ରାଷ୍ଟ୍ରୀୟ ନବବର୍ଷର ଏକ ସିଂହାବଲୋକନ

ଭୁବନେଶ୍ୱର(ଦେବଦତ୍ତ ରଥ): ସାଧାରଣତଃ ଆମେ ନବ ବର୍ଷ ମାନେ ଇଂରାଜୀ କ୍ୟାଲେଣ୍ଡର ଜାନୁୟାରୀ ୧ ତାରିଖକୁ ବୁଝି ନେଉ।  ସାରା ବିଶ୍ୱ ଏକ ପ୍ରକାର ଏହି ଦିନଟିକୁ ହିଁ ନବବର୍ଷ ରୂପେ ପାଳନ କରିଥାଏ। କିନ୍ତୁ ଚୀନ ପରି  ଦେଶ ଅଛନ୍ତି ଯେଉଁମାନେ ସେମାନଙ୍କର କ୍ୟାଲେଣ୍ଡର ତିଥି ଅନୁଯାୟୀ ନବବର୍ଷ ଖୁବ୍ ଧୁମଧାମରେ ପାଳନ କରି ଥାଆନ୍ତି। ସେହିଭଳି ଭାବରେ ଭାରତୀୟ ତିଥି ଅନୁଯାୟୀ ଦେଖିବାକୁ ଗଲେ ଚୈତ୍ର ଶୁକ୍ଳ ପ୍ରତିପଦା,୨୦୧୮ ଇଂରାଜୀ କ୍ୟାଲେଣ୍ଡର ମାର୍ଚ୍ଚ ୧୮ରେ ପଡ଼ୁଛି ନବବର୍ଷ। ଯୁଗାବ୍ଧ ୫୧୨୦ ଏବଂ ବିକ୍ରମ ସମ୍ବତ ୨୦୭୫।

ଇଂରାଜୀ ନବ ବର୍ଷର ଆରମ୍ଭ: ପାଶ୍ଚାତ୍ୟ କାଳଗଣନାର ବର୍ଷର ମୂଳ ରୋମାନ ବର୍ଷ ଅଟେ, ଯାହା ଇଶା ପୂର୍ବ ୭୫୩ରେ ରୋମ ନଗରର ସୂଚନାଠାରୁ ଆରମ୍ଭ ହୋଇଥିଲା। ରୋମାନ ବର୍ଷ ୩୦୪ ଦିନର ହୋଇଥାଏ। ଯାହା ବିଜ୍ଞାନ ସମ୍ମତ ନୁହେଁ ବୋଲି କୁହାଯାଏ। ଏଥିରେ ମୋଟ ୧୦ ମାସ ହୋଇଥାଏ। ଧୀରେ ଧୀରେ ଏଥିରେ ବଡ଼ ସମସ୍ୟା ଉପୁଜିଲା ଓ ଏହାକୁ ସଠିକ୍ କରିବା ଲାଗି ଇଶାପୂର୍ବ ୪୬ରେ ଜୁଲିୟସ ସୀଜର ନିଜର ୪୫୫ ଦିନର ଏକ ବର୍ଷ ଘୋଷଣା କଲେ। ପରେ ଆଗକୁ ଏହା ୩୬୫ ଦିନରେ ରୂପାନ୍ତରିତ ହେଲା। ସେ ନିଜର ନାମାନୁସାରେ ଜୁଲାଇ ମାସ ଯୋଡ଼ି ଦେଇ ବର୍ଷକୁ ୧୧ ମାସ କରି ଦେଇଥିଲେ। ପରେ ରାଜା ଅଗଷ୍ଟସ ନିଜ ନାମରେ ୧୨ ତମ ମାସ ଯୋଡ଼ି ଦେଇଥିଲେ। ତଥା ବର୍ଷର ମାସ ଗୁଡ଼ିକର ନାମ ଓ ଦିନ ନିଶ୍ଚିତ କରିଥିଲେ। ପୁଣି ମଧ୍ୟ ଏଥିରେ ଅନ୍ତର ପଡ଼ିଥିଲା। ୧୫୮୨ ଖ୍ରୀଷ୍ଟାବ୍ଦରେ ଏହି ଗଣନାରେ ୧୧ ଦିନର ଅନ୍ତର ହୋଇ ଯାଇଥିଲା । କୁହାଯାଏ ସେହି ବର୍ଷ ପୋପ ଗ୍ରେଗରୀ ନିଜ ଆଜ୍ଞାରେ ଅକ୍ଟୋବର ୪କୁ ଅକ୍ଟୋବର ୧୫ କରି ଦେଇଥିଲେ, ଓ ୪ ଓ ୪୦୦ରେ ବିଭାଜିତ ହେଉଥିବା ବର୍ଷରେ ୨୯ ଦିନର ଫେବୃଆରୀକୁ ମାନିବାକୁ ଆଜ୍ଞା ଦେଇଥିଲେ। ଏଥିପାଇଁ ଏହାକୁ ଗ୍ରେଗେରିଆନ କ୍ୟାଲେଣ୍ଡର କୁହାଯାଏ। ଏହି ନୂତନ ପଞ୍ଜିକା ଅନୁସାରେ ମାର୍ଚ୍ଚ ମାସରେ ନବବର୍ଷ ପାଳନ କରୁଥିବା ୟୁରୋପୀୟ ସମାଜ ଜାନୁଆରୀ ୧କୁ ନବବର୍ଷ ରୂପେ ପାଳନ କରିବା ଆରମ୍ଭ କଲା। ଧୀରେଧୀରେ ସମସ୍ତ ରାଷ୍ଟ୍ର ଗୁଡ଼ିକ ଏହାକୁ ସ୍ୱୀକାର କରିନେଲେ ଓ ପରେ ଇଂରେଜମାନଙ୍କ ବିଶ୍ୱବ୍ୟାପି ରାଜତ୍ୱ ଏହାକୁ ବିଶ୍ୱ ପ୍ରସିଦ୍ଧ କରିଦେଲା।

ଭାରତରେ ଆଞ୍ଚଳିକ ନବବର୍ଷ: ଭାରତର ବିଭିନ୍ନ ରାଜ୍ୟ ତଥା ପ୍ରାନ୍ତରେ ସେମାନଙ୍କର ନିଜସ୍ୱ କ୍ୟାଲେଣ୍ଡର ଅନୁଯାୟୀ ନବ ବର୍ଷ ପାଳନ କରିଥାନ୍ତି। ଯେପରି ଓଡ଼ିଶାରେ ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିରେ ପାଳନ ହୋଇଥାଏ, ଓଡ଼ିଆ ନୂଆବର୍ଷ। ଏହି ଦିନଠାରୁ ନୂଆ ପାଞ୍ଜି ମଧ୍ୟ ଆରମ୍ଭ ହୋଇଥାଏ। ସେହିପରି ଦେଶର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ଦିନ ସେମାନଙ୍କ ପାଞ୍ଜି ଅନୁଯାୟୀ ନବବର୍ଷ ପାଳନ ହୋଇଥାଏ। ତେବେ ନିଜ ନିଜ କ୍ୟାଲେଣ୍ଡର ଅନୁଯାୟୀ କେତେକ ଚୈତ୍ର ମାସର ପ୍ରଥମ ଦିନକୁ ନବବର୍ଷ ରୂପେ ପାଳନ୍ତି। ମରାଠୀ ମାନେ ଗୁଡି ପଡ଼ୱା ନାମରେ ନବବର୍ଷ ପାଳନ୍ତି। ସେହିପରି ପଞ୍ଜାବୀ ମାନେ ବୈଶାଖୀ ଭାବରେ, ତାମିଲ ମାନେ ପୁଥାଣ୍ଡୁ, ଆସାମରେ ବୋହାଗ ବିହୁ, ବଙ୍ଗଳାରେ ପୋହଲା ବୈଶାଖ, ତେଲଗୁରେ ପୋଙ୍ଗଲ, ଗୁଜରାଟରେ ବେସ୍ତୁ ବରଷ,ମାଲାୟଲମମାନେ ଭିସୁ ନାମରେ, ସିକିମରେ ଲୁସୁଙ୍ଗ ନାମରେ ଏବଂ କାଶ୍ମୀରରେ ନଉରେଶ ନାମରେ ନବ ବର୍ଷ ପାଳିତ ହୋଇଥାଏ। ତେବେ ମାରୁଆଡ଼ି ମାନେ ଦୀପାବଳୀକୁ ନୂଆ ବର୍ଷ ରୂପେ ପାଳନ କରି ଥାଆନ୍ତି।

