ରାକ୍ଷୀର ମାନ ରଖିଲେ ମୁଖ୍ୟମନ୍ତ୍ରୀ, ଭଉଣୀ ମାଗିବା ପୂର୍ବରୁ ଦେଲେ ଉପହାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ବିଧାନସଭା ସମ୍ମିଳନୀ କକ୍ଷରେ ବିଜେଡି ବିଧାୟକ ଓ ସାଂସଦଙ୍କ ସହ ଆଲୋଚନା କଲା ବେଳେ ଭାବବିହ୍ୱଳ ହୋଇପଡ଼ିଥିଲେ ଏନ୍ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାଇ ବୋଲି ସମ୍ବୋଧନ କରିବା ସହ ରାକ୍ଷୀର ପାଉଣା ମାଗିବା ପୂର୍ବରୁ ସେ ଦେଇଦେଲେ ବୋଲି କହିଥିଲେ।’ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀମତୀ ମୁର୍ମୁ ରାକ୍ଷୀ ବାନ୍ଧିଥିଲେ। ରାକ୍ଷୀର ପାଉଣା ମାଗିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଦେଇସାରିଛନ୍ତି। ଭାଇଭଉଣୀଙ୍କ ସଂପର୍କ ଆହୁରି ନିବିଡ଼ ହୋଇଛି। ଭଉଣୀ (ଦ୍ରୌପଦୀ ମୁର୍ମୁ)ଙ୍କ ମନ କଥା ଜାଣି ଭାଇ (ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ) ତାଙ୍କୁ ସମର୍ଥନ ଦେଇଛନ୍ତି। ଶ୍ରୀମତୀ ମୁର୍ମୁଙ୍କ ପାଇଁ ଓଡ଼ିଶା ମାଟି ଗର୍ବିତ।
ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ବିଧାନସଭାରେ ବିଧାୟକ ଓ ସାଂସଦଙ୍କ ସହ ଆଲୋଚନା ବେଳେ ଶ୍ରୀମତୀ ମୁର୍ମୁ ଭାବବିହ୍ୱଳ ହୋଇପଡ଼ିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଜଗନ୍ନାଥ ଓ ନିଜକୁ ଭଉଣୀ ସୁଭଦ୍ରା ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶ୍ରୀମତୀ ମୁର୍ମୁଙ୍କୁ ଭୋଟ ଦେବାକୁ ଆହ୍ୱାନ ଦେଇଛନ୍ତି। ଯେପରି ଖଣ୍ଡିଏ ଭୋଟ୍ ନାକଚ ନ ହୁଏ, ସେଥିପାଇଁ ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଆଜି ଦିନ ୧୧ଟା ବେଳେ ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ପାରମ୍ପରିକ ନାଚଗୀତରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଶ୍ରୀମତୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇବା ନିମନ୍ତେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବହୁ ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମୀ, ବିଜେଡି ମନ୍ତ୍ରୀ ଅଶୋକ ପଣ୍ଡା, ଟୁକୁନି ସାହୁ, , ବିଧାୟକ ଦେବୀ ମିଶ୍ର, ରାଜ୍ୟ ସଭା ସାଂସଦ ସସ୍ମିତ ପାତ୍ର, ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି, ବରିଷ୍ଠ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତରାୟ, ବିଜେପି ଓ ବିଜେଡିର ବହୁ ତୁଙ୍ଗ ନେତା ଉପସ୍ଥିତ ଥିଲେ। ସେଠାରୁ ଶ୍ରୀମତୀ ମୁର୍ମୁଙ୍କୁ ରାଜ୍ୟ ଅତିଥି ଭବନକୁ ପାଛୋଟି ନିଆଯାଇଥିଲା। ସେଠାରେ ଦ୍ରୌପଦୀ ମୁର୍ମୁ ବିଶ୍ରାମ କରିବା ପରେ ବିଧାନସଭାର ନୂତନ ସମ୍ମିଳନୀ କକ୍ଷକୁ ଯାଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡିର ସାଂସଦ ଓ ବିଧାୟକ ତାଙ୍କୁ ସ୍ୱାଗତ ଜଣାଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।