ପାଟକୁରାରେ ସାଧାରଣ ସଭା କରିବେନି ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଉଭୟ ବିଜେପି ଓ ବିଜେଡି ପ୍ରଚାର ଅଭିଯାନକୁ ଜୋରଦାର କରିଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୭ତାରିଖରେ ପ୍ରଚାର ମଇଦାନକୁ ଓହ୍ଲାଇବାର କାର୍ଯ୍ୟକ୍ରମ ରହିଛି। ତେବେ ନବୀନ ପାଟକୁରାରେ କୌଣସି ସାଧାରଣ ସଭା କରିବେ ନାହିଁ। ସେ ୧୭ ଓ ୧୮ ଦୁଇଦିନ ଧରି ପାଟକୁରା ନିର୍ବାଚନମଣ୍ଡଳୀର ୩ଟି ଯାକ ବ୍ଲକ- ଡେରାବିଶ, ଗରଦପୁର ଓ ମାର୍ଶାଘାଇରେ ରୋଡ୍ ଶୋ’ ଜରିଆରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ […]

cm-naveen

cm-naveen

Manoranjan Sial
  • Published: Thursday, 11 July 2019
  • Updated: 11 July 2019, 09:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଉଭୟ ବିଜେପି ଓ ବିଜେଡି ପ୍ରଚାର ଅଭିଯାନକୁ ଜୋରଦାର କରିଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୭ତାରିଖରେ ପ୍ରଚାର ମଇଦାନକୁ ଓହ୍ଲାଇବାର କାର୍ଯ୍ୟକ୍ରମ ରହିଛି। ତେବେ ନବୀନ ପାଟକୁରାରେ କୌଣସି ସାଧାରଣ ସଭା କରିବେ ନାହିଁ। ସେ ୧୭ ଓ ୧୮ ଦୁଇଦିନ ଧରି ପାଟକୁରା ନିର୍ବାଚନମଣ୍ଡଳୀର ୩ଟି ଯାକ ବ୍ଲକ- ଡେରାବିଶ, ଗରଦପୁର ଓ ମାର୍ଶାଘାଇରେ ରୋଡ୍ ଶୋ’ ଜରିଆରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ ବୋଲି ଜଣାପଡ଼ିଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସାଧାରଣ ନିର୍ବାଚନବେଳେ ବିଜେଡି ପକ୍ଷରୁ କିଣାଯାଇଥିବା ବସରେ ନବୀନ ପାଟକୁରାରେ ରୋଡ୍ ଶୋ’ କରିବେ। ଦୁଇଦିନ ଧରି ସେ ପାଟକୁରା ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ବସ୍ ଯୋଗେ ରୋଡ୍ ଶୋ’ କରି ଭୋଟରଙ୍କୁ ଭେଟିବେ। ନବୀନଙ୍କ ଚୂଡ଼ାନ୍ତ କାର୍ଯ୍ୟସୂଚୀ ଆସନ୍ତା ୨-୩ ଦିନ ମଧ୍ୟରେ ଦଳର ସ୍ଥାନୀୟ ନେତାମାନଙ୍କୁ ହସ୍ତାନ୍ତର କରାଯିବ। ରୋଡ୍ ଶୋ’ ବେଳେ ବିଳାସପୂର୍ଣ୍ଣ ବସ୍ ଭିତରେ ରହି ନବୀନ ନିଜର ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଭିକ୍ଷା କରିବେ ବୋଲି ଜଣାପଡ଼ିଛି। ତେବେ ନବୀନଙ୍କ ଦୁଇଦିନ ଧରି ପ୍ରସ୍ତାବିତ ନିର୍ବାଚନ ପ୍ରଚାରବେଳେ କୌଣସି ସ୍ଥାନରେ ବି ସାଧାରଣ ସଭା ନକରିବାକୁ ବିଜେଡି ନିଷ୍ପତ୍ତି ନେଇଛି। ପ୍ରଚାରର ଶେଷ ଦୁଇଦିନରେ ମଇଦାନକୁ ଓହ୍ଲାଇ ନବୀନ ଦଳୀୟ ପ୍ରାର୍ଥୀଙ୍କ ବିଜୟକୁ ସୁନିଶ୍ଚିତ କରାଇବାକୁ ଚାହୁଁଛନ୍ତି।