ରାଷ୍ଟ୍ରୀୟ ନବବର୍ଷ: ରାଷ୍ଟ୍ରୀୟ ନବବର୍ଷ ସୃଷ୍ଟିର ପ୍ରାରମ୍ଭ ସହିତ ଜଡ଼ିତ। ବ୍ରହ୍ମାଙ୍କ ଦ୍ୱାରା ଯେଉଁ ଦିନରୁ ସୃଷ୍ଟିର ସଂରଚନା ଆରମ୍ଭ ହେଲା ସେହି ଦିନଠାରୁ ସମ୍ବତ ଗଣନା ଆରମ୍ଭ ହେଲା ବୋଲି କୁହାଯାଏ। ବର୍ତ୍ତମାନ ଚାଲୁଥିବା ଶ୍ୱେତବରାହ କଳ୍ପକୁ ୧୯୫୫୮୮୫୫ ହୋଇଛି। ଅର୍ଥାତ ଭାରତୀୟ ମନିଷୀମାନେ ୧୯୫ କୋଟି ବର୍ଷର କାଳଗଣନା ପଦ୍ଧତିକୁ କେବଳ ସୁରକ୍ଷିତ ରଖିନାହାନ୍ତି ବରଂ ସୃଷ୍ଟିର ଇତିହାସକୁ ସୁରକ୍ଷିତ ରଖିଛନ୍ତି। ଏଥିପାଇଁ ଭାରତୀୟମାନେ ସେକେଣ୍ଡର ଅତି ସୂକ୍ଷ୍ମାତି ସୂକ୍ଷ୍ମ ବିଭାଜନଠାରୁ ଆରମ୍ଭ କରି ଯୁଗ, ମହାଯୁଗ, ମନୁ, କଳ୍ପ ଭଳି ବିଶାଳ ଗାଣିତିକ ସଙ୍କେତକୁ ବ୍ୟବହାର କରୁଥିଲେ। ଯୁଗ ମାଧ୍ୟମରେ କାଳଗଣନାର ପଦ୍ଧତିକୁ ଭାରତୀୟମାନେ ପ୍ରଥମେ ବ୍ୟବହାର କରିଥିଲେ। ଯେପରି କଳିଯୁଗର ବୟସ ୪୩୨୦୦୦ବର୍ଷ। ଦ୍ୱାପର ଯୁଗ କଳିର ଦୁଇଗୁଣ ଅର୍ଥାତ ୮୬୪୦୦୦ ବର୍ଷ। ତ୍ରେତୟା କଳିର ତିନିଗୁଣ ଅର୍ଥାତ ୧୨୯୬୦୦୦ବର୍ଷ। ସତ୍ୟ କଳିର ଚାରିଗୁଣ ଅର୍ଥାତ ୧୭୨୮୦୦୦ବର୍ଷ। ଚାରିଯୁଗର ସମାହାରରେ ଏକ ମହାଯୁଗ ଓ ୧୦୦୦ ମହାଯୁର ସମାହାରରେ ଏକ କଳ୍ପ ବୋଲି ଭାରତୀୟ ମନିଷୀମାନେ ଗଣନ ବ୍ୟବସ୍ଥାରେ ସନ୍ନିବେଶିତ କରି ଯାଇଛନ୍ତି। ସେହିକ୍ରମରେ ସତ୍ୟ, ତ୍ରେତୟା, ଦ୍ୱାପର ପରେ ମହାକାଳ ଚୈତ୍ର ଶୁକ୍ଲ ପ୍ରତିପଦା ଦିନ ବୈବସ୍ୱତ ମନ୍ୱନ୍ତରର କଳିଯୁଗର ୫୧୨୦ ବର୍ଷରେ ପ୍ରବେଶ କରିବ। ଇଂରାଜୀ କ୍ୟାଲେଣ୍ଡର ୧୮,୦୩,୨୦୧୮।

ମହାଭାରତ ଯୁଦ୍ଧର ୩୬ ବର୍ଷ ପରେ କଳିଯୁଗର ପ୍ରାରମ୍ଭ ହୋଇଥିଲା। ସେ ସମୟରେ ବୀର ଅର୍ଜୁନଙ୍କର ପୌତ୍ର ପରିକ୍ଷିତ ମହାରାଜ ସଂପୂର୍ଣ୍ନ ସଂସାରର ସମ୍ରାଟ ଥିଲେ। କଳିଯୁଗର ୩୦୪୪ ବର୍ଷ ପରେ ଇଶା ମସିହଙ୍କ ୫୭ ପର୍ଷ ପୂର୍ବେ ଭାରତର ବଡ଼ ଧାର୍ମିକ ତଥା ପ୍ରତାପୀ ରାଜା ବିକ୍ରମାଦିତ୍ୟ ସଂପୂର୍ଣ୍ନ ପ୍ରଜାଙ୍କ ଋଣକୁ ଚୁକ୍ତି କରି ନୂଆ ସମ୍ବତ ଆରମ୍ଭ କରିଥିଲେ। ଯାହାକୁ ବିକ୍ରମ ସମ୍ବତ କୁହାଯାଏ। ଏହି ସମ୍ବତ ଉତ୍ତର ଭାରତରେ ଅଧିକ ପ୍ରଚଳିତ ଅଟେ। ଏହି ସମ୍ବତର ୧୩୫ ବର୍ଷ ପରେ ରାଜା ଶାଳିବାହନ ନିଜର ସମ୍ବତ ଆରମ୍ଭ କରିଥିଲେ। ଯାହାକୁ ଶକ ସମ୍ବତ କୁହାଯାଏ। ଯାହା ଦକ୍ଷିଣ ଭାରତରେ ଅଧିକ ପ୍ରଚଳିତ ଅଟେ। ଏମିତି ଆହୁରି ଅନେକ ଐତିହାସିକ ସନ୍ଦର୍ଭ ଏହି ରାଷ୍ଟ୍ରୀୟ ନବବର୍ଷ ସହ ଜଡ଼ିତ। ଯେପରିକି, ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ରାଜ୍ୟାଭିଷେକ ଦିବସ, ନବରାତ୍ର ଆରମ୍ଭ, ମହର୍ଷି ଦୟାନନ୍ଦଙ୍କ ଦ୍ୱାରା ଆର୍ଯ୍ୟସମାଜର ସ୍ଥାପନା, ଧର୍ମରାଜ ଯୁଧିଷ୍ଠିରଙ୍କ ରାଜ୍ୟାଭିଷେକ ଇତ୍ୟାଦି।

ପାଶ୍ଚାତ୍ୟ କାଳଗଣନା ପଦ୍ଧତି ସହ ଭାରତୀୟ ପରିବେଶ, ସଂସ୍କୃତି, ଇତିହାସ ଓ ଭାବନାର କୌଣସି ସମ୍ବନ୍ଧ ନଥାଏ। ଯେପରି ଋତୁର ପରିବର୍ତ୍ତନ, ପିଲାଙ୍କ ଶ୍ରେଣୀ ପରିବର୍ତ୍ତନ, ଆର୍ଥିକ ବର୍ଷର ପରିବର୍ତ୍ତନ, ନୂଆ ଫସଲର ଚାଷ ଆହୁରି ମଧ୍ୟ ଅନେକ ପ୍ରକାରର ପରିବର୍ତ୍ତନ ନବ ସମ୍ବତ ବା ଭାରତୀୟ ନବବର୍ଷରେ ଦେଖା ଯାଇଥାଏ। କିନ୍ତୁ ୧ ଜାନୁଆରୀରେ ଏପରି କଛି ଦେଖା ଯାଇନଥାଏ। ବର୍ଷ ପ୍ରତିପଦାର ନବ ପ୍ରଭାତ ମୁହୂର୍ତ୍ତ ନବବର୍ଷର ଅଧିକ ବାସ୍ତବ ଧର୍ମି ଚିନ୍ତନ। ଭାରତୀୟ କାଳଗଣନା ପଦ୍ଧତି ଅନୁଯାୟୀ ପାରିବାରିକ ଜୀବନର ପ୍ରାୟ ସମସ୍ତ ଶୁଭକାର୍ଯ୍ୟ ବିବାହ, ବ୍ରତ, ଜନ୍ମ ଜାତକ, ପିତୃ ଶ୍ରାଦ୍ଧ ଇତ୍ୟାଦି ସମସ୍ତ କାର୍ଯ୍ୟ ପୂଜନ ଆଦି ଯେପରି ସମ୍ବତ ଅନୁସାରେ କରିଥାଉ ରାଷ୍ଟ୍ରୀୟ ନବବର୍ଷ ମଧ୍ୟ ସେହିପରି ପାଳନ କରିବାକୁ ଏକ ଆହ୍ୱାନ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।