ମୋଦିଙ୍କୁ ଭେଟିଲେ ନବୀନ: ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ସହ ଫୋନି ସହାୟତା, କୋଇଲା ରୟାଲଟି ବୃଦ୍ଧି ଦାବି ରଖିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ବାରମ୍ବାର ପ୍ରାକୃତିକ ଦୁର୍ବିପାକର ସାମ୍ନା କରୁଛି। ତେଣୁ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବା ଉଚିତ। ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଏହି ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାହା ସହ କେନ୍ଦ୍ରୀୟ ଯୋଜନାରେ ଭାଗିଦାରୀ ଅନୁପାତକୁ ୯୦-୧୦ କରିବା, ଫୋନି ବାବଦକୁ ଆଉ ୫ ହଜାର କୋଟିର ସହାୟତା, ବାତ୍ୟା ପ୍ରଭାବିତ ଅଞ୍ଚଳରେ ଅଧିକ ୫ ଲକ୍ଷ ପକ୍କା ଘର ପାଇଁ ମଧ୍ୟ ଦାବି ରଖିଛନ୍ତି ନବୀନ। […]

naveen-meets-pm-modi-and-demands-special-category-state-status-for-odisha-plus-revision-of-coal-royalty

naveen-meets-pm-modi-and-demands-special-category-state-status-for-odisha-plus-revision-of-coal-royalty

Manoranjan Sial
  • Published: Tuesday, 11 June 2019
  • Updated: 11 June 2019, 10:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ବାରମ୍ବାର ପ୍ରାକୃତିକ ଦୁର୍ବିପାକର ସାମ୍ନା କରୁଛି। ତେଣୁ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବା ଉଚିତ। ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଏହି ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାହା ସହ କେନ୍ଦ୍ରୀୟ ଯୋଜନାରେ ଭାଗିଦାରୀ ଅନୁପାତକୁ ୯୦-୧୦ କରିବା, ଫୋନି ବାବଦକୁ ଆଉ ୫ ହଜାର କୋଟିର ସହାୟତା, ବାତ୍ୟା ପ୍ରଭାବିତ ଅଞ୍ଚଳରେ ଅଧିକ ୫ ଲକ୍ଷ ପକ୍କା ଘର ପାଇଁ ମଧ୍ୟ ଦାବି ରଖିଛନ୍ତି ନବୀନ।

୭ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୋଦିଙ୍କ ବାସଭନକୁ ଯାଇ ତାଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ କିଛି ପୁରୁଣା ଦାବି ଦୋହରାଇଛନ୍ତି ନବୀନ। ୧ ନମ୍ବରରେ ରହିଛି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା। ବାରମ୍ବାର ପ୍ରାକୃତିକ ଦୁର୍ବିପାକର ସାମ୍ନା କରୁଥିବା ଓଡ଼ିଶାର ସାମଗ୍ରିକ ଉନ୍ନତି ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବା ଉଚିତ ବୋଲି ନବୀନ ଯୁକ୍ତି ରଖିଛନ୍ତି। ସେହି ଦୃଷ୍ଟିରୁ ଓଡ଼ିଶାକୁ ସ୍ପେଶାଲ ଫୋକସ ଷ୍ଟେଟ୍‌ର ମାନ୍ୟତା ଦେଇ ଏକ ନିର୍ଦ୍ଦିଷ୍ଟ ସମୟ ଲାଗି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।

‘ଫୋନି’ ପରବର୍ତ୍ତୀ ପୁନର୍ଗଠନ ପାଇଁ ଅଧିକ ୫ ହଜାର କୋଟି ଟଙ୍କାର ସହାୟତା ଓ ବାତ୍ୟାଞ୍ଚଳ ପାଇଁ ଆଉ ୫ ଲକ୍ଷ ପକ୍କା ଘର ଯୋଗାଇ ଦେବାକୁ ନବୀନ ଅନୁରୋଧ କରିଛନ୍ତି। ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ର-ରାଜ୍ୟ ଭାଗିଦାରୀ ଅନୁପାତକୁ ୯୦-୧୦ କରିବା, ରାଜ୍ୟର ରାଜସ୍ୱ ବୃଦ୍ଧି ଲାଗି କୋଇଲା ରୟାଲଟି ସଂଶୋଧନ ପାଇଁ ମଧ୍ୟ ନବୀନ ପ୍ରସ୍ତାବ ରଖିଛନ୍ତି।

ଦିଲ୍ଲୀରେ ମୋଦି-ନବୀନ ସାକ୍ଷାତ ପରେ ଆରମ୍ଭ ହୋଇଛି ରାଜନୈତିକ ଚର୍ଚ୍ଚା। ସାକ୍ଷାତକାର ସମୟରେ କେବଳ ରାଜ୍ୟର ସ୍ୱାର୍ଥ ବିଷୟରେ ଆଲୋଚନା ହୋଇଛି ନା ଅନ୍ୟ କିଛି ପ୍ରସଙ୍ଗ ଉଠିଛି, ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ନିର୍ବାଚନ ବେଳେ ବିଜେପି-ବିଜେଡି ତିକ୍ତତା ଚରମସୀମାରେ ପହଞ୍ଚିଥିଲା। ହେଲେ ଫଳାଫଳ ଆସିବା ପରେ ଦୁଇ ଦଳ ମଧ୍ୟରେ ସମୀକରଣ ବଦଳୁଥିବାର ଆଭାସ ମିଳୁଛି। ଭର୍ତ୍ତୃହରି ମହତାବଙ୍କୁ ଲୋକସଭା ଉପ-ବାଚସ୍ପତି ପାଦ ମିଳିବା ଚର୍ଚ୍ଚା ଏହାକୁ ଖୋରାକ ଯୋଗାଇଛି। ଅନ୍ୟପକ୍ଷରେ ରାଜ୍ୟସଭାରେ ଏନଡିଏର ସଂଖ୍ୟା ଗରିଷ୍ଠତା ନଥିବାରୁ ବିଜେପି, ବିଜେଡିର ସହଯୋଗ ଚାହୁଁଥିବା କୁହାଯାଉଛି। ତେବେ ଆଗାମୀ ଦିନରେ ଦୁଇ ଦଳ ମଧ୍ୟରେ ସଂପର୍କ କେଉଁ ଆଡ଼େ ଯାଉଛି, ଏବେ ତା' ଉପରେ ସମସ୍ତଙ୍କର ନଜର ରହିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ଭେଟିଛନ୍ତି। ‘ଫୋନି’ ପରବର୍ତ୍ତୀ ସ୍ଥିତି ନେଇ ସେ ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିବା ଜଣାପଡ଼ିଛି। ସେପଟେ ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟିଛନ୍ତି। ବିଜେଡି ସଂସଦୀୟ ଦଳରେ କେଉଁ ସାଂସଦ କେଉଁ ଦାୟିତ୍ୱରେ ରହିଲେ, ସେ ନେଇ ସେ ସେ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos