ପ୍ରଣବ ଉପମୁଖ୍ୟ ସଚେତକ: ପୁରସ୍କାର ନା ସରକାରୀ ଢାଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁରର ଧର୍ମଶାଳାରୁ ଦ୍ୱିତୀୟ ଥର ବିଜୟୀ ହୋଇଥିବା ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ସରକାରୀ ଉପମୁଖ୍ୟ ସଚେତକ ଭାବେ ନିଯୁକ୍ତି ମିଳିଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିବା ସହ ଦୀର୍ଘ ଦଶନ୍ଧି ଧରି ନବୀନଙ୍କ ‘ସ୍ୱଚ୍ଛ ଓ ନିର୍ମଳ ବ୍ରାଣ୍ଡ’କୁ ମାର୍କେଟିଂ କରୁଥିବା ବିଜେଡିର ଅସଲ ଚେହେରା ପଦାରେ ପଡ଼ିଯାଇଛି।

ଇଚ୍ଛାଧୀନ କୋଟାରେ ଏକାଧିକ ପ୍ଲଟ୍ ଓ କୋଠା ହାତେଇବା, ଘଙ୍ଗାପାଟଣା ଜମି ଦୁର୍ନୀତି, ଖଣିଜ ସାମଗ୍ରୀ ପରିବହନ ଓ ଠିକା ଅନିୟମିତତା, ଗ୍ୟାଙ୍ଗଷ୍ଟର ଡି’ବଦ୍ରର୍ସ ସହ ବ୍ୟବସାୟିକ କାରବାର, ଚିଟଫଣ୍ଡ ମାମଲା, ଡଙ୍କାରୀ ପାହାଡ଼ ଲୁଟ୍ ଆଦି ଘଟଣାରେ ବିବାଦୀୟ ହୋଇଥିବା ପ୍ରଣବ ବଳବନ୍ତରାୟଙ୍କୁ ଏହା ପୁରସ୍କାର ନା ତାଙ୍କୁ ଆଇନଗତ ସୁରକ୍ଷା ଦେବା ପାଇଁ ଏବେଠୁ ‘ଉପମୁଖ୍ୟ ସଚେତକ’ ପଦକୁ ସରକାରୀ ଢାଲ ଭାବେ ଉପଯୋଗ କରାଯାଇଛି, ତାକୁ ନେଇ ପ୍ରଶ୍ନ ଉଠିଛି। ନବୀନଙ୍କୁ ମିଶାଇ ବିଜେଡି ପାଖରେ ଏବେ ୧୧୧(୨୦ଜଣ ମନ୍ତ୍ରୀ) ବିଧାୟକ ଥିବାବେଳେ ସରକାରୀ ଉପମୁଖ୍ୟ ସଚେତକ ଭଳି ଏକ ସମ୍ମାନଜନକ ପଦରେ ପ୍ରଣବଙ୍କ ଭଳି ବିବାଦୀୟ ନେତାଙ୍କୁ ଥଇଥାନ କରାଯାଇଛି।

ତଥ୍ୟ ଅନୁସାରେ, ଏଟି ଚିଟଫଣ୍ଡ ମାମଲାରେ ପ୍ରଣବ ବଳବନ୍ତରାୟଙ୍କୁ ସିବିଆଇ ୨୦୧୪ ସେପ୍ଟେମ୍ବର ମାସରେ ଜେରା କରିଥିଲା। ଏଟି ଗ୍ରୁପ୍ ମୁଖ୍ୟ ପ୍ରଦୀପ ସେଠୀଙ୍କଠୁ ୨୦ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ଯୋଗୁ ତାଙ୍କ ସିବିଆଇ ଜେରା କରିଥିଲା। ଏହି ଘଟଣାରେ ଶ୍ରୀ ବଳବନ୍ତରାୟଙ୍କ ଭୂମିକା ଏବେବି ସନ୍ଦେହଘେରରେ ରହିଛି ଓ ସିବିଆଇ ତାଙ୍କୁ କ୍ଲିନଚିଟ୍ ଦେଇଛି କି ନାହିଁ ତାହା ମଧ୍ୟ ଅସ୍ପଷ୍ଟ।

ସେହିପରି ଧଳସାମନ୍ତ ବ୍ରଦର୍ସଙ୍କ ବ୍ୟବସାୟିକ କାରବାର ଅଭିଯୋଗରେ ଗତବର୍ଷ ମେ’ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ତାଙ୍କୁ ପ୍ରାୟ ୩ଘଣ୍ଟା ଜେରା କରାଯାଇଥିଲା। ପ୍ରଣବଙ୍କ କମ୍ପାନୀ ବଳବନ୍ତରାୟ ଟ୍ରାନ୍ସପୋର୍ଟ ଓ ମିନେରାଲ୍ସ ପ୍ରାଃ ଲିମିଟେଡ୍ ସହ ୨୦୦୫ରୁ ୨୦୧୦ ମସିହା ମଧ୍ୟରେ ଧଳସାମନ୍ତ ବ୍ରଦର୍ସର ସନ୍ଦେହଜନକ ନେଣଦେଣକୁ ନେଇ ଏହି ଜେରା ହୋଇଥିବା ଇଡି ପକ୍ଷରୁ କୁହାଯାଇଥିଲା।

ସେହିପରି ଡଙ୍କାରୀ ପାହାଡ଼ରୁ ବେଆଇନ ଭାବେ ଖଣିଜ ସାମଗ୍ରୀ ଲୁଟ୍ ଘଟଣାରେ ପ୍ରଣବ ବଳବନ୍ତରାୟଙ୍କ ସିଧାସଳଖ ସମ୍ପୃକ୍ତିକୁ ନେଇ ସିଭିଲ୍ ସୋସାଇଟି ଓ ବିରୋଧୀ ଦଳ ପକ୍ଷରୁ ବାରମ୍ବାର ଅଭିଯୋଗ ସତ୍ତେ୍ୱ ଏହା ଉପରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇପାରିନି। ଏପରିକି ଡଙ୍କାରୀ ପାହାଡ଼ ଲୁଟ୍ ପାଇଁ ଦାୟୀ ସରକାରୀ ଅଧିକାରୀ ଓ ରାଜନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶକୁ ମଧ୍ୟ ଜିଲ୍ଲା ପ୍ରଶାସନ ଚପାଇ ଦେଇଛି।

ସେହିପରି ଇଚ୍ଛାଧୀନ କୋଟାରେ ସରକାରୀ ଜମି ଓ କୋଠା ଆବଣ୍ଟନ ମାମଲାରେ ପ୍ରଣବ ବିବାଦୀୟ ହୋଇଥିଲେ। ଯେଉଁଥିପାଇଁ ଇଚ୍ଛାଧୀନ କୋଟାରେ ସେ ହାତେଇଥିବା ଏକ କୋଠାକୁ ୨୦୧୪ ଜୁଲାଇ ମାସରେ ସରକାରଙ୍କୁ ଫେରାଇବାକୁ ବାଧ୍ୟ ହୋଇଥିଲେ।

ପ୍ରଶ୍ନ ଉଠୁଛି, ପ୍ରଣବଙ୍କ ବିରୁଦ୍ଧରେ ଏତେ ଅଭିଯୋଗ ଥିବା ସତ୍ତେ୍ୱ ତଥା ସିବିଆଇ ଓ ଇଡି ତାଙ୍କୁ ଜେରା କରିସାରିଥିବାବେଳେ ବିଜେଡି ‘ସରକାରୀ ଉପମୁଖ୍ୟ ସଚେତକ’ ପଦବୀ ଟେକି ଦେବା ପଛରେ କ’ଣ ବାଧ୍ୟବାଧକତା ରହିଛି ତାକୁ ନେଇ ଦଳ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଜେଡିରେ ଅନେକ ନିର୍ମଳ, ନିର୍ବିବାଦୀୟ ତଥା ଦକ୍ଷ ବିଧାୟକଙ୍କ ଅଭାବ ନଥିବାବେଳେ ନବୀନ କାହା ଚାପରେ ପ୍ରଣବଙ୍କ ଭଳି ବିବାଦୀୟ ବିଧାୟକଙ୍କୁ ‘ସରକାରୀ ଉପମୁଖ୍ୟ ସଚେତକ’ ପଦରେ ଥଇଥାନ କରିଛନ୍ତି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଭବିଷ୍ୟତରେ ଚିଟଫଣ୍ଡ ମାମଲାରେ ସିବିଆଇ କାର୍ଯ୍ୟାନୁଷ୍ଠାନ ଭୟ ଥିବାରୁ ପ୍ରଣବଙ୍କୁ ଏବେଠୁ ବିଜେଡି ପକ୍ଷରୁ ସରକାରୀ ସୁରକ୍ଷା ଯୋଗାଇ ଦିଆଯାଇଥିବା ରାଜନୀତିକ ବିଶ୍ଲେଷକମାନେ ଆକଳନ କରୁଛନ୍ତି।