ଏପଟେ ପାଟକୁରା ବିଧାନସଭା ନିର୍ବାଚନରେ ବିଜେଡି ନିଜର ସମସ୍ତ କଳବଳକୌଶଳ ଲଗାଇ ଦେଇଥିବା ସତ୍ତେ୍ୱ ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ସପକ୍ଷରେ ଏପର୍ଯ୍ୟନ୍ତ ଆଶାନୁରୂପ ସମର୍ଥନ ସଂଗ୍ରହ କରିବାରେ ଦଳ ସକ୍ଷମ ହୋଇନି। ପାଟକୁରାର ପୂର୍ବତନ ବିଧାୟକ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ଭାବେ ସାବିତ୍ରୀଙ୍କୁ ଭୋଟରଙ୍କ ସହାନୁଭୂତି ମିଳିବ ବୋଲି ବିଜେଡି ଯେଉଁ ଆଶା ରଖିଥିଲା ତା’ର କାଣିଚାଏ ସୂଚନା ବି ମିଳୁନି। ଓଲଟା ସ୍ୱଗର୍ତ ଅଗ୍ରୱାଲ ୨୦୦୯ରୁ ୨୦୧୯ ମସିହା ପର୍ଯ୍ୟନ୍ତ ୧୦ ବର୍ଷ ଧରି ବିଧାୟକ ଥିବାବେଳେ ସ୍ଥାନୀୟ ଅଞ୍ଚଳବାସୀ ଓ ଦଳୀୟ କର୍ମୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ ହୋଇନଥିବାରୁ ସେ ନେଇ ଆକ୍ରୋଶ ଦେଖାଦେଇଛି।

ବିଜେଡିର ମନ୍ତ୍ରୀ, ବିଧାୟକ ଓ ନେତାମାନେ ଏବେ ଗାଁକୁ ଗାଁ ବୁଲି ସଭା ଓ ପ୍ରଚାର କରୁଥିଲେ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ପ୍ରତି ଏଭଳି ଆକ୍ରୋଶ ରହିଥିବା ଜଣାପଡ଼ିଛି। ଯାହା ବିଜେଡି ନେତାମାନଙ୍କୁ ବ୍ୟଥିତ କରିବାରେ ଲାଗିଛି। ବିଜେଡି ନେତାମାନେ ୪୦ ହଜାରରୁ ଅଧିକ ଭୋଟରେ ଦଳୀୟ ପ୍ରାର୍ଥୀ ଜିତିବେ ବୋଲି ଦମ୍ଭୋକ୍ତି କରୁଥିଲେ ମଧ୍ୟ କେବଳ ଡେରାବିଶ ବ୍ଲକର ୨୬ରୁ ମାତ୍ର ୧୬-୧୮ଟି ପଞ୍ଚାୟତରେ ବିଜେଡି ଭଲ ସ୍ଥିତିରେ ରହିଛି। ଅନ୍ୟ ଦୁଇଟି ବ୍ଲକରେ ବିଜେଡି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ସମର୍ଥନ ଯୋଗାଡ଼ରେ ବ୍ୟସ୍ତ ଥିଲେ ମଧ୍ୟ ସାଧାରଣ ଲୋକଙ୍କ ଆସ୍ଥାଭାଜନ ହୋଇପାରୁନଥିବା ଜଣାପଡ଼ିଛି । ତେଣୁ ନବୀନ ପାଟକୁରା ଗସ୍ତରେ ଯିବା ପୂର୍ବରୁ କିଭଳି ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଜନମତ ବୃଦ୍ଧି ପାଇବ ସେ ଦିଗରେ ବିଜେଡି କର୍ମୀ ଓ ସ୍ଥାନୀୟ ପ୍ରଶାସନକୁ ପରିଶ୍ରମ କରିବାକୁ କଡ଼ା ତାଗିଦ୍ କରାଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos