ କରାଉଥିଲା ଆନ୍ଧ୍ର। ସେହିଦିନ ନାରାୟଣପାଟଣା ତହସିଲଦାର ଅଭିଷେକ ଦାସ ଓଡ଼ିଶା ପକ୍ଷରୁ ଘଟଣାସ୍ଥଳରେ ଉପସ୍ଥିତ ରହି ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଭାବେ ଦାୟିତ୍ୱ ତୁଲାଉଥିଲେ। ସେହି ସମୟରେ ଆନ୍ଧ୍ରର ପାର୍ବତୀପୁରମର ଆଇଟିଡିଏ ପ୍ରୋଜେକ୍ଟ ଡାଇରେକ୍ଟର ଆର. କୁରୁମା ନାଥ ନିଜ ଅଧିକାରୀଙ୍କୁ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ।
ଧୁଳିପଦର ଗାଁକୁ ଆନ୍ଧ୍ରର ବୋଲି ଦାବି କରିବା ସହ ଗାଁ ଭିତରକୁ ପଶିବା ପାଇଁ ଉଦ୍ୟମ କରିଥିଲେ। ପାଖାପାଖି ୧୦ରୁ ୧୫ ମିନିଟ୍ ଧରି ଯୁକ୍ତି ତର୍କ ପରେ ଆନ୍ଧ୍ର ଅଧିକାରୀ ଗାଁ ଭିତରେ ପଶି ଭୋଟ୍ ଦେବା ପାଇଁ ଲୋକଙ୍କୁ ମନାଇଥିବା କୁହାଯାଉଛି।
ସେପଟେ ଏହି ଘଟଣାକୁ ନେଇ କୋରାପୁଟ୍ ଜିଲ୍ଲାପାଳ କହିଛନ୍ତି, ଡ୍ୟୁଟି କରୁଥିବା ବେଳେ ଆନ୍ଧ୍ରର ଆଇଟିଡିଏ ପ୍ରୋଜେକ୍ଟ ଡାଇରେକ୍ଟର ଅପରାଧ କରିଛନ୍ତି। ଜଣେ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କୁ ସେ ଧମକାଇଛନ୍ତି। ନିୟମ ଭାଙ୍ଗି ଓଡ଼ିଶା ଗାଁ ଭିତରେ ପଶିଛନ୍ତି। କୁରୁମା ନାଥ, ଯିଏ ନିଜକୁ ଆଡିସନାଲ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ କହି ନିୟମ ଭାଙ୍ଗିବା ସହ କଣ୍ଟେନମେଣ୍ଟ ଜୋନ୍ରେ ପଶିଛନ୍ତି, ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ। ତାଙ୍କ ବିରୋଧରେ କେସ୍ ରୁଜୁ କରାଯାଉ ବୋଲି ରାଜ୍ୟ ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି କୋରାପୁଟ୍ ଜିଲ୍ଲାପାଳ।
https://youtu.be/UTrPgw8-CiM
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।