ଉମରକୋଟ(କାର୍ତ୍ତିକ ମଲ୍ଲିକ): ଜମିଜମା ବିବାଦ ଆଗରେ ତୁଚ୍ଛ ପଡ଼ିଲା ରକ୍ତର ସମ୍ପର୍କ । ଜମି ପାଇଁ ବଡ଼ବାପାର ଜୀବନ ନେବାକୁ ପଛାଇଲା ନାହିଁ ପୁତୁରା । ଏପରି ଅସ୍ୱାଭାବିକ ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ବୁର୍ଜା ଗ୍ରାମରେ ଘଟିଛି। ଏପରିକି ଏହି ଆକ୍ରମଣରେ ଅଭିଯୁକ୍ତଙ୍କ ବଡ଼ବାପା ପୁଅ ବି ଗୁରତର ହୋଇଥିବା ଜଣାଯାଇଛି।
ସୂଚନା ମୁତାବକ୍, ବୁର୍ଜା ଗ୍ରାମର ବାଘପାରା ସାହିରେ ଖାଡି ଗଣ୍ଡ ଓ ତାଙ୍କ ସାନ ଭାଇ ରୁହନ୍ତି। ଉଭୟଙ୍କ ମଧ୍ୟରେ ପୂର୍ବରୁ ଜମିଜମା ବିବାଦ ଲାଗି ରହିଥିଲା ।
ଗତକାଲି ରାତିରେ ଖାଡି ଗଣ୍ଡ ନିଜ ପରିବାର ସହ ଘରେ ଥିବା ସମୟରେ ତାଙ୍କ ସାନ ଭାଇଙ୍କ ଦୁଇ ପୁଅ ହଠାତ୍ ପଶି ଆସିଥିଲେ। ଏହାପରେ ଅତର୍କିତ ଭାବେ ସେମାନେ ଖାଡ଼ିଙ୍କ ପରିବାର ସଦସ୍ୟଙ୍କୁ ଟଙ୍ଗିଆ ଓ ଛୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ନିଜ ପୁତୁରାର ଟାଙ୍ଗିଆ ଚୋଟରେ ଖାଡିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ତାଙ୍କ ପୁଅ ରବିନ୍ଦ୍ର ଗଣ୍ଡଙ୍କ ବାମ କାନ୍ଧ ଓ ଛାତିରେ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଥିବା ଡାକ୍ତର କହିଛନ୍ତି ।
ଖବର ପାଇ ଉମରକୋଟ ଥାନା ଅଧିକାରୀ ନରେଶ କୁମାର ପ୍ରଧାନ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।