ଗୃହରେ ରହୁନାହାନ୍ତି ବିଜେଡି ବିଧାୟକ ଓ ମନ୍ତ୍ରୀ, ନବୀନଙ୍କ ନିର୍ଦ୍ଦେଶକୁ ବି ଫୁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭା ଅଧିବେଶନ ଚାଲିଥିବାବେଳେ ଗୃହରେ ବହୁସଂଖ୍ୟକ ବିଜେଡି ବିଧାୟକ ଓ ମନ୍ତ୍ରୀ ଅନୁପସ୍ଥିତ ରହୁଛନ୍ତି। ଏପରିକି ଦୀର୍ଘ ଦୁଇଦଶନ୍ଧି ମଧ୍ୟରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ଶୀତ ଅଧିବେଶନ ଆରମ୍ଭରୁ ପ୍ରଥମଥର ପାଇଁ ଗୃହରେ ଉପସ୍ଥିତ ରହିବା ପାଇଁ ଦେଇଥିବା ଲିଖିତ ନିର୍ଦ୍ଦେଶକୁ ମଧ୍ୟ ଦଳୀୟ ବିଧାୟକମାନେ ବେଖାତିର କରିବାକୁ ପଛାଇ ନାହାନ୍ତି। ଯେଉଁଥିପାଇଁ ଗତକାଲି ଓ ଆଜି ଗୃହରେ ଶାସକ ଦଳ ସଭ୍ୟ, ଏପରିକି ମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ […]

assemble

assemble

Manoranjan Sial
  • Published: Wednesday, 20 November 2019
  • Updated: 20 November 2019, 08:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭା ଅଧିବେଶନ ଚାଲିଥିବାବେଳେ ଗୃହରେ ବହୁସଂଖ୍ୟକ ବିଜେଡି ବିଧାୟକ ଓ ମନ୍ତ୍ରୀ ଅନୁପସ୍ଥିତ ରହୁଛନ୍ତି। ଏପରିକି ଦୀର୍ଘ ଦୁଇଦଶନ୍ଧି ମଧ୍ୟରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ଶୀତ ଅଧିବେଶନ ଆରମ୍ଭରୁ ପ୍ରଥମଥର ପାଇଁ ଗୃହରେ ଉପସ୍ଥିତ ରହିବା ପାଇଁ ଦେଇଥିବା ଲିଖିତ ନିର୍ଦ୍ଦେଶକୁ ମଧ୍ୟ ଦଳୀୟ ବିଧାୟକମାନେ ବେଖାତିର କରିବାକୁ ପଛାଇ ନାହାନ୍ତି। ଯେଉଁଥିପାଇଁ ଗତକାଲି ଓ ଆଜି ଗୃହରେ ଶାସକ ଦଳ ସଭ୍ୟ, ଏପରିକି ମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ ବିରୋଧୀ ଦଳ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବାକୁ ପଛାଇ ନଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ଗୃହକାର୍ଯ୍ୟ ଚାଲିବାବେଳେ ଯେଭଳି ଅତିକମରେ ଜଣେ ମନ୍ତ୍ରୀ ଉପସ୍ଥିତ ରହିବେ ତାହା ସୁନିଶ୍ଚିତ କରିବା ଦାୟିତ୍ୱ ସରକାରୀ ଦଳ ମୁଖ୍ୟ ସଚେତକଙ୍କର ବୋଲି ରୁଲିଂ ଦେବାକୁ ପଡ଼ିଥିଲା। ତେବେ ଶୀତ ଅଧିବେଶନ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାକୁ ଦଳୀୟ ବିଧାୟକମାନେ କାହିଁକି ମାନୁନାହାନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ସୂଚନା ଅନୁସାରେ, ଆଜି ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଭିନ୍ନ ପ୍ରସଙ୍ଗରେ ନିଜର ମତ ରଖୁଥିବାବେଳେ ଶାସକ ଦଳର ସଭ୍ୟ ସଂଖ୍ୟା ଅତ୍ୟନ୍ତ ନଗଣ୍ୟ ରହିଥିଲା । ଏପରିକି ଗୃହରେ ପ୍ରାୟ ୨ମିନିଟ୍ ପର୍ଯ୍ୟନ୍ତ କୌଣସି ଜଣେ ବି ମନ୍ତ୍ରୀ ନଥିଲେ। ମନ୍ତ୍ରୀ(ସରକାର)ଙ୍କ ବିନା ଗୃହ କାର୍ଯ୍ୟ କିପରି ଚାଲିବ ଓ କିଏ ସେମାନଙ୍କ କଥା ଶୁଣିବ ବୋଲି ନରସିଂହ ମିଶ୍ର କହିବା ସହ ବିରୋଧୀ କଂଗ୍ରେସ ଓ ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଗୃହରେ କେହି ମନ୍ତ୍ରୀ ନଥିବା ଦେଖି ଟ୍ରେଜେରୀ ବେଞ୍ଚ ମଧ୍ୟ ଅଡ଼ୁଆରେ ପଡ଼ିଯାଇଥିଲା। ସେହି ସମୟରେ ଗୃହରେ ମାତ୍ର ୩୨ଜଣ ଶାସକ ଦଳ ସଭ୍ୟ ଉପସ୍ଥିତ ଥିଲେ। ତେବେ ଗୃହରେ ହଟ୍ଟଗୋଳ ଶୁଣି ଲବିରେ ଥିବା ମନ୍ତ୍ରୀ ଓ ଶାସକ ଦଳର ସଭ୍ୟମାନେ ତରବର ହୋଇ ଗୃହ ଭିତରକୁ ଆସିଥିଲେ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ମନ୍ତ୍ରୀ ଥିବାର ସଫେଇ ଦେବାକୁ ଚେଷ୍ଟା କରୁଥିବାବେଳେ ବାଚସ୍ପତି ଏହାକୁ ଖାରଜ କରି କୌଣସି ମନ୍ତ୍ରୀ ନଥିବା ସେ ନିଜେ ଦେଖିଥିବା କହିଥିଲେ। ବିରୋଧୀ ସଭ୍ୟମାନେ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରୁଥିବାରୁ ବାଚସ୍ପତି ଶ୍ରୀ ପାତ୍ର ଗୃହକାର୍ଯ୍ୟ ଚାଲିଥିବାବେଳେ ଅତିକମରେ ଜଣେ ମନ୍ତ୍ରୀ ଯେଭଳି ଉପସ୍ଥିତ ରହିବେ ତାହା ସୁନିଶ୍ଚିତ କରିବା ସରକାରୀ ଦଳ ମୁଖ୍ୟ ସଚେତକଙ୍କ କାର୍ଯ୍ୟ ବୋଲି ରୁଲିଂ ଦେଇଥିଲେ। ତା’ପରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଥିଲା।
ବିଧାୟକମାନେ ଗୃହକାର୍ଯ୍ୟ ଚାଲିଥିବାବେଳେ ଆଜି କେବଳ ଅନୁପସ୍ଥିତ ରହିନଥିଲେ। ଗତକାଲି ଧାନକିଣା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଚାଲିଥିବାବେଳେ ମଧ୍ୟ ଶାସକ ଦଳର ସଭ୍ୟ ସଂଖ୍ୟା ନଗଣ୍ୟ ଥିଲା। କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ ଶାସକ ଦଳର ମାତ୍ର ୧୬ଜଣ ବିଧାୟକ ଓ ୩ଜଣ ମନ୍ତ୍ରୀ ଉପସ୍ଥିତ ଥିବା କହିଥିଲେ। ସ୍ୱଳ୍ପ ସଂଖ୍ୟକ ବିଧାୟକଙ୍କ ଉପସ୍ଥିତିକୁ ନେଇ ସେ ମଧ୍ୟ ସିଧାସଳଖ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ସମାଲୋଚନା କରିବାକୁ ପଛାଇ ନଥିଲେ।

ଉଲ୍ଲେଖଯୋଗ୍ୟ, ଗତ ୧୩ତାରିଖରେ ବିଜେଡି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜ ଦଳର ବିଧାୟକମାନଙ୍କ ପାଇଁ ଏକ ପୃଷ୍ଠାର ନିର୍ଦ୍ଦେଶନାମା ଜାରି କରି ଗୃହକାର୍ଯ୍ୟରେ ଉପସ୍ଥିତ ରହିବା ନିମନ୍ତେ ତାଗିଦ୍ କରିଥିଲେ। ବିଧାୟକମାନଙ୍କ ଉପସ୍ଥାନକୁ ସେ ଗୁରୁତ୍ୱର ସହ ନେବେ ବୋଲି କହିବା ସହ ଗୃହର କାର୍ଯ୍ୟ ଓ ଆଲୋଚନାରେ ଭାଗ ନେବା ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟ ସଚେତକ ମଧ୍ୟ ଦୈନିକ ସାଢ଼େ ୧୧ଟା ସୁଦ୍ଧା ବିଧାୟକମାନଙ୍କ ଉପସ୍ଥାନ ତାଙ୍କୁ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିର୍ଦ୍ଦେଶକୁ ସେତେବେଳେ ବିରୋଧୀ ଦଳ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଥିଲା। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାହା ସେ ନିଜେ ମାନିବେ କି? ନିଜେ ଗୃହରେ ଉପସ୍ଥିତ ରହିବା ସହ ଆଲୋଚନାରେ ଭାଗ ନେବେ କି ବୋଲି ପ୍ରଶ୍ନ କରିଥିଲେ।

ସେହିପରି ଗତକାଲି କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନିଜେ କେବେ ଆସନ୍ତିନି କି କିଛି ଶୁଣନ୍ତି ନାହିଁ । ଆଉ ସେ ଦେଇଥିବା ଉପଦେଶକୁ ବିଧାୟକମାନେ ମଧ୍ୟ ଶୁଣନ୍ତି ନାହିଁ।
ଗତ ଦୁଇ ଦଶନ୍ଧି ମଧ୍ୟରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏଭଳି ନିର୍ଦ୍ଦେଶନାମା ଜାରି କରିଥିବାବେଳେ ଦଳୀୟ ବିଧାୟକ ଓ ମନ୍ତ୍ରୀମାନେ ସେଥିପ୍ରତି ଭୃକ୍ଷେପ ନକରିବା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos